କଟକ: AIର ପ୍ରଭାବ, ସାବାଡ଼ ହେଉଛନ୍ତି ଅମାନିଆ। ପ୍ରଥମ ଦିନରେ ହୋଇଥିବା ମାଟ୍ରିକ ପରୀକ୍ଷା ସମୟରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଥିଲା । ଅବ୍ୟବସ୍ଥାକୁ ଠାବ କରିବା ପରେ ବୋର୍ଡର କାର୍ଯ୍ୟାନୁଷ୍ଠାନ କାରଣରୁ ଦ୍ୱିତୀୟ ଦିନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଆଜି ଦ୍ୱିତୀୟ ଦିନରେ ୪୨ ଜଣ ପରୀକ୍ଷାର୍ଥୀ କପି କରି ଧରାପଡିଥିବା ବେଳେ ସେଥିରୁ ୧୫ ଜଣ ପରୀକ୍ଷାର୍ଥୀଙ୍କୁ AI ଧରିଛି । ଯଦିଓ ପୂର୍ବ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥାକୁ AI ଠାବ କରିବାରେ ସଫଳ ହୋଇଥିଲା ।
ଆଜି ସବୁ ଅମାନିଆ ସାବାଡ଼ ହୋଇଯାଇଛନ୍ତି । ସେଭଳି କୌଣସି ଅବ୍ୟବସ୍ଥା କିମ୍ବା ବିଶୃଙ୍ଖଳା ଜଣା ପଡ଼ିନାହିଁ। କହିବାକୁ ଗଲେ ବୋର୍ଡକୁ ଏହି ନୂଆ ଟେକ୍ନୋଲୋଜି ବେଶ ସହାୟକ ହେଉଛି। ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି କହିଛନ୍ତି, ‘‘ଗତ ପରୀକ୍ଷାରେ ଯେଉଁ କେନ୍ଦ୍ରରେ ଅବ୍ୟବସ୍ଥା ଠାବ କରାଯାଇଥିଲା, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ତେବେ ଆଗାମୀ ଦିନରେ AI କାରଣରୁ ପରୀକ୍ଷା ଆହୁରି ଅଧିକ ଶୃଙ୍ଖଳିତ ହେବ ବୋଲି ଆଶା କରାଯଉଛି । ଗତ ପରୀକ୍ଷାରେ ଗେଟ ନିକଟରେ ସଠିକ ଭାବରେ ଯାଞ୍ଚ ହୋଇନଥିଲା। ଯାହାକୁ ନେଇ ବୋର୍ଡ କଡା ଆଭୂମୁଖ୍ୟ ଗ୍ରହଣ କରିଥିଲା । ଯାହା ଫଳରେ ଆଜି ସେସବୁ ଅବ୍ୟବସ୍ଥା ଦେଖା ଦେଇନାହିଁ ।’’ ପ୍ରଥମ ଦିନ ପରୀକ୍ଷା ସମୟରେ ୫ଟି ଜିଲ୍ଲାର ବିଭିନ୍ନ ସ୍କୁଲରୁ ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ସେସବୁ ଅବ୍ୟବସ୍ଥା AI (କୃତ୍ରିମ ବୁଦ୍ଧିମତା) କାରଣରୁ ଧରା ପଡ଼ିଥିଲା ।
ଏହା ମଧ୍ୟ ପଢ଼ନ୍ତୁ.....ମାଟ୍ରିକ ପରୀକ୍ଷା; କେଉଁ ସମୟ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ କହିଲେ ବୋର୍ଡ ସଭାପତି
AI ଚାଳିତ କ୍ୟାମେରା ମାଧ୍ୟମରେ ପରୀକ୍ଷାର ପ୍ରଥମ ଦିନରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଥିଲା । ୮ଟି ସେଣ୍ଟର ମଧ୍ୟରୁ କଟକର ୪ଟି ସେଣ୍ଟରରେ ଏହି ବ୍ୟତିକ୍ରମ ଠାବ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । କଟକ ବ୍ୟତୀତ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଓ ନୟାଗଡ଼ ଜିଲ୍ଲାର ଆଉ ୪ଟି ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା AI ଠାବ କରିଥିଲା । AI ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର । ଏହି ପରାମିଟର ଯଦି କୌଣସି କେନ୍ଦ୍ରରେ ଉଲ୍ଲଘଂନ ହୁଏ ତେବେ ବୋର୍ଡ ଜାଣିପାରିବ । ଯେପରିକି, ପରୀକ୍ଷା କେନ୍ଦ୍ରଗୁଡିକର ଫାଟକ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ବାରମ୍ବାର ଚଳପ୍ରଚଳ ହେଲେ, କେନ୍ଦ୍ର ଭିତରେ ଡେସ୍କ ଓ ବେଞ୍ଚ ବ୍ୟବସ୍ଥିତ ନଥିଲେ କିମ୍ବା କେନ୍ଦ୍ରରେ ଲାଗିଥିବା ସିସିଟିଭି ଟାମ୍ପର ଓ ଅଫଲାଇନ ହେଲେ, ଇନଭିଜିଲେଟର ଗୋଟିଏ ସ୍ଥାନରେ ବସି ରୁହିଲେ AI ମାଧ୍ୟମରେ ଏହା ଜଣାପଡିଯିବ ।
ଇଟିଭି ଭାରତ, କଟକ