ଭୁବନେଶ୍ବର: ରାଜ୍ୟରେ ଆହୁରି ୫ ଦିନ ବର୍ଷିବ ବର୍ଷା । ୨୪ ଘଣ୍ଟାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା । ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ହାଲକାରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା କୋରାପୁଟ ଓ ମାଲକାନଗିରିରେ ହେବାର ସମ୍ଭାବନା ରହିଛି । ସେହିପରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ଆସନ୍ତାକାଲି ଅର୍ଥାତ ୮ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଏନେଇ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ୯ ରୁ ବର୍ଷାର କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୧୧ରୁ ପୁନର୍ବାର ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ଧରି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଏହା ମଧ୍ୟ ପଢନ୍ତୁ....ରଥଯାତ୍ରାରେ ରାଜ୍ୟର ଏସବୁ ଜିଲ୍ଲାରେ ଭାରି ବର୍ଷା, ପୁରୀରେ କିଭଳି ରହିବ ପାଗ ଜାଣନ୍ତୁ - Odisha Weather
ଅନ୍ୟପଟେ ଜୁନ ୧ରୁ ଏଯାବତ ରାଜ୍ୟରେ ୨୦୨.୬ ମିମି ବର୍ଷା ହୋଇଥିବା ବେଳେ ଏବେବି ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । କିନ୍ତୁ ୨୭୬.୭ ମିମି ବର୍ଷା ରହିବା କଥା । ବାଲେଶ୍ବରରେ ଅଧିକ ନିଅଣ୍ଟିଆ ଥିବା ବେଳେ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଆଗାମୀ ୫ ଦିନର ବର୍ଷା ଏହାକୁ ଭରଣ କରିପାରେ ବୋଲି ବିଶେଷଜ୍ଞ କହିଛନ୍ତି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯୩.୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଶନିବାର ସକାଳୁ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ୪୩ ମିମି, ବୌଦ୍ଧରେ ୩୧, ବଲାଙ୍ଗୀରରେ ୧୫, ଅନୁଗୋଳରେ ୧୦ ମିମି ବର୍ଷା ହୋଇଛି
ଇଟିଭି ଭାରତ, ଭୁବନେଶ୍ବର