ବ୍ରହ୍ମପୁର: ବିଷାକ୍ତ ମଦ ପିଇ ୧୪ରୁ ଅଧିକ ଲୋକ ଅସୁସ୍ଥ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ଏସି ଅନ୍ତର୍ଗତ ଜେନାପୁର ଓ କରବାଲୁଆ ଗ୍ରାମରେ । ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ୍ୟପାନ କରିବା ପରେ ଗତକାଲି (ସୋମବାର) ସନ୍ଧ୍ୟାରେ ସମସ୍ତ ଅସୁସ୍ଥ ହୋଇପଡ଼ିବା ସହ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଏହାସହ ମୁଣ୍ଡ ବୁଲାଇଥିଲା ଓ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ହସପିଟାଲରେ ଭର୍ତ୍ତି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ୨ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ, ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
![Ganjam Spurious Liquor Case](https://etvbharatimages.akamaized.net/etvbharat/prod-images/20-08-2024/od-bam-id-liquor-and-chikite-area-14-persons-treatment-7205524_20082024132211_2008f_1724140331_634.jpg)
ମଦ ପାନ ପରେ ଝାଡାବାନ୍ତି: ଗତକାଲି ଜେନାପୁର ଓ କରବାଲୁଆ ଗ୍ରାମର କିଛି ବ୍ୟକ୍ତି ନିକଟବର୍ତ୍ତୀ ଗ୍ରାମକୁ ଯାଇ ଦେଶୀ ମଦ ପାନ କରିବା ପରେ ସନ୍ଧ୍ୟାରେ ଝାଡ଼ାବାନ୍ତି ସହ ମୁଣ୍ଡ ବୁଲାଇଥିଲା ଓ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସମସ୍ତଙ୍କୁ ସେମାନଙ୍କ ପରିବାର ଲୋକେ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅସୁସ୍ଥଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଏମ୍.କେ.ସି.ଜି ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
![Ganjam Spurious Liquor Case](https://etvbharatimages.akamaized.net/etvbharat/prod-images/20-08-2024/od-bam-id-liquor-and-chikite-area-14-persons-treatment-7205524_20082024132211_2008f_1724140331_548.jpg)
ଚାଲିଛି ବେଆଇନ ମଦ କାରବାର: ଚିକିଟି ଅଞ୍ଚଳର ବେଆଇନ ମଦ କାରବାର କରାଯାଉଛି । କିଛି ଅସାଧୁ ମଦ ବ୍ୟବସାୟୀ ମଦ ପ୍ରସ୍ତୁତ କରି ଏହାକୁ ବେଆଇନ ଭାବରେ ବିକ୍ରୀ କରି ମାଲେମାଲ ହେଉଛନ୍ତି । ଜଙ୍ଗଲ ମଧ୍ୟରେ ମଦ ପ୍ରସ୍ତୁତ କରି ଚିକିଟି ଉପକଣ୍ଠ କରାଖାଳି ଓ ମାଉନ୍ଦପୁର ସମେତ ଆଖପାଖ ଗ୍ରାମରେ ବହୁଳ ଭାବେ ବିକ୍ରି କରି ଆସୁଛନ୍ତି । ସେହି ବିଷାକ୍ତ ମଦ ପିଇ ଲୋକ ମାନେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି।
ଏହା ମଧ୍ୟ ପଢନ୍ତୁ-ଜଳିଗଲା ଦୁଇ ମଦ ବୋଝେଇ ଟ୍ରକ, ସରକାରୀ ଡିପୋରେ ଥିବା ବେଳେ ଅଗ୍ନିକାଣ୍ଡ - Fire In Liquor Truck
ଅସୁସ୍ଥଙ୍କୁ ଭେଟିଲେ ଚିକିଟି ବିଧାୟକ: ଏହି ଘଟଣା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ କଡାକଡି ଜାରି ରହିଛି । ସମସ୍ତ ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅପମିଶ୍ରିତ ମଦ ପ୍ରସ୍ତୁତ ହେଉଥିବାର ନଜର ରହିଥିବା ବେଳେ ଚିକିଟି ବ୍ଲକ୍ ଓ ଏନ୍ଏସିର ବିଭିନ୍ନ ଗ୍ରାମରେ ବିପୁଳ ପରିମାଣରେ ବେଆଇନ ମଦ ପ୍ରସ୍ତୁତ ହେବା ଏବଂ ବିକ୍ରି ହେବା ଯୋଗୁଁ ଏହାକୁ ପିଇ ବିଭିନ୍ନ ସମୟରେ ବହୁ ଲୋକ ଅସୁସ୍ଥ ହେବାର ନଜିର ରହିଛି।
ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, ''ମଦ୍ୟପାନ କରିବା ପରେ ସମସ୍ତେ ଅସୁସ୍ଥ ହୋଇପଡିଛନ୍ତି । କେଉଁ କାରଣରୁ ସେମାନେ ଅସୁସ୍ଥ ହେଲେ ତାହା ତଦନ୍ତ ପରେ ଜଣାପଡିବ । ଅସୁସ୍ଥଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ''
ଇଟିଭି ଭାରତ, ବହ୍ମପୁର