ଭୁବନେଶ୍ବର: ଓଡ଼ିଶାରେ ଏବେ କ୍ୟାବରେ ବୁଲିବା ହେବ ଆହୁରି ସହଜ । କମ ଖର୍ଚ୍ଚରେ ଯାତ୍ରୀଙ୍କୁ ମିଳିବ ବହୁ ଦୂର ବୁଲିବାର ସୁବିଧା । କାରଣ ଓଡ଼ିଶା ରାସ୍ତାରେ ଗଡିବାକୁ ଯାଉଛି ସରକାରୀ କ୍ୟାବ । ପ୍ରାଇଭେଟ୍ କ୍ୟାବକୁ ଟକ୍କର ଦେବାକୁ ଆସୁଛି ସରକାରୀ କ୍ୟାବ । 'ଓଡ଼ିଶା ଯାତ୍ରୀ' ଆପ୍ ନାମରେ ଏହି ସୁବିଧା ପାଇବେ ଯାତ୍ରୀ । ଏହି ଆପର ଲୋଗୋ ଉନ୍ମୋଚନ କରିଛନ୍ତି ପରିବହନ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଉଭୟ ଅଟୋ ଓ ଟ୍ୟାକ୍ସିରେ ମିଳିବ ଏହି ସୁବିଧା । ପ୍ରାଇଭେଟ କମ୍ପାନୀ କ୍ୟାବକୁ ଟକ୍କର ଦେବ ସରକାରୀ କ୍ୟାବ 'ଓଡ଼ିଶା ଯାତ୍ରୀ' ।
ଓଡ଼ିଶା ସରକାର ଲଞ୍ଚ କରିବେ ସରକାରୀ କ୍ୟାବ:
ଏନେଇ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି,'' ପ୍ରାଇଭେଟ କମ୍ପାନୀ କ୍ୟାବର ଡାଉନ୍ ଫଲ ଆରମ୍ଭ ହେଲାଣି । କାରଣ ଓଡ଼ିଶା ସରକାର ପ୍ରଥମ ଥର ପାଇଁ ଲଞ୍ଚ କରିବାକୁ ଯାଉଛନ୍ତି ଏପରି ସରକାରୀ କ୍ୟାବ, ଯାହାକି ସେମାନଙ୍କୁ ଟକ୍କର ଦେବ । ସମସ୍ତ ପ୍ରକାର ସୁବିଧା ଯେପରିକି କମ ଖର୍ଚ୍ଚରେ ଅର୍ଥାତ ପ୍ରାଇଭେଟ୍ କ୍ୟାବ ଭଳି ଭଡ଼ାର ରହିବନି ସମସ୍ୟା । ଅନବରତ ମିଳିବ 'ଓଡ଼ିଶା ଯାତ୍ରୀ' ଆପରେ ସରକାରୀ କ୍ୟାବର ସୁବିଧା । ଏନେଇ ପ୍ରାୟ 10 ହଜାରରୁ ଊର୍ଦ୍ଧ୍ବ ଅଟୋ ଓ ଟ୍ୟାକ୍ସି ରେଜିଷ୍ଟର କରିସାରିଲେଣି ।
- ‘ଓଡ଼ିଶା ଯାତ୍ରୀ' ଆପର ଲୋଗୋ ଉନ୍ମୋଚନ:
ଏନେଇ ପରିବହନ ସଚିବ ଉଷା ପାଢୀ କହିଛନ୍ତି,'' ବାଣିଜ୍ୟ ପରିବହନ ବିଭାଗ ଓ ନଗର ଓ ଉନ୍ନୟନ ବିଭାଗର ମିଳିତି ଉଦ୍ୟମରେ କେନ୍ଦ୍ର ସରକାରଙ୍କ ସହଯୋଗରେ 'ଓଡ଼ିଶା ଯାତ୍ରୀ' ଆପର ଲୋଗୋ ଉନ୍ମୋଚନ ହୋଇଛି । ଏହା ଟେଷ୍ଟିଂରେ ଅଛି, ଏହାକୁ ମେଗା ଲଞ୍ଚ କରାଯିବ । ଏହି ଆପର ଉଦ୍ଦେଶ୍ୟ ହେଲା, କେମିତି ଆମେ କେନ୍ଦ୍ର ସରକାରଙ୍କ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଡ୍ରାଇଭର ଓ ଯାତ୍ରୀଙ୍କୁ ଗୋଟିଏ ଆପ ମାଧ୍ୟମରେ ଯୋଗାଯୋଗ କରି ସେମାନଙ୍କୁ ଏକ ବ୍ୟବସ୍ଥିତ ଢଙ୍ଗରେ ଏହି ସୁବିଧା ଯୋଗାଇବା । ଯାହାଦ୍ବାରା ଯାତ୍ରୀଟିଏ ଜାଣିପାରିବ ତାଙ୍କୁ କେତେ ବାଟ ଯାତ୍ରା ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ । ଡ୍ରାଇଭର ମଧ୍ୟ ତାଙ୍କର ଭଡ଼ା ପାଇପାରିବେ । ଫଳରେ ପ୍ରାଇଭେଟ୍ କ୍ୟାବ ସଂସ୍ଥା ଯେଉଁ କମିଶନ ନେଉଥିଲେ, ତାହା ଜିରୋ-କମିଶନରେ ପରିଣତ ହୋଇ ଯାତ୍ରୀଟିଏ କମ ଟଙ୍କାରେ ଅଧିକ ବାଟ ଯାତ୍ରା କରିପାରିବ । ଏହା ସହ ଡ୍ରାଇଭର ମଧ୍ୟ ଉଚିତ ପ୍ରାପ୍ୟ ପାଇବ । ଏହା ଓଡ଼ିଶା ସରକାରଙ୍କର ଏକ ଭଲ ପଦକ୍ଷେପ, ତାକୁ କାର୍ଯ୍ୟକାରୀ କରି ଏକ ବ୍ୟବସ୍ଥିତ ଢଙ୍ଗରେ ସୁବିଧା ଉପଲବ୍ଧ କରାଯିବ । ଫଳରେ ଲୋକଙ୍କୁ ପ୍ରାଇଭେଟ୍ କ୍ୟାବର ଟେନସନ ରହିବନାହିଁ । ''
- ଖୁବଶୀଘ୍ର ଲଞ୍ଚ ହେବ 'ଓଡ଼ିଶା ଯାତ୍ରୀ':
ସେ ଆହୁରି ମଧ୍ୟ କହିଛନ୍ତି,'' ଅନଲାଇନ କ୍ୟାବ ଯେଊଳି ଭାବେ ମନ ଇଚ୍ଛା ଭଡା ସହ ଆଡିସିନିଲ ଚାର୍ଜ ନେଉଥିଲେ ସେ ଟେନସନ ଆଉ ରହିବନାହିଁ । କ୍ଷତି ସହିବା ଭୟରେ କ୍ୟାବ ଡ୍ରାଇଭର ବି କ୍ୟାବ ବୁକକୁ କ୍ୟାନସେଲେସନ କରିବେ ନାହି, କି ଅସୁବିଧା ସମୟରେ ଲୋକଟିଏ ସମୟର ଫାଶରେ ଫସିବ ନାହିଁ । ଓଡ଼ିଶା ସରକାରଙ୍କ ପକ୍ଷରୁ ନିଜସ୍ବ ପବ୍ଲିକ ଟ୍ରାନ୍ସପୋର୍ଟ ଟ୍ୟାକ୍ସି ଆପ ଯାହାକି 'ଓଡ଼ିଶା ଯାତ୍ରୀ' ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଅନଲାଇନରେ ଅନ୍ୟ କ୍ୟାବ ସେବା ଭଳି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ‘ONDC’ ଜରିଆରେ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛନ୍ତି । ରାଜ୍ୟ ସରକାର ଡ୍ରାଇଭରଙ୍କୁ ସ୍ବାବଲମ୍ବୀ ଓ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଅନ୍ୟ ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥାକୁ ଟକ୍କର ଦେଲା ଭଳି ଭଡ଼ା, ସୁରକ୍ଷା ଓ ଅନ୍ୟ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । '
- ପ୍ରଥମ ପର୍ଯ୍ୟାୟରେ 3ଟି ସହରରେ ଗଡିବ ସରକାରୀ କ୍ୟାବ:
'ଓଡ଼ିଶା ଯାତ୍ରୀ' ଟ୍ୟାକ୍ସି ସେବା ଆପ ଲଞ୍ଚ ପରେ ଏହି ସେବା ଓଡ଼ିଶାର ପ୍ରମୁଖ ତିନୋଟି ସହର ପୁରୀ, ଭୁବନେଶ୍ୱର ଓ କଟକରେ ପ୍ରଥମେ ଚାଲିବ । ପରେ ଅନ୍ୟ ସହରରେ ଏପରିକି ସାରା ରାଜ୍ୟରେ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଓଡି଼ଶାରେ ପ୍ରଥମ ଥର ପାଇଁ ସରକାରୀ ପରିଚାଳିତ ଅନଲାଇନ ଟ୍ୟାକ୍ସି ସେବାର ସୁବିଧା ମିଳିବ । ଆଗାମୀ ଦିନରେ ଟ୍ୟାକ୍ସି ପରିଚାଳନା କ୍ଷେତ୍ରରେ ଏକ ଯୁଗାଗନ୍ତକାରୀ ପଦକ୍ଷେପ ଉଭୟ ଯାତ୍ରୀ ଓ ଡ୍ରାଇଭରମାନଙ୍କ ପାଇଁ ବେଶ ଲାଭଦାୟକ ହେବ ।
- ଉପକୃତ ହେବେ ଡ୍ରାଇଭର:
ସରକାରୀ କ୍ୟାବ ସେବା ଆରମ୍ଭ ହେବା ଦ୍ବାରା ଅଧିକାଂଶ ଡ୍ରାଇଭର ଉପକୃତ ହେବେ । କାରଣ ଅନେକ ସମୟରେ ପ୍ରାଇଭେଟ କ୍ୟାବର ସଂସ୍ଥାମାନେ ଯାତ୍ରୀଠୁ ଭଡ଼ା ନେଇ କମିଶନ ରଖି ଦୁଇ ଦିନ ପରେ ଡ୍ରାଇଭରକୁ ପେମେଣ୍ଟ ଦେଉଥିଲେ । ଫଳରେ ଡ୍ରାଇଭର ଟଙ୍କା ପାଇବା ଆଶାରେ ଅସୁବିଧା ସାମ୍ନା କରୁଥିଲେ । ସରକାରୀ କ୍ୟାବ ସେବା ଆରମ୍ଭ ହେଲେ କଟନି ଛଟନି ରହିବ ନାହିଁ । ଆପ ଜରିଆରେ କିଲୋମିଟର ହିସାବରେ ଫିକ୍ସ ରେଟ ରହିବ । ଅର୍ଥାତ ଅନ୍ୟ ଆପ ଭଳି ସେହି ସ୍ଥାନରୁ ଭଡ଼ା କିଛି କ୍ଷଣ ମଧ୍ୟରେ ଅଧିକ ରହିବ ନାହିଁ ।
- ପରିବହନ ବିଭାଗର ମାରାଥନ ବ୍ୟବସ୍ଥା:
'ଓଡ଼ିଶା ଯାତ୍ରୀ' ଲୋଗୋ ଉନ୍ମୋଚନ ସହ ବରମୁଣ୍ଡା ବସ ଷ୍ଟାଣ୍ଡରେ ସ୍ୱୟଂ ଚଳିତ ଟିକେଟ ଭେଣ୍ଡିଂ ମେସିନ ATVMର ଉଦଘାଟନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏହା ଦ୍ୱାରା ସହରରେ ସିଟି ବସରେ ଯାଉଥିବା ଯାତ୍ରୀ ବସରେ ଚଢିବା ପୂର୍ବରୁ ମେସିନରେ ଟଙ୍କା ଗଳାଇ ନିଜ ଟିକେଟ ନିଜେ କାଟି ପାରିବେ । କେଉଁ ବସ୍ କେଉଁ ରୁଟରେ ଯିବ ତାହାର ଭଡା କେତେ ସେସବୁ ମଧ୍ୟ୍ୟ ମେସିନ ଜରିଆରେ ଜାଣି ପାରିବେ । ବରମୁଣ୍ଡା ବସ ଷ୍ଟାଣ୍ଡ, ମାଷ୍ଟର କ୍ୟାଣ୍ଟିନ ଓ ପୁରୀ ବସ ଷ୍ଟାଣ୍ଡରେ ଏହି ମେସିନ ରହିବ । ସେହିପରି ଯାତ୍ରୀଙ୍କ ସୁବିଧା ପାଇଁ 65 ଓ 66 ରୁଟକୁ ଦୁଇଟି ନୂଆ ରୁଟରେ 12ଟି ନୂଆ ବସ ଚଳାଚଳ ଆରମ୍ଭ ହୋଇଛି । ଯାହାର ଶୁଭାରମ୍ଭ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ତେବେ 475 ଟି ‘ମୋ ବସ’ 97ଟି ରୁଟରେ ବିଭିନ୍ନ ସ୍ଥାନରେ ଚଳାଚଳ କରୁଛି । ସେଥିମଧ୍ୟରୁ 95ଟି କେବଳ ଇ-ବସ ବା ପ୍ରଦ୍ୟୁଷଣମୁକ୍ତ ବିଦ୍ୟୁତ ବସ ସେବା ଯୋଗାଉଛି ।
ଇଟିଭି ଭାରତ, ଭୁବନେଶ୍ବର