ଭୁବନେଶ୍ୱର: ତାଲିମ ଓ ଦକ୍ଷତା ବିକାଶ ମାଧ୍ୟମରେ ଶ୍ରବଣ ବାଧିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ଜାରି ରହିଛି ପ୍ରୟାସ । ଏଣିକି ସେମାନଙ୍କୁ ହୋଟେଲ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ । ଏନେଇ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ସ୍ୱୟଂ ଶାସିତ ସଂସ୍ଥା ଇନିଷ୍ଟିଟ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ ନ୍ୟୁଟିରସନ ଏହି ଦିଗରେ ସହାୟତା ଯୋଗାଇ ଦେବ ।
ଇନଷ୍ଟିଟ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ ନ୍ୟୁଟିରସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିନ୍ନକ୍ଷମଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ବଳରେ ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରିବ ବୋଲି ପ୍ରମୁଖ ଶାସନ ସଚିବ ମତ ରଖିଥିଲେ ।
ଏହା ମଧ୍ୟ ପଢନ୍ତୁ-ଦୃଷ୍ଟିବାଧିତଙ୍କ ଶିକ୍ଷାକୁ ଗୁରୁତ୍ୱ;ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଆଇଆଇଟି ମଧ୍ୟରେ ବୁଝାମଣା
ରାଜିନାମାରେ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ ଓ ଇନଷ୍ଟିଟ୍ୟୁଟର ଅଧ୍ୟକ୍ଷା ସାରଦା ଘୋଷ ସ୍ୱାକ୍ଷର କରିଥିଲେ । ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ଭିନ୍ନକ୍ଷମମାନଙ୍କ ସ୍ୱତନ୍ତ୍ର ଶିକ୍ଷା ଓ ଦକ୍ଷତା ବୃଦ୍ଧି, ତାଲିମ ଉପ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ରାଜିନାମା ଅନୁସାରେ ୧୫୦ ଜଣ ଶ୍ରବଣବାଧିତ ଯୁବକଯୁବତୀଙ୍କୁ ପାଞ୍ଚଟି ବ୍ୟାଚରେ ନିଯୁକ୍ତି ତଥା ଆତ୍ମନିଯୁକ୍ତି ନିମନ୍ତେ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ ।
ନିକଟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଓ ଅନ୍ତର୍ଭୁକ୍ତି ଶିକ୍ଷାକୁ ବ୍ୟାପକ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଆଇଆଇଟି ଭୁବନେଶ୍ଵର ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷର ହୋଇଥିଲା । ବୁଝାମଣା ପତ୍ରରେ ଛାତ୍ରଛାତ୍ରୀଙ୍କୁ କୋଚିଂ, କୃତ୍ରିମ ବୁଦ୍ଧିମତ୍ତା, ଗେମସ ଓ ଆନିମେସନ, ମୋବାଇଲ ଆପ, ମାଇକ୍ରୋବିଟ, ଥ୍ରୀ-ଡି ପେଣ୍ଟିଂ, ଯାନ୍ତ୍ରିକ ଶିକ୍ଷଣ ଓ ରୋବୋ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ଉଲ୍ଲେଖ ରହିଛି ।
ଇଟିଭି ଭାରତ, ଭୁବନେଶ୍ୱର