ସମ୍ବଲପୁର/ଭୁବନେଶ୍ବର: 65 ବର୍ଷରୁ ଅଧିକ ପୁରୁଣା ହୋଇସାରିଛି ହୀରାକୁଦ ଡ୍ୟାମ । ଦୀର୍ଘ ବର୍ଷ ଧରି ଏହି ଡ୍ୟାମରୁ ବାହାରିଥିବା ବରଗଡ଼ ଓ ଶାସନ କେନାଲ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଜଳସେଚନ ପାଇଁ ସୁବିଧା ଯୋଗେଇ ଆସୁଛି । ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବାରେ ସହାୟକ ହୋଇଆସୁଛି । ବର୍ତ୍ତମାନ ତଳ ମୁଣ୍ଡର କେନାଲ ଅର୍ଥାତ ୱାଟର କୋର୍ସ ଗୁଡିକୁ ବର୍ତ୍ତମାନ ନବୀକରଣ କରାଯିବ । ଏନେଇ ରାଜ୍ୟ ସରକାର ଆସନ୍ତା 4 ବର୍ଷ ପାଇଁ 855 କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଯାହାକୁ ନେଇ ଚାଷୀଙ୍କ ମନରେ ଉପୁଜିଛି ଦ୍ବନ୍ଦ୍ବ।
ନବୀକରଣ ଯୋଗୁଁ କେଉଁ ସୁବିଧା ହେବ?
ଏହି ପାଣ୍ଠିରେ ହୀରାକୁଦର ବିଭାଜିକା, ଉପ ବିଭାଜିକା, ମାଇନର, ସବ ମାଇନରରୁ ବାହାରି ଥିବା ୱାଟର କୋର୍ସ ଗୁଡିକର ନବୀକରଣ କରାଯିବ । ଏହି ସବୁ ୱାଟର କୋର୍ସ ବା ତଳ ମୁଣ୍ଡର କେନାଲ ଗୁଡିକର କଂକ୍ରିଟ ଲାଇନିଂ କରାଯିବ । ଏହାର ମୂଳ ଲକ୍ଷ୍ୟ ହେଉଛି ତଳମୁଣ୍ଡର ଜମିକୁ ପାଣି ପହଞ୍ଚାଇବା । ଜଳସେଚନର ଦକ୍ଷତା ବଢାଇବା, ଜଳ ଆବଣ୍ଟନରେ ହେଉଥିବା ଜଳର କ୍ଷତି କମାଇବା, କେନାଲ ସିପେଜ ଯୋଗୁଁ ଅନୁପଯୁକ୍ତ ହୋଇଥିବା ଜଳମଗ୍ନ ଜମିକୁ ଉଦ୍ଧାର କରିବା ଇତ୍ୟାଦି।
ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ କହିଛନ୍ତି, "ହୀରାକୁଦ କେନାଲ ସିଷ୍ଟମ 65 ବର୍ଷରୁ ଅଧିକ ପୁରୁଣା ହେଲାଣି। ବର୍ତ୍ତମାନ ସେଗୁଡ଼କୁ ରିନୋଭେଟ କରିବା ପାଇଁ କଂକ୍ରିଟ ଲାଇନିଂ କରାଯିବ । ସେଥିପାଇଁ ଏହି 855 କୋଟି ଟଙ୍କାର କ୍ୟାବିନେଟ ମଞ୍ଜୁରୀ ହୋଇଛି ।" ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଡ୍ୟାମ ଅଧୀନରେ ମୋଟ 816 ଟି କେନାଲ ଅଛି । ଏହି କେନାଲମାନଙ୍କ ଦ୍ୱାରା 1ଲକ୍ଷ 59 ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଉଛି ।
ଚାଷୀ ନେତାଙ୍କ ପ୍ରଶ୍ନ:
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ କିଛି ଚାଷୀ ସ୍ୱାଗତ କରିଥିବାବେଳେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ସଭାପତି ଅଶୋକ ପ୍ରଧାନ ଏହାକୁ ନେଇ କେତେକ ପ୍ରଶ୍ନ କରିଛନ୍ତି । ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି, "ଯେଉଁ ରବି ଫସଲ ଅଛି ତାହା ଚାଷୀର ତାକତ ଅଟେ। ପରିବାର ଚଳାଇବା ପାଇଁ ସେ ରବି ଫସଲ ବନ୍ଦ ହୋଇପାରେ । ଏନେଇ ଚାଷୀଙ୍କ ସହ ଆଲୋଚନା ହୋଇଛି କି ? ଏହା ସରକାର ବହୁତ ସ୍ପଷ୍ଟ କରିବା ଉଚିତ l" ସୂଚନା ଯୋଗ୍ୟ ଯେ, 2003-04 ଶାସନ କେନାଲର ନବୀକରଣ କରାଯାଇଥିଲା । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହାଦ୍ୱାରା ଚାଷୀମାନେ 2ଟା ରବି ଫସଲ କରିବାରୁ ବଞ୍ଚିତ ହୋଇଥିଲେ ।
ମୁହଁ ଖୋଲିଲେନି ମୁଖ୍ୟଯନ୍ତ୍ରୀ:
ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପରେ ଅକ୍ଟୋବର 5 ତାରିଖରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାକୁ ନେଇ ପଶ୍ଚିମ ଓଡିଶାର ଚାଷୀଙ୍କ ଭିତରେ ଢେର ସାରା ସମ୍ଭାବନା ଭରି ଦେଇଛି। ଚାଷ ପାଇଁ ପର୍ଯ୍ୟାପ୍ତ ପାଣି ମିଳିବ, ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ଲକ୍ଷାଧିକ ଚାଷୀଙ୍କ ଉଭୟ ରବି ଏବଂ ଖରିଫ ଫସଲ ପାଇଁ ଜଳସେଚନ ହେବ। ଏହା ଚାଷୀଙ୍କର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବା ଲକ୍ଷ୍ୟରେ ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ହୋଇଛି । ଏହି ଯୋଜନାରେ 855 କୋଟି ବ୍ୟୟ କରିବେ ରାଜ୍ୟ ସରକାର। ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲରୁ ସଂଯୋଗ କରୁଥିବା ସମସ୍ତ ଜଳପଥର ଜଳ ପରିଚାଳନା କରିବା ଦିଗରେ ଏହା ସହାୟକ ହେବ। ତେବେ ଏହାକୁ ନେଇ ଚାଷୀଙ୍କ ମହଲରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଚାଷୀମାନେ ଦାବି କରିଛନ୍ତି ଯେ, ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ଉଭୟ ରବି ଏବଂ ଖରିଫ ଫସଲ ପାଇଁ ଏହି ସୁବିଧା ଉପଲବ୍ଧ ହେବା ଦରକାର। ସେପଟେ ହୀରାକୁଦ ଡ୍ୟାମ କେନାଲ ପ୍ରକଳ୍ପର ନବୀକରଣ ନେଇ ପ୍ରତିକ୍ରିୟା ରଖିନାହାନ୍ତି ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ।
ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରେ ସରକାରୀ ପ୍ରକଳ୍ପକୁ ବିରୋଧ ଏହା ମଧ୍ୟ ପଢ଼ନ୍ତୁ...ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ, ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ - Telkoi bandha |
ଇଟିଭି ଭାରତ, ସମ୍ବଲପୁର/ଭୁବନେଶ୍ବର