ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । 5 ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼, ଆସିକା, କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ମତଦାନ ଅନୁଷ୍ଠିତ ହେବ । ଏହି 5 ଲୋକସଭା ଆସନ ଲାଗି ମୈଦାନରେ ମୋଟ 40 ଜଣ ସାଂସଦ ପ୍ରାର୍ଥୀ ଅଛନ୍ତି । ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ରାତି ପାହିଲେ ଏହି ଆସନ ଗୁଡ଼ିକରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ ।
ମୈଦାନରେ 40 ସାଂସଦ ପ୍ରାର୍ଥୀ:- ଦ୍ବିତୀୟ ପର୍ଯ୍ୟାୟରେ ମତଦାନକୁ ଯାଇଥିବା 5 ସଂସଦୀୟ କ୍ଷେତ୍ରରେ ମୋଟ 40ଜଣ ସାସଂଦ ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରୁ 34ଜଣ ପୁରୁଷ ପ୍ରାର୍ଥୀ ଥିବା ବେଳେ 6 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଆସିକାରୁ 7 ପ୍ରାର୍ଥୀ ଥିବା ବେଳେ ବରଗଡ଼ରୁ 7ଜଣ,ବଲାଙ୍ଗୀରରୁ 10ଜମ, କନ୍ଧମାଳରୁ 8ଜଣ ଓ ସୁନ୍ଦରଗଡ଼ରୁ 8ଜଣ ପ୍ରାର୍ଥୀ ଅଛନ୍ତି । ସୁନ୍ଦରଗଡ଼ ଲୋକସଭା ଆସନଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ।
କୋଟିପତି ପ୍ରାର୍ଥୀ:- ମୋଟ 40ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 13ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ତାଲିକାର ଶୀର୍ଷରେ ଅଛନ୍ତି ବଲାଙ୍ଗୀର ବିଜେପି ସାଂସଦ ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂହଦେଓ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି 67 କୋଟି । ସେହିପରି ସୁନ୍ଦରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ତଥା ହକି ତାରକା ଦିଲ୍ଲୀପ କୁମାର ତିର୍କୀଙ୍କ ସମ୍ପତ୍ତିର ମୂଲ୍ୟ 12 କୋଟି ରହିଛି । ସୁନ୍ଦରଗଡ଼ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କ ସମ୍ପତ୍ତିର ମୂଲ୍ୟ 8କୋଟି, ବଲାଙ୍ଗୀର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ସମ୍ପତ୍ତିର ମୂଲ୍ୟ 5କୋଟି ଏବଂ ବରଗଡ଼ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ (3କୋଟି) କୋଟିପତି ପ୍ରାର୍ଥୀ ଅଛନ୍ତି ।
ଅପରାଧିକ ମାମଲାରେ ଜଡ଼ିତ ପ୍ରାର୍ଥୀ:- ଦ୍ବିତୀୟ ପର୍ଯ୍ୟାୟରେ ମୋଟ 40 ପ୍ରାର୍ଥୀଙ୍କ ମଧ୍ୟରୁ 12ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ସୁନ୍ଦରଗଡ଼ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ, ବରଗଡ଼ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କନ୍ଧମାଳ ଏନଜେଡି ପ୍ରାର୍ଥୀ ସୁବାଷ ମହାପାତ୍ର, ଆସିକା ସ୍ବାଧୀନ ପ୍ରାର୍ଥୀ ସଞ୍ଜୟ କୁମାର ବିଷୋୟୀ ଏବଂ ଆସିକା ଏସଏସଆରଡି ପ୍ରାର୍ଥୀ ପୀତବାସ ସାହୁ ।
ଶିକ୍ଷାଗତ ଯୋଗ୍ୟତା:- ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଉପରେ ନଜର ପକାଇଲେ, ମୋଟ 40 ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପଞ୍ଚମ ପାସ୍, 2ଜଣ ଅଷ୍ଟମ ପାସ୍, 8ଜଣ ଦଶମ ପାସ୍, 8ଜଣ ଦ୍ବାଦଶ ପାସ୍, 9ଜଣ ସ୍ନାତକ ହାସଲ କରିଛନ୍ତି । ସେହିପରି ବୃତ୍ତିଗତ ସ୍ନାତକ 3ଜଣ, ସ୍ନାତକୋତ୍ତର 7ଜଣ ଏବଂ 2ଜଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ।
ପ୍ରମୁଖ ଆସନ ଓ ପ୍ରାର୍ଥୀ:- ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ପ୍ରମୁଖ ଲୋକସଭା ନିର୍ବାଚନ ମଣ୍ଡଳୀ ହେଉଛି ସୁନ୍ଦରଗଡ଼, କନ୍ଧମାଳ, ବଲାଙ୍ଗୀର ଓ ଆସିକା ନିର୍ବାଚନ ମଣ୍ଡଳୀ । ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ସୁନ୍ଦରଗଡ଼ ବିଜେପି ପ୍ରାର୍ଥୀ ଜୁଏଲ ଓରାମ, ସୁନ୍ଦରଗଡ଼ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ପୂର୍ବ ନିର୍ବାଚନରେ ଜୁଏଲ ଓରାମ ନିର୍ବାଚନ ଜିତିଥିବା ବେଳେ ଏଥର ତାଙ୍କୁ ଚେକ୍ ଦେବା ଲାଗି ବିଜେଡି ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି । ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବଲାଙ୍ଗୀର ବିଜେପି ପ୍ରାର୍ଥିନୀ ସଙ୍ଗୀତା କୁମାର ସିଂହଦେଓ, କନ୍ଧମାଳ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ କନ୍ଧମାଳ ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ