ଭୁବନେଶ୍ବର: ସାଧାରଣ ନିର୍ବାଚନରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ପାଇଁ ନିର୍ବାଚନ କମିଶନ ଓ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ । ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସାଧାରଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ, ପୋଲିସ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର, ସ୍ବତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ହିମାଲିନୀ କାଶ୍ୟପଙ୍କ ଉପସ୍ଥିତିରେ ରାଜ୍ୟର ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ସର୍ବୋଚ୍ଚ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ଏହି ମଧ୍ୟ ପଢନ୍ତୁ ... ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ, ବ୍ୟକ୍ତିଗତ ଆକ୍ଷେପ ନକରିବାକୁ ପରାମର୍ଶ - All Party Meeting
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ସ୍ବଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ଗୁରୁଦାୟିତ୍ବ ଉପରେ ଆଲୋକପାତ କରିଛନ୍ତି । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅନୈତିକ ଉପାୟରେ ବ୍ୟବହୃତ ହେଉଥିବା ଧନବଳ, ମାଦକ ଦ୍ରବ୍ୟ ଓ ଉପହାର ଆଦିକୁ ରୋକିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ସକ୍ରିୟ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟରେ ସେ ଆଲୋଚନା କରିଛନ୍ତି । ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ଓଡ଼ିଶା ପୋଲିସ, ଅବକାରୀ, ଆୟକର, ରାଜ୍ୟ ଜିଏସଟି, କେନ୍ଦ୍ର ଜିଏସଟି, ବ୍ୟାଙ୍କ ସମୂହ, ଆରବିଆଇ, ଏୟାରପୋର୍ଟ ଅଥରିଟି, ଡାକ, ସିଆଇଏସଏଫ, ଆରପିଏଫ, ଏନସିବି, ରାଜସ୍ବ ଗୁଇନ୍ଦା, ଜଙ୍ଗଲ, ଭାରତୀୟ କୋଷ୍ଟ ଗାର୍ଡ଼, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ବେସାମରିକ ବିମାନ ଚଳାଚଳ ଓ ସିଆରପିଏଫର ରାଜ୍ୟ ନୋଡାଲ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ସମ୍ମୁଖରେ ନିର୍ବାଚନ ପ୍ରସ୍ତୁତି, ଜବତ ବ୍ୟବସ୍ଥା ଓ ତା’ର କାର୍ଯ୍ୟାନ୍ବୟନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିଛନ୍ତି ।
ପିପିଟି ପ୍ରେଜେଣ୍ଟେସନ୍ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା ଦ୍ବାରା ହିଁ ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ସମ୍ଭବ ବୋଲି ମତପ୍ରକାଶ କରିଛନ୍ତି । ରାଜ୍ୟ ସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରବର୍ତ୍ତନ ସଂସ୍ଥାମାନେ ସମନ୍ବୟ ମାଧ୍ୟମରେ ହିଁ ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନକୁ ସ୍ବଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବାରେ ସର୍ବଦା ଚେଷ୍ଟିତ ରହିବାକୁ ସେ ପ୍ରେରିତ କରିଛନ୍ତି ।
ସାଧାରଣ ନିର୍ବାଚନ - ୨୦୨୪ରେ ୨୦.୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିବାବେଳେ ସାଧାରଣ ନିର୍ବାଚନ - ୨୦୧୯ରେ ୪୪.୦୭ କୋଟି ଟଙ୍କାର ସମଗ୍ରୀ ଜବତ ହୋଇଥିଲା । କିନ୍ତୁ ସାଧାରଣ ନିର୍ବାଚନ - ୨୦୨୪ରେ ସମସ୍ତ ସଂସ୍ଥା ମିଶି ଜାନୁଆରୀ ୧ରୁ ଫେବୃଆରୀ ୨୯ ମଧ୍ୟରେ ୭୬.୪୦ କୋଟି ଓ ମାର୍ଚ୍ଚ ୧ରୁ ଅପ୍ରେଲ ୨୨ ପର୍ଯ୍ୟନ୍ତ ୧୩୬.୯୪ କୋଟି ଟଙ୍କାର ସାମଗ୍ରୀ ଜବତ କରିସାରିଛନ୍ତି । ବୈଠକ ଶେଷରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ. ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର