ଭୁବନେଶ୍ବର: 2019ରେ CAA (ନାଗରିକତା ସଂଶୋଧନ ଅଧିନିୟମ) ବହୁଚର୍ଚ୍ଚିତ ବିଲକୁ ସଂସଦରେ ପାରିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ କୋଭିଡ ସଂକ୍ରମଣ ଓ ଅନ୍ୟ କାରଣରୁ ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଥିଲା । ତେବେ 4 ବର୍ଷ ପରେ ଗତକାଲି (ସୋମବାର) ଏହାକୁ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି । CAA ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି ।
ଏହି ନିୟମରେ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଳ୍ପସଂଖ୍ୟକ ମାନେ ନାଗରିକତ୍ବ ପାଇବେ । ସେମାନେ ଆଗରୁ ଭାରତରେ ନାଗରିକତ୍ବ ପାଉନଥିବା ସହିତ ନିଜକୁ ସୁରକ୍ଷିତ ମନେ କରୁନଥିଲେ । ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ୍ୟ, ଶିଖମାନେ ଭାରତୀୟ ନାଗରିକତ୍ବ ପାଇବେ । 2014 ପୂର୍ବରୁ ଯେଉଁମାନେ ଭାରତକୁ ଆସିଛନ୍ତି, ସେମାନେ ନିଜର ନାଗରିକତ୍ବ ପାଇବେ । ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି ।
ଏନେଇ ଆୟୋଜିତ ପ୍ରେସ୍ମିଟ୍ରେ ବିଜେପି ନେତା ଅରବିନ୍ଦ ଢାଲି କହିଛନ୍ତି, "ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ନାଗରିକତା ପାଇପାରିବେ । କେବଳ ମୁସଲମମାନଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭାରତ ସରକାର ସିଏଏ ଦ୍ଵାରା ନାଗରିକତା ଦେବେ । ସେହିପରି ଗତବର୍ଷ ଭାରତରେ ରହୁଥିବା ଶରଣାର୍ଥୀ ଓ ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ । ଜନସାଧାରଣଙ୍କ ମଙ୍ଗଳରେ ଦେଶର ମଙ୍ଗଳ । ଦୀର୍ଘ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯ୍ୟାତିତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି । ନାଗରିକତା ସଂଶୋଧନ ଆଇନରେ କୌଣସି ମୁସଲମାନ ନାଗରିକର ନାଗରିକତା ଯିବନାହିଁ । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି ।"
ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA
ଅରବିଢ ଢାଲି ଆହୁରି କହିଛନ୍ତି, "CAA ଦ୍ୱାରା ଭାରତ କିମ୍ବା ଓଡିଶା ରହୁଥିବା କୌଣସି ମୁସଲମାନ ନାଗରିକତା ଯିବନାହିଁ । CAA ନାଗରିକତା ଛଡାଇବାକୁ ନୁହେଁ ବରଂ ଆଇନ ଆଧାରରେ ପଡୋଶୀ ଦେଶର ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା କରିବା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟର ମାନ୍ୟତା ପ୍ରଦାନ କରିଛି । କିଛି ଲୋକ ମୁସଲିମମାନଙ୍କ ପ୍ରତି ବିପଦ ରହିଥିବା ନେଇ ଅପପ୍ରଚାର କରୁଛନ୍ତି । କାହାପ୍ରତି ବିପଦ ନାହିଁ, ତେଣୁ ଅପପ୍ରଚାର ବନ୍ଦ ହେବା ଉଚିତ । ଭାରତରେ ଲୋକେ ନିଜକୁ ସୁରକ୍ଷିତ ମନେ କରିବେ, ଭାରତ ମାତାର ସନ୍ତାନ ବୋଲି ନିଜକୁ ଗର୍ବ କରିବେ, ସେତେବେଳେ ହିଁ ଭାରତ ପାଇଁ ଲାଭ ହେବ । ଭାରତର ସମ୍ବିଧାନ ନିର୍ମାତାଙ୍କ ପ୍ରତିଶ୍ରୁତି ଥିଲା ଆଫଗାନିସ୍ଥାନ, ପାକିସ୍ଥାନ ଏବଂ ବାଂଲାଦେଶରୁ ପ୍ରତାଡିତ ହୋଇ ଆସୁଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ଲକ୍ଷାଧିକ ଲୋକ ନିଜର ଧର୍ମକୁ ବଞ୍ଚାଇବା ପାଇଁ ଭାରତକୁ ଆସିଛନ୍ତି ।" ସଂଖ୍ୟାଲଘୁ ଶରଣାର୍ଥୀଙ୍କ ପାଇଁ ଆଇନ ପ୍ରଣୟନ କରି ତାଙ୍କୁ ନାଗରିକତା ଦେଇ ସମ୍ମାନର ସହ ବଞ୍ଚିବାର ରାସ୍ତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର