ଭୁବନେଶ୍ବର: ଚାକିରି ଦେବେ ମୋହନ ସରକାର । ଖୁବଶୀଘ୍ର ପୂରଣ ହେବ ହଜାର ହଜାର ଖାଲି ସରକାରୀ ପଦବୀ । ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ଖାଲି ପଡିଥିବା ଦେଢ଼ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦିଆଯିବ । ନିରପେକ୍ଷ ଓ ସ୍ବଚ୍ଛତାର ସହିତ ଏହି ପଦବୀଗୁଡିକ ପୂରଣ କରିବା ପାଇଁ ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନିଆଯିବ । ଏହାମଧ୍ୟରୁ ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ବଜେଟରେ ଘୋଷଣା କରିଛନ୍ତି ।
ସେହିପରି ରାଜ୍ୟରେ ଦାଦାନ ସମସ୍ୟା ରୋକିବାକୁ ମୋହନ ସରକାର ବଜେଟରେ ନୂଆ ଯୋଜନା କରିଛନ୍ତି । ଏହାକୁ ରାଜ୍ୟର ୩୦ଟି ବ୍ଲକରେ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ମନରେଗା ଅଧୀନରେ ଅତିରିକ୍ତ ୨୦୦ ଦିନର ଶ୍ରମ ଦିବସ ଯୋଗାଇ ଦେବାକୁ ପ୍ରସ୍ତାବ ରଖାଯାଇଛି । ଏଥିରେ ସର୍ବନିମ୍ନ ମଜୁରୀ ରହିଛି । ସମାନ ମଜୁରୀ ଦେବା ପାଇଁ ରାଜ୍ୟ ସମ୍ବଳରୁ ଅତିରିକ୍ତ ରାଶି ଯୋଗାଇ ଦିଆଯିବ । ଏଥିପାଇଁ ୫୦୦ କୋଟି ଟଙ୍କାରେ 'ମନରେଗାକୁ ରାଜ୍ୟ ସହାୟତା' କାର୍ଯ୍ୟକାରୀ ହେବ । ଏଥିସହିତ ଶ୍ରମିକଙ୍କ ଥଇଥାନ ପାଇଁ ପ୍ରତି ଜିଲ୍ଲାରେ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ଗଠନ କରାଯିବ ।
ସେହିପରି ଉତ୍କର୍ଷ ଉତ୍କଳ ନିବେଶ ସମ୍ମିଳନୀ ମାଧ୍ୟମରେ ୨୦୨୯ ସୁଦ୍ଧା ଓଡ଼ିଶକୁ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନିବେଶ ଏବଂ ୨ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ପୁଞ୍ଜି ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ଆଣିବାକୁ ସରକାର ଯୋଜନା କରୁଛନ୍ତି । ନିବେଶ ପ୍ରୋତ୍ସାହନ ଓ ପ୍ରଚାରକୁ ଆଗକୁ ବଢାଇବାକୁ ରାଜ୍ୟ ବଜେଟରେ 'ନିବେଶ ପ୍ରୋତ୍ସାହନ ଏବଂ ପ୍ରଚାର ପାଇଁ IPICOLକୁ ଅନୁଦାନ' ବାବଦକୁ ୧୨୦ କୋଟି ଟଙ୍କାର ସହାୟତା ପ୍ରସ୍ତାବ ଦେଇଛନ୍ତି । ଓଡ଼ିଶାକୁ ପୁଞ୍ଜିନିବେଶର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଏବଂ ଧାତୁଭିତ୍ତିକ ଶିଳ୍ପ ସହ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଅନ୍ୟପଟେ ଏବେ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭ ହଜାର ୭୬୧ ଶିକ୍ଷକ ପଦବୀ ଖାଲି ପଡିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୁବଶୀଘ୍ର ୧୬ ହଜାର ୫୯୧ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍କୁଲର ନିଜସ୍ବ ଜମି ନଥିବା କଥା ଅବଗତ ଅଛନ୍ତି । ସେ ଓ ରାଜସ୍ବ ମନ୍ତ୍ରୀ ଏ ଦିଗରେ ଆଲୋଚନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର