ଭୁବନେଶ୍ବର: ରାଜ୍ୟରେ ଚିନ୍ତାଜନକ ରହିଛି ବଜ୍ରପାତ ଓ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ବିଗତ 3 ବର୍ଷରେ ବଜ୍ରପାତ ନେଇଛି 1057 ଜୀବନ । ସେହିପରି ସଡକ ଦୁର୍ଘଟଣାରେ ଗତ 3 ବର୍ଷରେ ଯାଇଛି 16 ହଜାର 287 ଜୀବନ । ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
3 ବର୍ଷରେ ବଜ୍ରପାତ ମୃତ୍ୟୁ 1057:
ରାଜ୍ୟରେ ଚିନ୍ତାଜନକ ରହିଛି ବଜ୍ରପାତ ମୃତ୍ୟୁ । ବିଗତ 3 ବର୍ଷରେ ବଜ୍ରପାତ ଯୋଗୁଁ 1057 ଜଣଙ୍କ ମୃତ୍ୟୁ ହୋଇଛି । ଗତ 7 ମାସ ମଧ୍ୟରେ 201 ଜଣ ପ୍ରାଣ ହରାଇଥିବା ବେଳେ 2023-24ରେ 272 ଜଣ ପ୍ରାଣ ହରାଇଛନ୍ତି । ସେହିପରି 2022-23ରେ 306 ଜଣଙ୍କ ମୃତ୍ୟୁ ହୋଇଛି । ସର୍ବାଧିକ ମୃତ୍ୟୁ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ହୋଇଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ବଜ୍ରପାତ ମୃତ୍ୟୁରେ କେତେ ମିଳୁଛି ସହାୟତା ?
ବଜ୍ରପାତ ମୃତ୍ୟୁକୁ ରାଜ୍ୟସରକାର ଗତ 2015 ମସିହାରୁ ଷ୍ଟେଟ ‘ସେସିଫିକ୍ ଡିଜାଷ୍ଟର’ ଭାବେ ଘୋଷଣା କରିଛନ୍ତି । ବଜ୍ରପାତରେ ପ୍ରାଣ ହରାଉଥିବା ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିର ନିୟମ ଅନୁଯାୟୀ 4 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି । ଯାହାକି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ SDRF/NDRFର ସହାୟତା ରାଶି ସହ ସମାନ ଅଟେ । ତେବେ ଏହି ସହାୟତା ରାଶି ବଢାଇବା ନେଇ କୌଣସି ଯୋଜନା ନଥିବା ମନ୍ତ୍ରୀ କହିଛନ୍ତି ।
ସଡକ ଦୁର୍ଘଟଣାରେ ଯାଇଛି 16 ହଜାର 287 ମୁଣ୍ଡ:
ପ୍ରତିଦିନ ରାଜ୍ୟରେ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଯାହାକି ବେଶେ ଚିନ୍ତା ଜନକ । ସଡକ ଦୁର୍ଘଟଣାରେ ଅକାଳରେ ଝଡି ପଡୁଛି ଅନେକ ଜୀବନ । ତେବେ ଗତ 3 ବର୍ଷ ମଧ୍ୟରେ ରାଜ୍ୟରେ 16 ହଜାର 287 ଜଣଙ୍କ ଜୀବନ ଯାଇଛି । ସେହିପରି 30 ହଜାର 453 ଜଣ ଆହତ ହୋଇଛନ୍ତି । ଆଜି ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହା ମଧ୍ୟ ପଢନ୍ତୁ: ଛେଳି ଚରାଇବେ ବେଳେ ଆକାଶରୁ ଖସିଲା ମୃତ୍ୟୁ; ଚାଲିଗଲା ଜଣଙ୍କ ଜୀବନ ତଳି ରୋଇବାକୁ ଯାଇ ବଜ୍ରାଘାତରେ ଯୁବକ ମୃତ |
କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ?
ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଉଥିବା, ଫିଟନେସ ନଥିବା ଗାଡି ରାସ୍ତାରୁ ହଟାଇବା ପାଇଁ ମୋଟର ଯାନ ଆଇନ MV Act 181 ଓ 192 ଧାରା ଅନୁଯାୟୀ ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଗୃହରେ ଉତ୍ତର ରଖିଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର