ଭୁବନେଶ୍ବର: ବିଜେଡିରେ ବିଧିବଦ୍ଧ ଭାବେ ଆଜି ସାମିଲ ହୋଇଛନ୍ତି ବରିଷ୍ଠ ନ୍ୟୁରୋସର୍ଜନ ଡଃ ପ୍ରତାପ ପାଣି । ଶଙ୍ଖଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଡଃ ପ୍ରତାପ ପାଣି ବିଜେଡିରେ ମିଶିଛନ୍ତି । ବରିଷ୍ଠ ବିଜେଡି ଉପସଭାପତି ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଡକ୍ଟର ପାଣିଙ୍କୁ ଉଭୟ ବରିଷ୍ଠ ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।
ବାଙ୍ଗାଲୋର ଓଡ଼ିଆ ସମାଜର ପ୍ରତିଷ୍ଠାତା ସଦସ୍ୟ ତଥା ଏସସିବି ମେଡ଼ିକାଲ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ହେଉଛନ୍ତି ଡକ୍ଟର ପ୍ରତାପ କୁମାର ପାଣି । ଡକ୍ଟର ପ୍ରତାପ କୁମାର ପାଣିଙ୍କ ସହ ଏହି ମିଶ୍ରଣ ପର୍ବରେ ବାଙ୍ଗାଲୋର ଓଡ଼ିଆ ସମାଜର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ନିହାର ରଞ୍ଜନ ସାମନ୍ତରାୟ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଂସଦ ମାନସ ମଙ୍ଗରାଜ ଉଭୟଙ୍କୁ ଦଳରେ ସାମିଲ କରାଇଛନ୍ତି । ଦଳରେ ସାମିଲ ହୋଇଥିବା ଡକ୍ଟର ପ୍ରତାପ କୁମାର ପାଣି ଓ ନିହାର ରଞ୍ଜନ ସାମନ୍ତରାୟଙ୍କୁ ଉଭୟ ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।
ଅଧିକ ପଢନ୍ତୁ- ପଦ୍ମ ଛାଡ଼ି ପୁଣି ଶଙ୍ଖ ଫୁଙ୍କିଲେ ଦୁର୍ଗା ମାଧବ, ସମର୍ଥକଙ୍କ ସହ କଲେ ଘର ବାହୁଡ଼ା
ବିଜେଡିରେ ସାମିଲ ହେବା ପରେ ଡକ୍ଟର ପ୍ରତାପ କୁମାର ପାଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠୁ ଶ୍ରେଷ୍ଠ ଯୋଜନା । ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ପାଇଁ କରିଥିବା ଏହି ଯୋଜନା ଦେଶରେ ଚାଲୁଥିବା ଅନ୍ୟ ସ୍ବାସ୍ଥ୍ୟ କଲ୍ୟାଣୀକାରୀ ଯୋଜନାଠାରୁ ବହୁ ଊର୍ଦ୍ଧ୍ବରେ । ବର୍ତ୍ତମାନ ଚାଲିଥିବା କଟକ ଏସସିବି ମେଡ଼ିକାଲର ରୂପାନ୍ତରଣ କାର୍ଯ୍ୟ ପ୍ରଶଂସନୀୟ ଏବଂ ଆଗାମୀ ଦିନରେ ଏହା ଦେଶର ଶ୍ରେଷ୍ଠ ମେଡ଼ିକାଲ ହେବ ବୋଲି ମୋର ଆଶା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିବାବେଳେ ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର