ଭୁବନେଶ୍ବର: ରାଜ୍ୟରେ କମିବ ଖରା । ମିଳିବ ତାତିରୁ ଆଶ୍ୱସ୍ତି । ଆସୁଛି ପଶ୍ଚିମା ଝଡ଼ । ଏହା ପ୍ରଭାବରେ ତାତିରେ ଲାଗିବ ବିରାମ । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ ୫ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଅନୁଗୋଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା କରିଛି ।
ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, ଯାଜପୁରରେ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ । ଏହି ସବୁ ଅଞ୍ଚଳରେ ବର୍ଦ୍ଧିତ ତାପମାତ୍ରା ସହ ଗରମ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୨ ଦିନ ଯାଏଁ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ମାର୍ଚ୍ଚର ତୃତୀୟ ଓ ଚତୁର୍ଥ ସପ୍ତାହରୁ ତାପମାତ୍ରା ବଢିବ । ଏପ୍ରିଲ ଓ ମେ ମାସରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ହେବ ସହ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ IMDର ଗ୍ରୀଷ୍ମ ପାଣିପାଗର ଦୀର୍ଘ ଅବଧି ଆକଳନ ଅନୁସାରେ ମାର୍ଚ୍ଚ ୨୨ ପରେ ବଢିବ ତାତି । ସ୍ବାଭାବିକ ତାପମାତ୍ରାଠାରୁ ୩ କିମ୍ଵା ୪ ଡିଗ୍ରୀ ବୃଦ୍ଧି ହେବ । ଏଲ ନିନୋ ପ୍ରଭାବରେ ତାତିବ ବଙ୍ଗୋପସାଗର । ରାଜ୍ୟ ମଧ୍ୟକୁ ପ୍ରବେଶ କରିବ ଶୁଷ୍କ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ଯାହାର ପ୍ରଭାବ ରେ ବଢିବ ପାରଦ । ଗ୍ରୀଷ୍ମ ପ୍ରବାହର ଅବିଧି ବଢିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୩୭ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ମାଲକାନଗିରି । ସେହିପରି ଭୁବନେଶ୍ଵର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ୍ ରହିଥିଲା ।
ଏହା ମଧ୍ୟ ପଢନ୍ତୁ.....ଆସନ୍ତା ୩ଦିନ ସିଝିବ ଓଡ଼ିଶା, ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବ
ସେପଟେ ଦିନ ସମୟରେ ଅଧିକ ଖରା ହେବ ତେଣୁ ବୃଦ୍ଧ ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି ଓ ଅଧିକ ପାନୀୟ ଜଳ ବ୍ୟବହାର ପାଇଁ ସୂଚନା ଦିଆଯାଇଛି । ବାହାରକୁ ଆସିବା ସମୟରେ ପାଦରେ ଜୋତା ଓ ଛତା ବ୍ୟବହାର କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର
- " class="align-text-top noRightClick twitterSection" data="">