ନିଆଳି: ଦୁର୍ବିସହ ଜୀବନ ବିତାଉଛନ୍ତି ସୁର ମଲିକ ଏବଂ ତାଙ୍କ ପରିବାର । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 8 ମାସ ହେଲା ଅଧା ଗଢା ମାଟି କାନ୍ଥ ଏବଂ ଜରିପାଲ ଛାତ ମୁଣ୍ଡ ଗୁଞ୍ଜିଛନ୍ତି 6 ପ୍ରାଣୀ କୁଟୁମ୍ବ । ପେଟ ପାଇଁ ନୁହେଁ ମୁଣ୍ଡ ଗୁଞ୍ଜିବା ପାଇଁ ମୁଣ୍ତ ପିଟୁଛନ୍ତି ଏହି ଗରିବ ପରିବାର । ଅଭିଯୋଗ ଅନୁସାରେ ୨୦୦୩ ମସିହା ନଭେମ୍ବର ମାସରେ ବିଦ୍ୟୁତ ଲାଇନରୁ ଅଗ୍ନିକାଣ୍ଡ ଘଟି କଟକ ଜିଲ୍ଲା ନିଆଳି ବ୍ଳକ କୃଷ୍ଣ ପ୍ରସାଦ ପଞ୍ଚାୟତ ସ୍ଥିତ ନୂଆ ବେତଣ୍ତା ଗାଁର ସୁର ମଲିକଙ୍କର ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ତା’ ପର ଠାରୁ ଏହି ପଲିଥିନ ଛପର ଘରେ ଆଶ୍ରୟ ନେଇଛନ୍ତି ଏହି ପରିବାର । ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏମାନଙ୍କ ଦୁଃଖ ଯେମିତି ପ୍ରଶାସନ କାନରେ ପଡୁନାହିଁ । ।
ଘର କହିଲେ ସୁରଙ୍କ ପାଇଁ ଅଧା ଗଢ଼ା ମାଟି କାନ୍ଥ ଏବଂ ମୁଣ୍ଡ ଉପରେ ପଲିଥିନ ଛପର । ଆଉ ଏହି ଘରେ ଟାଇଁ ଟାଇଁ ଖରାରେ ୪ ଜଣ ପୁଅ, ଝିଅ ଏବଂ ସ୍ବାମୀ ସ୍ତ୍ରୀ ଅତି ଦୟନୀୟ ଅବସ୍ଥାରେ ଦୁର୍ବିସହ ଜୀବନ ବିତାଉଛନ୍ତି । ଗତ ନଭେମ୍ବରରେ ହୋଇଥିବା ଅଗ୍ନିକାଣ୍ଡରେ ତାଙ୍କ ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ନିଆଁ ଲିଭାଇଲା କିନ୍ତୁ ଘରେ ଆଉ କିଛି ନଥିଲା। ପରେ ନିଆଳି ତହସିଲ ଏବଂ ଆରଆଇ ପକ୍ଷରୁ ତଦନ୍ତ ହୋଇ ପକ୍କା ଘର ମିଳିବାର ପ୍ରତିଶ୍ରୁତି ଦେଇଥିଲେ ।
ନିଆଳି ବ୍ଳକ ପ୍ରଶାସନ ଚୁଡା, ଗୁଡ ଓ ଲୁଗା ଏବଂ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଖଣ୍ତିଏ ପଲିଥିନ ଦେଇ ଦାୟିତ୍ଵ ସାରିଦେଲେ । ଦେଖୁ ଦେଖୁ ଆଠ ମାସ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ଅନ୍ୟ କୌଣସି ସରକାରୀ ସହାୟତା ମିଳି ନଥିବାରୁ ସେ ଏହି ପଲିଥିନ ତଳେ ଜୀବନ ବିତାଉଛନ୍ତି। ଅନ୍ୟପକ୍ଷରେ ଏବେ ଆରମ୍ଭ ହୋଇଯାଇଛି ବର୍ଷାଦିନ । ବର୍ଷା, ପବନ ଓ ଘଡଘଡିକୁ ଦାଉରୁ କେମିତି ବଞ୍ଚିବେ ତାଙ୍କ ପାଇଁ ଏବେ ତାହା ଚିନ୍ତାର ବିଷୟ ପାଲଟିଛି ।
ସେପଟେ ସୁର ଏହି ଘଟଣାରେ କହିଛନ୍ତି "ଏବେ ବଞ୍ଚିଛୁ ଘର ଖଣ୍ଡେ ଦେଉନାହାଁନ୍ତି, କ'ଣ ମରିଗଲା ପରେ ଘରେ ଦେବେ । ପୂର୍ବତନ ବିଧାୟକ ପ୍ରମୋଦ କୁମାର ମଲ୍ଲିକ ପ୍ରତିଶ୍ରୁତି ଦେଲେ ପୂରଣ କଲେ ନାହିଁ କିମ୍ବା ତାଙ୍କ ସରକାର ଏବଂ ପ୍ରଶାସନ ଶୁଣିଲେ ନାହିଁ ।" ଅନ୍ୟପଟେ ନିଆଳିର ନୂତନ ବିଧାୟକ ଛବି ମଲ୍ଲିକଙ୍କ ଆଗରେ ସେ ତାଙ୍କ ଦୁଃଖ ଓ ଗୁହାରି ଶୁଣାଇଛନ୍ତି ସୁର ମଲିକ ଓ ତାଙ୍କ ସ୍ତ୍ରୀ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଅଘଟଣ ଘଟାଇବା ପୂର୍ବରୁ ନିଆଳି ବ୍ଳକ ପ୍ରଶାସନ ଏବଂ କଟକ ଜିଲ୍ଲା ପ୍ରଶାସନ ଅଭାବୀ ସୁର ମଲିକଙ୍କୁ ତୁରନ୍ତ ସରକାରୀ ପକ୍କା ଘର ଯୋଗାଦେଲେ ସୁରଙ୍କ ୬ ଜଣ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ସୁବିଧା ହେବ । ଏ ସମ୍ପର୍କରେ ନିଆଳି ବିଡ଼ିଓଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।
ଇଟିଭି ଭାରତ, ନିଆଳି