ରାଉରକେଲା: ଜାତୀୟ ସ୍ତରର ଫୁଟବଲ ଖେଳାଳି ବର୍ତ୍ତମାନ ବେରୋଜଗାର । ଚାକିରି ଖଣ୍ଡେ ପାଇଁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ଚାକିରି ହୋଇପାରୁନି । ଆମେ କହୁଛି ରାଉରକେଲା ସହରର ଫୁଟବଲ ଖେଳାଳି ଜନ୍ମ ଖେସଙ୍କ କଥା। ପରିବାରରେ ଆର୍ଥିକ ଅଭାବ ରହିଥିବାରୁ ପିଲାଦିନେ ପାଦକୁ ଜୋତା ହଳେ କିଣିପାରୁନଥିଲେ । ଖାଲି ପାଦରେ ଫୁଟବଲ ପଛରେ ଦୌଡ଼ୁଥିଲେ ଓ ଖଣ୍ଡିଆ ଖାବରା ହେଉଥିଲା। କିନ୍ତୁ ସେ ଯନ୍ତ୍ରଣା ତାଙ୍କୁ ବାଧୁ ନ ଥିଲା । କାରଣ ଖେଳିବା ନିଶା ଥିଲା ତାଙ୍କର ।
ଧୀରେ ଧୀରେ ଜୁନିୟରରୁ ସିନିୟର ବର୍ଗରେ ଖେଳିଲେ ଜନ୍ମ ଖେସ। ଏକାଧିକ ଥର ଜାତୀୟ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି । ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସନ୍ତୋଷ ଟ୍ରଫିରେ ନିଜର ଜଲବା ଦେଖାଇଛନ୍ତି ଜନ୍ମ । କିନ୍ତୁ ଖେଳ ଛାଡ଼ିବା ପରେ ସରକାରୀ ବା ବେସରକାରୀ ଚାକିରି ପଛରେ ଦୌଡ଼ି ଦୌଡ଼ି ଥକି ପଡ଼ିଲେଣି । ଶେଷରେ କିଛି ରୋଜଗାରର ଉପାୟ ନପାଇ ବର୍ତ୍ତମାନ ବେରୋଜଗାର ହୋଇ ପଡିଛନ୍ତି । ପାଖରେ ଖେଳ ସାର୍ଟିଫିକେଟ ମଧ୍ୟ ରହିଛି କିନ୍ତୁ ଚାକିରି ଖଣ୍ଡେ ମିଳୁନି । ଫୁଟବଲ କୋଚ୍ ବାନଚେତ ଅନ୍ୟ କିଛି ଚାକିରି ଯୋଗାଇ ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଜାତୀୟସ୍ତରର କବାଡ଼ି ଖେଳାଳି ଏବେ ଦିନ ମଜୁରିଆ, ପେଟ ପାଟଣା ପାଇଁ କରୁଛନ୍ତି ସଂଘର୍ଷ
ଫୁଟବଲ ଖେଳି ବେଶ୍ ପ୍ରଶଂସା ସାଉଣ୍ଟିଥିବା ଜନ୍ମ ବର୍ତ୍ତମାନ ଭବିଷ୍ୟତକୁ ନେଇ ଚିନ୍ତାରେ । ପାଠ ପଢ଼ିବା ସମୟରେ ତାଙ୍କର ଉଚ୍ଚକୋଟିର ଖେଳ ପ୍ରଦର୍ଶନ ଦେଖି ସ୍କୁଲର ସାର ତାଙ୍କୁ ଉତ୍ସାହିତ କରୁଥିଲେ । ୨୦୧୦ ରୁ ଖେଳ ଆରମ୍ଭ କରିଥିବା ଜନ୍ମ ସୁନ୍ଦରଗଡ଼ ମାଟି ରାଉରକେଲାରେ ରହି ଖେଳ ପ୍ରଦର୍ଶନ ଜାରି ରଖିଥିଲେ। ମଧ୍ୟଭାଗ ଖେଳାଳି ଭାବେ ୧୯ ବର୍ଷରୁ କମ୍ ଫୁଟବଲରେ ଜାତୀୟ ସ୍ତରରେ ଖେଳିଛନ୍ତି। ସନ୍ତୋଷ ଟ୍ରଫିରେ ଓଡିଶାରୁ ଖେଳିବା ପାଇଁ ସୁଯୋଗ ପାଇଥିଲେ । ବିଭିନ୍ନ ସ୍ପୋର୍ଟିଂ କ୍ଳବ ଓ ଫାଓ ପକ୍ଷରୁ ମଧ୍ୟ ଖେଳିଛନ୍ତି। ୨୦୧୭ ମସିହାରୁ ଜନ୍ମ ଖେସ ସରକାରୀ ଏବଂ ବେସରକାରୀ ଚାକିରି ପାଇଁ ଆବେଦନ କରି ଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଚାକିରିଟିଏ ମିଳି ପାରିନାହିଁ । ରୋଜଗାର ନକଲେ ଆମକୁ କିଏ ଖାଇବାକୁ ଦେବ ବୋଲି କୋହଭରା କମ୍ଟରେ କହିଛନ୍ତି ଜନ୍ମ । ‘ବାପା,ମାଆ ବୁଢ଼ାବୁଢ଼ୀ ହୋଇ ଗଲେଣି । ସେମାନେ ଯଦି କାମ କରିବାକୁ ଯିବେ ତା’ହେଲେ ଲୋକେ ଆମକୁ କ’ଣ କହିବେ। '' ଏକଥା ଭାବି ବର୍ତ୍ତମାନ ଚିନ୍ତାରେ ଜନ୍ମ ଖେସ।
ରାଜ୍ୟରେ କ୍ରୀଡାବିତଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ସରକାର । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କିପରି ଓଡିଶା ଖେଳାଳି ଭଲ ପ୍ରଦର୍ଶନ କରିବେ ତାହା ଉପରେ ଅଧିକ ଦୃଷ୍ଟି ଦେଉଛନ୍ତି । ଭଲ ଖେଳ ପ୍ରଦର୍ଶନ କଲେ ପ୍ରୋତ୍ସାହନ ରାଶି ମଧ୍ୟ ଦେଉଛନ୍ତି । କିନ୍ତୁ ଜନ୍ମ ଜାତୀୟ ସ୍ତରରରେ ଖେଳିଥିଲେ ମଧ୍ୟ ତାଙ୍କ ଉପରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ପଡିନାହିଁ । କ୍ରୀଡ଼ାବିତଙ୍କ ପାଇଁ ରାଜ୍ୟ ସରକାର କେତେ ଯତ୍ନବାନ ତାହା ଏହି ଚିତ୍ରରୁ ସ୍ପଷ୍ଟ ପ୍ରମାଣିତ।
ଇଟିଭି ଭାରତ, ସୁନ୍ଦରଗଡ