ଭୁବନେଶ୍ବର: ଦଶହରା ଅବସରରେ ସରକାରୀ କର୍ମଚାରୀଙ୍କୁ ବଡ ଭେଟି ଦେଇଛନ୍ତି ମୋହନ ସରକାର । ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ଜାନୁଆରୀ ପହିଲାରୁ ଏହା ପିଛିଲା ଭାବେ ଲାଗୁ ହେବ । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ ନିୟମିତ କର୍ମଚାରୀ ଅବସର କିମ୍ବା ମୃତ୍ୟୁକାଳୀନ ଭାବେ ଏହାର ଲାଭ ପାଇବେ ।
ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚୁଇଟି (DCRG)କୁ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଜାନୁଆରୀ ୧ରୁ ପିଛିଲା ଭାବରେ ଲାଗୁ କରାଗଲା । ରାଜ୍ୟର ବିଭିନ୍ନ ସେବା ସଙ୍ଗଠନଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଜାନୁଆରୀ ପହିଲାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚୁଇଟିକୁ ବୃଦ୍ଧି କରିସାରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏବେ ଗ୍ରାଚୁଇଟି ରାଶି ବୃଦ୍ଧି କରିଛନ୍ତି ।
- 20 ଲକ୍ଷରୁ 25 ଲକ୍ଷକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର:
ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ସମସ୍ତ କେନ୍ଦ୍ରୀୟ ସଂସ୍ଥା ଓ ସେବାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଗ୍ରାଚୁଇଟି ରାଶି ବୃଦ୍ଧି କରିଥିଲା । ଏହାକୁ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଥିଲା । ପୂର୍ବରୁ କେନ୍ଦ୍ରୀୟ ଗ୍ରାଚୁଇଟି ରାଶି ସୀମା 20 ଲକ୍ଷ ଟଙ୍କା ଥିଲା । କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ କିମ୍ବା ସେବାରୁ ଅବସର ଗ୍ରହଣ କଲେ ଏହି ରାଶି ସେମାନେ ପ୍ରାପ୍ତ କରିଥାନ୍ତି । ସପ୍ତମ ବେତନ କମିଶନର ସୁପାରିଶ କ୍ରମେ ଏହାକୁ ବୃଦ୍ଧି କରାଯାଇ 25 ଲକ୍ଷ କରିଥିଲେ ମୋଦି ସରକାର । ରାଜ୍ୟରେ ମଧ୍ୟ ଏହି ରାଶିକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଥିଲା । ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ନୂଆବର୍ଷରୁ ପିଛିଲା ଭାବେ ଲାଗୁ କରିଛନ୍ତି ମୋହନ ମାଝୀ ସରକାର ।
ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
— I & PR Department, Odisha (@IPR_Odisha) October 8, 2024
ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ…
କର୍ମଚାରୀଙ୍କୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ ପାଇଁ ଦାବି:
ପୁରୁଣା ପେନସନ ଆନ୍ଦୋଳନର ସଭାପତି ବିଜୟ ମଲ୍ଲ କହିଛନ୍ତି, "ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ୧୫ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପିଛିଲା ଭାବେ ଏହା ୨୦୨୪ ଜାନୁଆରୀ ୧ରୁ ଲାଗୁ ହେବ । ସେଥିପାଇଁ ସବୁ ବର୍ଗର କର୍ମଚାରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । କେନ୍ଦ୍ର ସରକାରଙ୍କ ପରି ଗ୍ରାଚୁଇଟି ୧୫ ଲକ୍ଷରୁ ୨୫ ଲକ୍ଷ କରିବେ ବୋଲି ଆଶା ଥିଲା । ସ୍ୱାସ୍ଥ୍ୟ ବୀମା ଓ ପୁରୁଣା ପେନସନ ବ୍ୟବସ୍ଥା ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଲାଗୁ କରିବେ ବୋଲି ଆଶା ରଖିଛୁ ।"
ରାଜ୍ୟରେ କାମ କରୁଥିବା କର୍ମଚାରୀ ଦୂରାରୋଗ୍ୟର ଶିକାର ହୋଇ ଅର୍ଥାଭାବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସବୁ ବର୍ଗର କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସ୍ବାସ୍ଥ୍ୟବୀମା ଲାଗୁ କରିବାକୁ ଦାବି ରହିଛି । ରାଜ୍ୟର ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ ଦେଇ ସରକାରୀ ସ୍ତରରେ ସ୍ୱାସ୍ଥ୍ୟ ଯୋଜନା ଲାଗୁ ରହିଛି । ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ କାର୍ଡ ପାଇଁ ରାଜ୍ୟ ସରକାରୀ କର୍ମଚାରୀ ଅପେକ୍ଷାରତ ଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଲାଭବାନ ହୋଇଥିଲେ ମଧ୍ୟ ଅଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ ବାଦ ପଡିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର