ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଶନିବାର) ଭୀମ ଭୋଇ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟନ କରିଥିଲେ । ଏହି ସମୟରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଧାରୁ ମଞ୍ଚ ଛାଡ଼ିଥିଲେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ରାଜନୀତି ଚାଲିଛି । ମେଡିକାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହାର ଉଦଘାଟନ ସ୍ଥାନୀୟ ଲୋକଙ୍କୁ ଅପମାନ ବୋଲି ଆଣିଲେ ଅଭିଯୋଗ ।
ସଭା ଆରମ୍ଭ ହୋଇ କିଛି ସମୟ ଚାଲିବା ପରେ ହଠାତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନରସିଂହ ମିଶ୍ର ନିଜ ଚେୟାରରୁ ଉଠି ପଡ଼ିଥିଲେ ଏବଂ କେହି କିଛି ବୁଝିବା ଆଗରୁ ସେ ସଭାସ୍ଥଳ ଛାଡ଼ି ପଳାଇଥିଲେ । ତେବେ ଏହି ଘଟଣାରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, "ପ୍ରଥମତଃ ହସ୍ପିଟାଲ କାମ ସମ୍ପୂର୍ଣ୍ଣ ହୋଇନାହିଁ । ସେଥିରେ ପୁଣି ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଶସ୍ତା ରାଜନୀତି କରି ଏହାର ଉଦଘାଟନ କରୁଛନ୍ତି । ଯାହା ଅତ୍ୟନ୍ତ ଦୁଃଖର ବିଷୟ । ସେହିପରି ଏଠି ସଭାରେ କେବଳ ବିଜେଡି ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଉଛି ହେଲେ ଅନ୍ୟମାନଙ୍କୁ ସେଥିରୁ ବାରଣ କରାଯାଉଛି । ସରକାର ଏଠିକାର ଲକ୍ଷାଧିକ ଲୋକଙ୍କୁ ମିଛ କହୁଛନ୍ତି ।"
ଏହା ବି ପଢନ୍ତୁ- ବଲାଙ୍ଗୀର ବିକାଶକୁ ନେଇ ଶ୍ରେୟ ରାଜନୀତି, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ
ଆଜିର ଏହି ହସ୍ପିଟାଲ ଉଦଘାଟନ ସଭାକୁ ସେ ସ୍ଥାନୀୟ ବିଧାୟକ ଭାବରେ ଲୋକଙ୍କ ପ୍ରତିନିଧିତ୍ଵ କରିବା ପାଇଁ ଆସିଥିଲେ । ହେଲେ ଏଠାରେ ତାଙ୍କୁ ସମ୍ମାନ ମିଳିନାହିଁ ଅର୍ଥାତ ଏଠିକାର ଲୋକ ଓ ଭୋଟରଙ୍କୁ ସରକାର ଅସମ୍ମାନ କରିଥିବା ସେ ଅଭିଯୋଗ ଆଣିଛନ୍ତି । ସେହିପରି ସରକାରୀ କାର୍ଯ୍ୟକ୍ରମରେ ଏଠି ବିଜେଡି ଲୋକ ନେତା ରାଜନୀତି କରିଛନ୍ତି । ଏହାର ପ୍ରତିବାଦ ସ୍ବରୂପ ସେ ମଞ୍ଚ ଛାଡ଼ି ପଳାଇ ଆସିଥିବାର କହିଛନ୍ତି । ଏହି ସଭାରେ କେବଳ ବିଜେଡି ଲୋକଙ୍କୁ କହିବାକୁ ଦିଆଯାଇଥିବା ବେଳେ ତାଙ୍କୁ ବାଦ ଦିଆଯାଇଥିବା ସେ କହିଛନ୍ତି । ସରକାର ସରକାରୀ କାର୍ଯ୍ୟକ୍ରମ ନାଁରେ ଦଳୀୟ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ନରସିଂହ ।
ନରସିଂହ ଆହୁରି କହିଛନ୍ତି ଯେ ବିଜେଡି ନେତା କେବଳ ଗୁଣ ଗାନ କରୁଥିବା ବେଳେ ସେମାନେ ବିକାଶ ଚାହୁଁନାହାନ୍ତି । ଲୋକେ ଏହାକୁ ବୁଝିଗଲେଣି ଓ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି । ଏପଟେ ଏହି ଅଭିଯୋଗକୁ ନେଇ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, "ସରକାର ରାଜନୀତି ନୁହେଁ କାମ କରିଛନ୍ତି । ଏହାକୁ ବିରୋଧ କରିବା ଭୁଲ ଅଭିଯୋଗ ଆଣିବା ଲୋକ ହିଁ ରାଜନୀତି କରୁଛି । ବିକାଶରେ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ଅଛି ।" ସେହିପରି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ସଭା ସ୍ଥଳରୁ କିଏ ଗଲା କିଏ ଆସିଲା ତାର ମହତ୍ତ୍ଵ ନାହିଁ । ଏଠି ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକତା ଥିବା ବେଳେ ହିଂସା ଅହଙ୍କାର ଛାଡ଼ି ବିକାଶ ପାଇଁ ଏକ ହେବା ଉଚିତ ।"
ଇଟିଭି ଭାରତ, ବଲାଙ୍ଗୀର