ବରଗଡ଼/ସମ୍ବଲପୁର: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ବେଳେ ବର୍ବର କାଣ୍ଡ । ଯାତ୍ରା ବୁଲି ଯାଇଥିବା ଜଣେ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । 12 ତାରିଖରୁ ଯୁବତୀ ଜଣକ ନିଖୋଜ ରହିଥିବା ବେଳେ ପରଦିନ (13 ତାରିଖରେ) ତାଙ୍କୁ ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା । ସେପଟେ ଅଭିଯୋଗକୁ ଦୀର୍ଘ 4 ଦିନ ବିତିଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କିମ୍ବା ଗିରଫ କରିପାରିନି ।
- କ'ଣ ଥିଲା ପୂରା ଘଟଣା ?
ଅଭିଯୋଗ ଅନୁସାରେ, ବରଗଡ଼ ସହର ଉପକଣ୍ଠ ଏକ ଗ୍ରାମର ଜଣେ 24 ବର୍ଷୀୟା ଯୁବତୀ ଗତ ରବିବାର ଦିନ 12 ତାରିଖ ଅପରାହ୍ନ 4ଟା ସମୟରେ ଧନୁଯାତ୍ରା ଦେଖିବା ପାଇଁ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ରାତ୍ରି 10ଟା 30 ସମୟରେ ଫୋନ ମାଧ୍ୟମରେ ସୂଚନା ପାଇଥିଲେ ଯେ, ତାଙ୍କ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ କୁର୍ଲା ଜଙ୍ଗଲ ମଧ୍ୟରେ ପଡ଼ିରହିଛି । ଖବର ପାଇବା ପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ସହିତ ଘଟଣାସ୍ଥଳରେ ଅନେକ ଖୋଜାଖୋଜି କରିଥିଲେ ବି ପାଇନଥିଲେ । ମଙ୍ଗଳବାର ଏକ ଅଜଣା ଫୋନ କଲ ପାଇବା ପରେ ନର୍ଲା ଜଙ୍ଗଲରୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଦୁର୍ବୃତ୍ତ ଯୁବତୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ କରି ଜଙ୍ଗଲକୁ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
- ଅଜଣା ନମ୍ବରରୁ ଆସିଥିଲା ଫୋନ, ଜଙ୍ଗଲରୁ ଉଦ୍ଧାର ହେଲେ ଯୁବତୀ
ସ୍ଥାନୀୟ ବାସିନ୍ଦା ହିମାଂଶୁ ବେହେରାଙ୍କ କହିବା କଥା, "ମଙ୍ଗଳବାର ଦିନ ପୁଣି ଏକ ଅଜଣା ନମ୍ବରରୁ କଲ ଆସିଥିଲା ଯେ, ତାଙ୍କ ଝିଅ କୁର୍ଲା ଜଙ୍ଗଲ ମଧ୍ୟରେ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଛି । ନେଇଯିବାକୁ କଲ କରିଥିବା ବ୍ୟକ୍ତି ଜଣକ କହିଥିଲେ । ତେବେ ସଙ୍ଗେ ସଙ୍ଗେ ପରିବାର ଲୋକେ ପୋଲିସକୁ ଖବର ଦେବା ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜଙ୍ଗଲ ମଧ୍ୟରେ ପୀଡିତା ଜଣକ ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ସଙ୍ଗେ ସଙ୍ଗେ ପୀଡିତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଅଣାଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଥିଲା ।" ପୀଡିତାଙ୍କ ବଡ ଭଉଣୀ ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି ।
- 4 ଦିନ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି
ପୀଡିତାଙ୍କୁ ନ୍ୟାୟ ଦାବିରେ ଆଜି ପୀଡ଼ିତାଙ୍କ ପରିବାର ଓ ଗ୍ରାମବାସୀ ବରଗଡ଼ ଭଟଲି ରାସ୍ତାରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ l ଘଟଣାକୁ ୪ ଦିନ ବିତିଥିଲେ ବି ପୋଲିସ ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ପୋଲିସ ନିଜେ ପୀଡ଼ିତାଙ୍କ ପୋଷାକକୁ ଫିଙ୍ଗିଦେବାକୁ କହି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ସ୍ଥାନୀୟ ବାସିନ୍ଦା ଜ୍ୟୋସ୍ନା ପାଇକଙ୍କ କହିବା କଥା, ଆମେ ଆଇନ କାନୁନ ବିଷୟରେ ଜାଣିନାହୁଁ । ପୋଲିସ ସେସବୁ ବିଷୟରେ ଭଲଭାବେ ଅବଗତ । ତେଣୁ ଝିଅର ପୋଷାକ ସେମାନେ ରଖିବା କଥା । ଫୋପାଡି ଦେଇ ପରେ ଆମକୁ ମାଗିଲେ ଆମେ କି ପରି ଦେବୁ ? "

- ନ୍ୟାୟ ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ୍:
ସକାଳ 8 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ନ୍ୟାୟ ପାଇଁ ଅଡି ବସିଥିଲେ ଗ୍ରାମବାସୀ । ଦୀର୍ଘ 6 ଘଣ୍ଟା କାଳ ରାସ୍ତାରୋକ ପରେ ପୋଲିସ ପହଞ୍ଚି 48 ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଗିରଫ କରାଯିବ ଏବଂ ପ୍ରଶାସନ ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହାପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ ।ଏନେଇ ଅତିରିକ୍ତ ଏସପି ଶିବ ପ୍ରସାଦ ବିଶ୍ୱାଳ କହିଛନ୍ତି , ଗ୍ରାମବାସୀଙ୍କ ଯାହା ଦାବି ରହିଥିଲା ଶୁଣିଲୁ । ଅଭିଯୁକ୍ତକୁ ଖୁବଶୀଘ୍ର ଧରିବାକୁ ଚେଷ୍ଟା କରୁଛୁ । ପୋଲିସ ତତ୍ପରତାର ସହ କାର୍ଯ୍ୟ କରୁଛି । ପୀଡିତାଙ୍କ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବହନ କରିବ ।"

ଏହା ବି ପଢନ୍ତୁ...ଝିଅକୁ ଦୁଷ୍କର୍ମ ମାମଲାରେ ବାପାକୁ ଆଜୀବନ, ୪ ବର୍ଷ ପରେ ସଜା ଏହା ବି ପଢନ୍ତୁ...ମା’ ସହ ଅନୈତିକ ସମ୍ପର୍କ: ନାବାଳିକା ଝିଅକୁ ଦୁଷ୍କର୍ମ, ସଜ୍ଜା ଶୁଣାଇଲେ କୋର୍ଟ ଏହା ବି ପଢନ୍ତୁ...ଜେଲରେ ପ୍ରତିଶୋଧ ନିଆଁରେ ଜଳୁଥିଲା ପ୍ରେମିକ, ବେଲରେ ଆସି ନାବାଳିକାକୁ କଲା 6 ଖଣ୍ଡ |
- ନ୍ୟାୟ ମାଗିଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍:
ସେପଟେ ଆଜି ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ ଭୀମସାର ମେଡିକାଲକୁ ଯାଇ ପୀଡିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛି । ଏହାପରେ ସେମାନେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ IG ଉପସ୍ଥିତ ନଥିବାରୁ ବିଜେଡିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସେଠାରୁ ଫେରିଯାଇଛନ୍ତି । ତେବେ ଉତ୍ତରାଞ୍ଚଳ ଅଫିସକୁ ନଆସିବାରୁ ସ୍ନେହାଙ୍ଗିନୀ ଛୁରିଆ ଅସନ୍ତୋଷ ପ୍ରକାଶ କରିଛନ୍ତି l ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ସମ୍ବଲପୁର ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟକୁ ଆସିଛୁ । ହେଲେ IG ଙ୍କର ଦେଖା ମିଳୁନାହିଁ । ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ଗତ 12 ତାରିଖରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ବେଳେ ଏଭଳି ଘଟଣା ଘଟିଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଆସିଥିଲେ ଓ ସୁରକ୍ଷା ବ୍ୟବସ୍ଥା ରହିଥିଲା । ଆମେ ଦାବି କରୁଛୁ ପୋଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ଓ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉ । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି l "
