ଭବାନୀପାଟଣା: ୨୦୨୩ ପରଠାରୁ, ବେଦାନ୍ତ ଲିମିଟେଡ୍ ଦ୍ୱାରା ସିଜିମାଳୀ ବକ୍ସାଇଟ୍ ଖଣି ଖନନ ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି । ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅନୁମତି ପାଇବା ଦିଗରେ ପ୍ରସ୍ତାବ ଅଗ୍ରଗତି ହୋଇଛି । ଯାହା ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କ ଅଧିକାରକୁ ଉଲ୍ଲଙ୍ଘନ କରୁଛି ବୋଲି ବିଭିନ୍ନ ମାନବାଧିକାର ଓ ନାଗରିକ ଅଧିକାର ସଂଗଠନ ତରଫରୁ ଏକ ତଥ୍ୟାନୁସନ୍ଧାନୀ ଦଳ ସଂପୃକ୍ତ ଅଞ୍ଚଳ ଗସ୍ତ କରିବା ପରେ ଅଭିଯୋଗ କରିଛନ୍ତି ।
ଭବାନୀପାଟଣାର ବାହାଦୁରବଗିଚା ପଡା ଗୋଷ୍ଠୀକେନ୍ଦ୍ରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅନୁସନ୍ଧାନୀ ଦଳ ସିଜିମାଳୀ ଖଣିଖନନ ପ୍ରସଙ୍ଗକୁ କର୍ପୋରେଟ୍-ରାଜନୈତିକ ସଂପର୍କ ଓ ଅସାଧୁ ମେଣ୍ଟର ଚକ୍ର ଭାବେ ବର୍ଣ୍ଣନା କରିଛନ୍ତି । ସିଜିମାଳୀ ଖଣିଖନନ ଏବଂ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗ ସଂପର୍କରେ ଏକ ନିରପେକ୍ଷ ଅନୁସନ୍ଧାନ କରିବାକୁ, ପିପୁଲ୍ସ ୟୁନିଅନ ଫର ସିଭିଲ ଲିବର୍ଟିସ୍(ପିୟୁସିଏଲ୍), ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ(ସି.ଏସ୍.ଡି), ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଏବଂ ରାଷ୍ଟ୍ର ଦମନ ଓ ଯୌନ ହିଂସା ବିରୋଧରେ ମହିଳା(ଡବ୍ଲୁ.ଏସ୍.ଏସ୍) ପକ୍ଷରୁ ଏହି ତଥ୍ୟାନୁସନ୍ଧାନୀ ଦଳ ଏପ୍ରିଲ୍ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୨ ଟି 'ପ୍ରଭାବିତ' ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସହିତ ଜିଲ୍ଲାର ବିଭିନ୍ନ ପଦାଧିକାରୀଙ୍କ ମତାମତ ନେଇଥିଲେ ।
ସେହିପରି ଏପ୍ରିଲ୍ ୩, ୨୦୨୪ରେ ତଥ୍ୟାନୁସନ୍ଧାନୀ ଦଳ ରାୟଗଡା ଜିଲ୍ଲାର ପୋଲିସ ଅଧୀକ୍ଷକ ହରିଶ୍ ବି.ସି., କଳାହାଣ୍ଡି ଜିଲ୍ଲା ଅତିରିକ୍ତ ପୋଲିସ ଅଧୀକ୍ଷକ, କଳାହାଣ୍ଡିର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ତନ୍ମୟ କୁମାର ଦାରୁୱାନ୍, କଳାହାଣ୍ଡି (ଦକ୍ଷିଣ)ର ଡିଭିଜନାଲ ଫରେଷ୍ଟ ଅଫିସର୍ ତଥା ବନ୍ୟପ୍ରାଣୀ ୱାର୍ଡେନ ଆର୍. କାଲାଇଭାନନଙ୍କ ସହ ସାକ୍ଷାତ କରିଥିଲେ । ଏହି ତଥ୍ୟାନୁସନ୍ଧାନୀ ଦଳରେ ପିୟୁସିଏଲ୍ (PUCL) ପକ୍ଷରୁ ଐଶ୍ୱର୍ଯ୍ୟା ରବିକୁମାର, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ( CAFC) ପକ୍ଷରୁ ନରେନ୍ଦ୍ର ମହାନ୍ତି, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (CSD)ର ପ୍ରତିନିଧି, ରାଷ୍ଟ୍ର ଦମନ ଓ ଯୌନ ହିଂସା ବିରୋଧରେ ମହିଳା (ଡବ୍ଲୁ.ଏସ୍.ଏସ୍) ପକ୍ଷରୁ ଶରଣ୍ୟା ନାୟକ, ସାମ୍ବାଦିକା ଗାର୍ଗୀ ଶତପଥି,ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ରାଣ୍ଡେଲ୍ ସେକ୍ୟୁରା ଏବଂ ମୁକ୍ତବୃତ୍ତ ସାମ୍ବାଦିକ ରାଜାରମଣ ସୁଦର୍ଶନ ପ୍ରମୁଖ ସାମିଲ ହୋଇଥିଲେ ।
ବେଦାନ୍ତ ଲିମିଟେଡ୍ ଦ୍ଵାରା ଦାଖଲ ହୋଇଥିବା ପ୍ରସ୍ତାବ ଏବଂ ବିଭିନ୍ନ ଦସ୍ତାବିଜ୍ ଅନୁଯାୟୀ, ପ୍ରସ୍ତାବିତ ଖଣି ଲିଜ୍ କ୍ଷେତ୍ର ୧୫୪୦ ହେକ୍ଟର ଅଟେ ଏବଂ ଏହା କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁର ବ୍ଲକ୍ ଏବଂ ରାୟଗଡା ଜିଲ୍ଲାର କାଶିପୁର ବ୍ଲକର ୧୮ଟି ଗାଁକୁ ପ୍ରଭାବିତ କରୁଛି । ଏହି ଅଞ୍ଚଳଗୁଡିକ ସମ୍ବିଧାନର ୫ମ ଅନୁସୂଚୀତ କ୍ଷେତ୍ରର ଅନ୍ତର୍ଭୁକ୍ତ, ଯାହାକି ଜଙ୍ଗଲ ଜମିକୁ କୌଣସି ଅଣ-ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପୂର୍ବରୁ ଗ୍ରାମ ସଭାଗୁଡ଼ିକର ସମ୍ମତି ଆବଶ୍ୟକ କରେ । ପରିବେଶ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ କମ୍ପାନୀ ବର୍ତ୍ତମାନ ଏହି ପ୍ରସ୍ତାବ ଅନୁମୋଦନ ପାଇଁ ପରିବେଶ ଅନୁମତିକୁ ଅପେକ୍ଷା କରିଛି । ଯଦିଓ ୱେବସାଇଟରେ ଦଲିଲ ଗୁଡିକ ମାଧ୍ୟମରେ କମ୍ପାନୀ ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ ଉଦ୍ଦେଶ୍ୟରେ ସ୍ଥାନାନ୍ତର କରିବା ନିମନ୍ତେ ଗ୍ରାମ ସଭାଗୁଡ଼ିକର ସମ୍ମତି ହାସଲ କରିଛନ୍ତି ବୋଲି ଦାବି କରିଛନ୍ତି, ତାହା ମିଥ୍ୟା, କପୋଳକଳ୍ପିତ, ଜାଲିଆତି ଓ ବଳପୂର୍ବକ ଭାବରେ କରାଯାଇଛି ବୋଲି ତଥ୍ୟାନୁସନ୍ଧାନୀ ଦଳ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ସିଜିମାଳି ଖଣି ଖନନକୁ ସମର୍ଥନ, କାଶୀପୁରରେ ବିଶାଳ ଶୋଭାଯାତ୍ରା
ଗତ ଅଗଷ୍ଟ ମାସରେ ସ୍ଥାନୀୟ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ୨୪ ଜଣଙ୍କୁ ଗିରଫ କରିବା ଏବଂ ସେମାନଙ୍କୁ ୩ ମାସରୁ ଅଧିକ ସମୟ କାରାଗାରରେ ରଖିବା ପରେ ୧୪ ସେପ୍ଟେମ୍ବର ୨୦୨୩ରେ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ସର୍ବସାଧାରଣଙ୍କ ନିମନ୍ତେ ପ୍ରକାଶ ପାଇଥିଲା । ପରିବେଶ ପ୍ରଭାବ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ବକ୍ସାଇଟ୍ ଖଣି ମଧ୍ୟ ୧୮ଟି ଗାଁ ମଧ୍ୟରୁ ୨ଟି ଗାଁ ତିଜିମାଲି ଏବଂ ମାଲିପଦରକୁ ସ୍ଥାନାନ୍ତର କରିବ । ମେ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍ ଏବଂ ଏହାର ଚୁକ୍ତିଭିତ୍ତିକ କମ୍ପାନୀ ମୈତ୍ରୀ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ବିରୋଧରେ ତିଜିମାଲି ପାହାଡରେ ଏବଂ ଆଖପାଖରେ ରହୁଥିବା ଗ୍ରାମବାସୀଙ୍କ ଦ୍ଵାରା ଦୃଢ଼ ବିରୋଧ ଜାରି ରହିଛି । ଗଣତାନ୍ତ୍ରିକ ବିରୋଧକୁ ଦମନ କରିବା ପାଇଁ ମନୋମୁଖୀ ଭାବେ ଗିରଫ, ପୋଲିସ୍ ଅତ୍ୟାଚାର, ଜେଲରେ ଗିରଫ୍ ବ୍ୟକ୍ତି ମାନଙ୍କ ସହ ସାକ୍ଷାତକାର ପାଇଁ ଅନୁମତି ନଦେବା ଲୋକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାର ମୌଳିକ ଅଧିକାରର ଚରମ ଉଲ୍ଲଙ୍ଘନ ବୋଲି ତଥ୍ୟାନୁସନ୍ଧାନୀ ଦଳ ମତପ୍ରକାଶ କରିଛନ୍ତି । ବିଭିନ୍ନ ଗାଁର ଗ୍ରାମବାସୀଙ୍କ ସହ ହୋଇଥିବା ଆଲୋଚନାରୁ ଜଣାପଡିଛି ଯେ, ସିଜିମାଲି ବକ୍ସାଇଟ୍ ଖଣି ପ୍ରସ୍ତାବ ବିଷୟରେ କମ୍ପାନୀ କିମ୍ବା ସରକାରଙ୍କ କୌଣସି ଅଧିକାରୀ ଲୋକଙ୍କୁ ଜଣାଇ ନାହାଁନ୍ତି । ଅକ୍ଟୋବର ୨୦୨୩ରେ ହୋଇଥିବା ଜନ ଶୁଣାଣି ପର୍ଯ୍ୟନ୍ତ, ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଏ ବିଷୟରେ ବିଷଦ ଭାବେ ଅବଗତ କରାଯାଇ ନାହିଁ ।
ସୂଚନା ଅଧିକାର ଆବେଦନ ନଂ: ୫୧୧୪ / RTI ତାରିଖ ୯.୦୧.୨୦୨୪ ରେ, କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, କଳାହାଣ୍ଡି (ଜିଲ୍ଲା କଲ୍ୟାଣ ବିଭାଗ) ୮.୨.୨୦୨୪ ରେ ଦଲିଲ ପ୍ରକାଶ କରିଥିଲା, ଯେଉଁଥିରେ ତାଲାମପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ “ସମସ୍ତ ଔପଚାରିକତା / ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ”ତିଜିମାଲି ଏବଂ ଚୁଲବାଡି ଜଙ୍ଗଲ ଜମିର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଦଲିଲ ଗୁଡ଼ିକ ମଧ୍ୟ ଦାବି କରୁଛି, “ଗ୍ରାମ ସଭାଗୁଡ଼ିକ ପ୍ରସ୍ତାବିତ ପରିବର୍ତ୍ତନ ଏବଂ କ୍ଷତିପୂରଣ ଭଳି ପଦକ୍ଷେପ ଗ୍ରହଣ ପାଇଁ ସମ୍ମତି ଦେଇଛନ୍ତି ଏବଂ ପ୍ରସ୍ତାବିତ ପରିବର୍ତ୍ତନ ଉଦ୍ଦେଶ୍ୟ ଏବଂ ସବିଶେଷ ତଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ବୁଝିଛନ୍ତି ।” ସେହିପରି ୯.୧.୨୦୨୪ ର ଆରଟିଆଇ ଆବେଦନ ନମ୍ବର: ୦୦୦୦ / XXI-70 / ୨୦୨୪ର ଜବାବରେ, ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ରାୟଗଡା, ସୁଙ୍ଗେର ଗ୍ରାମ ପଞ୍ଚାୟତର ଆଠଟି ଗ୍ରାମରୁ ଗ୍ରାମସଭା ପ୍ରସ୍ତାବ ଗୁଡ଼ିକର କପି ପ୍ରକାଶ କରିଥିଲେ, ଯେଉଁଥିରେ ଜଙ୍ଗଲ ଜମିର ପ୍ରସ୍ତାବିତ ପରିବର୍ତ୍ତନ ଲୋକମାନେ ସମ୍ମତି ଦେଇଛନ୍ତି ବୋଲି ଦର୍ଶାଇଛନ୍ତି । କିନ୍ତୁ ଏହି ସମସ୍ତ ୧୦ଟି ଗାଁର ଏହି ଦସ୍ତାବିଜ ଯାଞ୍ଚ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ, ତଥ୍ୟାନୁସନ୍ଧାନୀ ଦଳ ନିକଟରେ ଅନେକ ଜାଲିଆତିର ପର୍ଦ୍ଦାଫାସ ହୋଇଥିଲା । ଯେପରିକି ଏହି ଗ୍ରାମସଭା ପ୍ରସ୍ତାବ ଗୁଡ଼ିକର କୈାଣସି ସତ୍ୟତା ନଥିବା, କିଛି ଲୋକଙ୍କୁ ସାଦା କାଗଜରେ ସେମାନଙ୍କର ଆଙ୍ଗୁଠି ଛାପ ଲଗାଇବାକୁ ବାଧ୍ୟ କରିବା , ଯେଉଁ ଗ୍ରାମରେ ଏପରି ପ୍ରସ୍ତାବ ସ୍ୱାକ୍ଷରିତ ହୋଇଥିଲା, ସେହି ଗ୍ରାମରେ ରହୁଥିବା ଲୋକମାନେ କହିଥିଲେ ଯେ ଏପରି କିଛି ଗ୍ରାମସଭା ଅନୁଷ୍ଠିତ ହୋଇନଥିଲା ।
ଅନ୍ୟ ପକ୍ଷରେ ସେଠାରେ କିଛି ସରକାରୀ ଓ କମ୍ପାନୀ ଅଧିକାରୀ ଥିଲେ, ଯେଉଁମାନେ ବ୍ୟାପକ ସଂଖ୍ୟକ ସି.ଆର୍.ପି.ଏଫ୍ ଓ ସଶସ୍ତ୍ର ପୋଲିସଙ୍କ ସହ ଉପସ୍ଥିତ ଥିଲେ, ଯେଉଁମାନେ ଗ୍ରାମବାସୀ ମାନଙ୍କୁ ସେମାନଙ୍କ ଆଙ୍ଗୁଠି ଛାପ କିମ୍ବା ପ୍ରସ୍ତାବରେ ଦସ୍ତଖତ ଦେବାକୁ ବାଧ୍ୟ କରିଥିଲେ । ପ୍ରତ୍ୟେକ ଗ୍ରାମରେ ଲୋକମାନେ କହିଥିଲେ ଯେ, ଅନୁଷ୍ଠିତ ହେବାକୁ ଥିବା ଗ୍ରାମ ସଭା ସମ୍ବନ୍ଧରେ ସରପଞ୍ଚ କିମ୍ବା ଅନ୍ୟ କୌଣସି ଗ୍ରାମବାସୀଙ୍କୁ ସୂଚନା ଦିଆଯାଇନଥିଲା । ପ୍ରସ୍ତାବରେ ଦସ୍ତଖତକାରୀଙ୍କ ତାଲିକା ଦେଖିବା ପରେ ଗ୍ରାମବାସୀ ତଥ୍ୟାନୁସନ୍ଧାନୀ ଦଳ ନିକଟରେ ପ୍ରକାଶ କରିଛନ୍ତି ଯେ, ଦସ୍ତଖତକାରୀଙ୍କ ମଧ୍ୟରୁ କେତେକ ମୃତ, କିଛି ଛୋଟ ପିଲା ଏବଂ କିଛି ଲୋକଙ୍କ ଦସ୍ତଖତ ଭୁଲ ଅଟେ। ସମସ୍ତ ୧୦ଟି ଗ୍ରାମସଭାର ପ୍ରସ୍ତାବରେ ଚକିତକାରୀ ଘଟଣା ହେଲା ଯେ ସ୍ୱାକ୍ଷରଗୁଡିକ ପ୍ରାମାଣିକ ତଥ୍ୟ ଠାରୁ ବହୁ ଦୂରରେ ଥିଲା |
ଅନ୍ୟ ଦୁଇଟି ଗ୍ରାମରେ ଲୋକମାନେ କହିଥିଲେ ଯେ, କେନାଲ, ଡାକ୍ତରଖାନା, ବିଦ୍ୟାଳୟ, ମୋବାଇଲ୍ ଟାୱାର ଇତ୍ୟାଦି ବିଷୟରେ କମ୍ପାନୀର ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ଦ୍ଵାରା ସେମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ତଥ୍ୟାନୁସନ୍ଧାନୀ ତଦନ୍ତକାରୀ ଦଳ କହିଥିଲେ ଯେ, ଅନୁସୂଚିତ ଅଞ୍ଚଳରେ ଗ୍ରାମ ସଭାକୁ ସମ୍ବିଧାନ ଦ୍ଵାରା କ୍ଷମତା ଦିଆଯାଇଛି, ଯାହା ଫଳରେ ଗାଁ ଲୋକମାନେ ସେମାନଙ୍କ ବିକାଶ/କଲ୍ୟାଣ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇପାରିବେ । ଗ୍ରାମ ସଭାରେ ବ୍ଲକ ସ୍ତରୀୟ ଅଧିକାରୀ, କମ୍ପାନୀ ଅଧିକାରୀ, ପୋଲିସ ଏବଂ ସଶସ୍ତ୍ର ବାହିନୀର ଉପସ୍ଥିତି ହେଉଛି କ୍ଷମତାର ଅପବ୍ୟବହାର ଏବଂ ସମ୍ମାନର ସହ ବଞ୍ଚିବା ପାଇଁ ଲୋକଙ୍କ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ। ଏହି ନକଲି ଗ୍ରାମସଭା ପ୍ରସ୍ତାବ ଯାହାକୁ ‘ଲୋକଙ୍କ ସମ୍ମତି’ର ପୋଷାକ ପିନ୍ଧାଇ ଦାଖଲ କରାଯାଇଛି ତାହା କୌଣସି ଭାବେ ସରଳ କଥା ନୁହେଁ ।
ଲୋକମାନେ ମତବ୍ୟକ୍ତ କରିଥିଲେ ଯେ, ସେମାନଙ୍କ ସମ୍ମତିକୁ ଏପରି ବାଧ୍ୟବାଧକତା ଓ ଜାଲିଆତି ଦ୍ଵାରା ହାସଲ କରାଯାଇଛି, ଯାହା ସେମାନଙ୍କୁ ସେମାନଙ୍କ ଜମି, ଜୀବନଜୀବିକା ଏବଂ ଭବିଷ୍ୟତ ପାଇଁ ଚିନ୍ତିତ କରିଛି । ଜଙ୍ଗଲ ଅଧିକାର ଆଇନ ର ଉପଯୁକ୍ତ ପ୍ରଣୟନ ପାଇଁ ପଦକ୍ଷେପ ନ ନେଇ ଜଙ୍ଗଲ ଅଧିକାରର ସମାଧାନ ହୋଇଛି ବୋଲି ସରକାରଙ୍କ ଦାବି ଭିତ୍ତିହୀନ, ବିଭ୍ରାନ୍ତିକର ଅଟେ, ଯାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ତଥ୍ୟାନୁସନ୍ଧାନୀ ଦଳ ମତବ୍ୟକ୍ତ କରିଥିଲେ।
ଦ୍ୱିତୀୟତଃ "ମୋ ଜଙ୍ଗଲ ମୋ ଜମି" ଯୋଜନା ଅଧୀନରେ, ଅଗଷ୍ଟ ୯, ୨୦୨୩ ରେ, ସରକାର ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ସାରା ରାଜ୍ୟରେ ଜଙ୍ଗଲ ଅଧିକାର ପ୍ରଦାନକୁ ‘ସମ୍ପୂର୍ଣ୍ଣ କରିବା’ ପାଇଁ ପ୍ରାଥମିକତା ଘୋଷଣା କରିଥିଲେ। ଏହି ଯୋଜନାର କାର୍ଯ୍ୟକାରିତାକୁ ପ୍ରାଥମିକତା ଦେବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଏବଂ କମ୍ପାନୀର ସ୍ୱାର୍ଥରକ୍ଷା ପାଇଁ ସରକାର ଉଦ୍ଦେଶ୍ୟମୂଳକ ଭାବେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସୀମାକୁ ସଙ୍କୁଚିତ କରିଛନ୍ତି । ପରିବେଶ ପ୍ରଭାବ ଆକଳନ ରିପୋର୍ଟ ମଧ୍ୟ ଏହି ଜଳ ଉତ୍ସ ଏବଂ ଜୈବ ବିବିଧତା ନଷ୍ଟ ବିଷୟକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛି ବୋଲି ତଥ୍ୟାନୁସନ୍ଧାନୀ ଦଳ ଅଭିଯୋଗ କରିଛନ୍ତି।
ତଥ୍ୟାନୁସନ୍ଧାନୀ ଦଳ ମତବ୍ୟକ୍ତ କରିଛନ୍ତି ଯେ, ପ୍ରଥମତଃ, ପୋଲିସ୍ କର୍ମଚାରୀଙ୍କ ନିୟୋଜନ ଅସଙ୍ଗତ ଥିଲା। କେବଳ ୨-୩ ଜଣ ସରକାରୀ ଅଧିକାରୀ ଏବଂ କମ୍ପାନୀ ଙ୍କ ପାଇଁ ସେଠାରେ ବସ୍ ବୋଝେଇ ପୋଲିସ୍ ଏବଂ ସି.ଆର୍.ପି.ଏଫ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରସ୍ତାବରେ ଦସ୍ତଖତ କରିବାକୁ ଲୋକଙ୍କୁ ବାଧ୍ୟ କରିବା ରାଜ୍ୟର ଏକ ଭୟାନକ କୌଶଳ ଛଡା ଆଉ କିଛି ନୁହେଁ। ଦ୍ୱିତୀୟତଃ , ଗ୍ରାମସଭାରେ କମ୍ପାନୀ ପ୍ରତିନିଧୀଙ୍କ ଉପସ୍ଥିତି ରହିବା କଦାପି ଉଚିତ୍ ନୁହେଁ। ପୋଲିସର ପ୍ରାଥମିକ ଦାୟିତ୍ ହେଉଛି କମ୍ପାନୀ କିମ୍ବା ସରକାରଙ୍କ ସ୍ୱାର୍ଥ ନୁହେଁ, ଲୋକଙ୍କୁ ସୁରକ୍ଷା ଦେବା। ଖଣି ଖନନକୁ ବିରୋଧ କରୁଥିବା କିଛି ବ୍ୟକ୍ତିବିଶେଷଙ୍କ ନ୍ୟସ୍ତ ସ୍ୱାର୍ଥ ଥିବାରୁ ଏଭଳି ପୋଲିସ୍ ଉପସ୍ଥିତି ଆବଶ୍ୟକ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଲ୍ଲେଖ କରିଥିଲେ। କିନ୍ତୁ ଲୋକମାନଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଭଳି ମୌଳିକ ଅଧିକାର ରହିଛି ଏବଂ ଖଣି ଖନନକୁ ବିରୋଧ କରିବାର ମଧ୍ୟ ଅଧିକାର ରହିଛି।
ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ମାଧ୍ୟମରେ ତଥ୍ୟାନୁସନ୍ଧାନୀ ଦଳର ପରାମର୍ଶ ଦେଇଛନ୍ତି ଯେ,ସିଜିମାଲି ବକ୍ସାଇଟ୍ ମାଇନ୍ସ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ତୁରନ୍ତ ବନ୍ଦ କରାଯାଉ ଏବଂ ବିଶେଷ ଭାବରେ ଅଣ-ଜଙ୍ଗଲ ଉଦ୍ଦେଶ୍ୟରେ ଜଙ୍ଗଲ ଜମିର ପରିବର୍ତ୍ତନ ଉପରେ ରୋକ୍ ଲଗାଯାଉ । ବାଧ୍ୟତାମୂଳକ ଗ୍ରାମସଭା ଆୟୋଜନ ଓ ଜାଲିଆତି ଘଟଣା ଉପରେ ରାଜ୍ୟ ସ୍ତରରେ ନିରପେକ୍ଷ ଅନୁସନ୍ଧାନ କରାଯାଉ ଏବଂ ଦସ୍ତଖତ ଜାଲିଆତି ଏବଂ ବଳପୂର୍ବକ ସମ୍ମତି ହାସଲ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେହିପରି ଖଣି ପ୍ରଭାବିତ ଗ୍ରାମଗୁଡିକରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏବଂ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ନିମନ୍ତେ ପ୍ରକ୍ରିୟାକୁ ପୁନର୍ବାର ଆରମ୍ଭ କରାଯାଉ ଏବଂ ଏ ସଂପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା କରାଯାଉ । ଅନ୍ୟପକ୍ଷରେ ଖଣି ଖନନକୁ ସହଜ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ଆପୋଷ ବୁଝାମଣା କରାଯାଇ ସମ୍ପ୍ରଦାୟର ପାରମ୍ପରିକ ସୀମାକୁ ସଙ୍କୁଚିତ କରାଯାଇଥିବାରୁ ତାହାକୁ ପୁନଃ ସମୀକ୍ଷା ଓ ପୁନର୍ବାର ଆରମ୍ଭ କରାଯାଉ । ସେହିପରି ଲୋକମାନଙ୍କ ମତାମତ ଓ ଚାହିଦା ଅନୁଯାୟୀ ସିଜିମାଲି ପାହାଡରେ ଖଣି ଖନନ ପାଇଁ ବେଦାନ୍ତ ଲିମିଟେଡକୁ ଦିଆଯାଇଥିବା ଲିଜ୍ ତୁରନ୍ତ ଓଡିଶା ସରକାର ବାତିଲ୍ କରିବା ଆବଶ୍ୟକ ଏବଂ ବିକ୍ଷୋଭକାରୀ ଏବଂ ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ତେବେ ଏହି ଅଭିଯୋଗ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଇଟିଭି ଭାରତ, କଳାହାଣ୍ଡି