କଟକ: ପୁଣି ଅଘଟଣ । ମୁକୁଳା ନାଳରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । କଟକ ନୂଆବଜାର ମହିମା ନଗର ଅଞ୍ଚଳରେ ଥିବା ନାଳରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ଗତକାଲି(ବୁଧବାର) ରାତିରେ ଯାଉଥିବା ସମୟରେ ଯୁବକ ଜଣକ ନାଳରେ ପଡ଼ି ଯାଇଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କର ବୟସ ୨୨ ରୁ ୨୪ ବର୍ଷ ହୋଇଥିବା ସୂଚନା ମିଳିଛି ।
ବହୁଦିନ ଧରି ସ୍ଲାବ ଉଠାଯାଇଥିବା ଯୋଗୁଁ ମୁକୁଳା ପଡ଼ିଥିଲା ନାଳଟି । ଫଳରେ ଗତକାଲି ରାତିରେ ଯୁବକ ଜଣକ ନାଳରେ ପଡିଯାଇଥିଲେ । ଏନେଇ ଆଜି ତାଙ୍କର ମୃତଦେହ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସିଆରଆରଆଇ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡ଼ିକାଲ ପଠାଇଛି । ସେହିପରି ପୂର୍ବରୁ କଟକ ସହରରେ ଅନେକ ଏଭଳି ଘଟଣା ଘଟିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ମହାନଗର ନିଗମ କେବଳ ବିକାଶ ଚିନ୍ତାରେ ବ୍ୟସ୍ତ ଥିବାବେଳେ ଏପଟେ ମୁକୁଳା ନାଳ ଚିନ୍ତା ପାସୋରି ଗଲାଭଳି ମନେ ହେଉଛି । ଯଦି ପୂର୍ବ ଘଟଣା ଦେଖିବା ତେବେ ବିଡାନାସୀରେ ମୁକୁଳା ଡ୍ରେନରେ ଜଣେ ବାଳକ ପଡି ମୃତ୍ୟୁ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ- ଲଗାଣ ବର୍ଷା ସାଜିଲା କାଳ, ନାଳରେ ଭାସି ଗଲା ଯୁବକଙ୍କ ଜୀବନ
ଏହା ମଧ୍ୟ ପଢନ୍ତୁ- ସ୍କୁଲରୁ ଫେରିବା ବାଟରେ ଅଘଟଣ, ନାଳରେ ପଡି 2 ନାବଳକ ମୃତ
ଖେଳୁଥିବା ଅବସ୍ଥାରେ ନାଳକୁ ଖସି ପଡିବା ପରେ ଘଟଣାସ୍ଥଳରେ ତାହାର ମୃତ୍ୟୁ ଘଟିଥିଲା । ସେହିପରି ମାଲଗୋଦାମ ଅଞ୍ଚଳର ଶାଖା ନାଳରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସିବାର ନଜର ଆସିଥିଲା । ଏହାଛଡା ଝୋଲାସାହି ଅଞ୍ଚଳରେ ମଧ୍ୟ ବଡ଼ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଥିଲେ ଯୁବକ । ଏତେ ସାରା ଘଟଣା ଘଟିବା ପରେ ମଧ୍ୟ ସିଏମସିର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେଣୁ ଏଭଳି ଘଟଣା ଯେପରି ପୁନର୍ବାର ନ ଘଟେ ସେଥିପାଇଁ ସିଏମସି ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କେବେ ମହାନଗର ନିଗମ ଅଞ୍ଚଳରେ କେତେ ନିରୀହ ଜୀବନ ଯିବ ଆଉ ଡ୍ରେନ ସମସ୍ୟାରୁ କେବେ ମୁକ୍ତି ମିଳିବ ତାକୁ ନେଇ ଏବେ ସବୁଠି ପ୍ରଶ୍ନ ।
ଇଟିଭି ଭାରତ, କଟକ