ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ଏକାକୀ ବାଜି ମରିଛି ବିଜେପି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଆମେ କହିଥିଲୁ । ତାହା ସଫଳ ହୋଇଛି । ଓଡିଶା ଲୋକଙ୍କ ମତ ଓ ଭାବନା ଭୋଟରେ ରୂପାନ୍ତରିତ ହେଲା । ମୋଦି ଗ୍ୟାରେଣ୍ଟି ଉପରେ ଭରସା କରି ଓଡ଼ିଶାରେ ବିଜେପି ସରକାର ହୋଇଛି । ଏଥିପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଅଭିନନ୍ଦନ ବୋଲି ସେ କହିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ମୋଦି କହିଥିଲେ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବ । ତେଣୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା ହେବ । ଓଡ଼ିଆ ଲୋକଙ୍କ ଭାବନାକୁ ଆଧାର କରି ସବୁ ନିଷ୍ପତି ନିଆଯିବ । ଓଡ଼ିଶାରେ ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ । ଶୀର୍ଷ ନେତୃତ୍ୱଙ୍କ ଦୂରଦୃଷ୍ଟି, ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପିର ବିଜୟ ସବୁ ଓଡ଼ିଆ ଲୋକଙ୍କର ବିଜୟ । ଓଡ଼ିଆ ଅପେକ୍ଷା ଓ ଆକାଂକ୍ଷାର ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତାର ବିଜୟ, ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ସ୍ୱାଭିମାନ କେବଳ ରାଜନୈତିକ ବିଷୟ ନୁହେଁ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିରେ ମହାପ୍ରଭୁଙ୍କ ସଂସ୍କୃତି, ଓଡ଼ିଆ ଚାଲିଚଳଣୀ ଓ ପରମ୍ପରାର କଥା ଅଛି । ଏଥିପାଇଁ ଓଡ଼ିଆ ଲୋକମାନେ ବିଜେପିକୁ ଭରପୁର ମାତ୍ରାରେ ଆଶୀର୍ବାଦ କରିଛନ୍ତି ।ମୋଦି ଯାହା କୁହନ୍ତି, ତାହା କରନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ । ସବୁ ମୋଦି ଗ୍ୟାରେଣ୍ଟିର ସ୍ୱପ୍ନ ସାକାର ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ବିଜେପି ନିଷ୍ଠାର ସହକାରେ ଲୋକଙ୍କ ସେବା କରିବା ସହ ସବୁ ପ୍ରତିଶ୍ରୁତି ପୂରଣ କରି ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଇଟିଭି ଭାରତ, ଭୁବନେଶ୍ବର