ଅନୁଗୋଳ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସୁଛନ୍ତି । ଆସନ୍ତା ୨୦ତାରିଖରେ ଅନୁଗୋଳ ଠାରେ ଏକ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଅନୁଗୋଳ ବିଜେପିରେ ଉତ୍ସାହ ଦେଖାଦେଇଛି । ଅନୁଗୋଳରେ ହେବାକୁ ଥିବା ସାଧାରଣ ସଭାରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ, ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର କର୍ମୀ ଓ ନେତାମାନେ ଯୋଗ ଦେବୋ କାର୍ଯ୍ୟକ୍ରମ ରହିଛି । ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।
ଏହାକୁ ନେଇ ଦଳୀୟ ନେତାମାନେ ଏବେ ଠାରୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଦୀର୍ଘ ବର୍ଷ ପରେ ପ୍ରଧାନମନ୍ତ୍ରୀ ଅନୁଗୋଳ ଆସୁଥିବାରୁ ଖୁସିର ଲହରୀ ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ସମସ୍ତ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ତେଣୁ ନିଶ୍ଚିତ ଭାବେ ଏହାର ପ୍ରଭାବ ପଡିବ ବୋଲି ଦଳୀୟ ପୁରୁଖା ନେତାମାନେ ଆଶା ପ୍ରକଟ କରିଛନ୍ତି । ତେବେ କେଉଁ ସ୍ଥାନରେ ସାଧାରଣ ସଭା ହେବ ତାହା ସ୍ଥିର ହୋଇ ନଥିବା ବେଳେ ଏହା ଖୁବଶୀଘ୍ର ସ୍ଥିର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ମୋଦିଙ୍କ ଏହି ଗସ୍ତ ଫଳରେ ଉଭୟ ଢେଙ୍କାନାଳ ଓ ଅନୁଗୋଳ, ସମ୍ବଲପୁର ଜିଲ୍ଲାର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ଦ୍ୱାରା ତିନି ଜିଲ୍ଲାରେ ରାଜନୈତିକ ସମିକରଣ ବଦଳିବ ବୋଲି ଆଶା କରାଯାଉଛି । ସେହିପରି ପୁରୀରେ ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୋଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି । ସେହିପରି ଆସନ୍ତା 15 ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ । ଖାଲି ସେତିକି ନୁହେଁ, ପୁଣି ଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
17 ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ । ଆସ୍କାର ସୋରଡ଼ା ଠାରେ ଜନସଭା କରିବେ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।
ଇଟିଭି ଭାରତ, ଅନୁଗୋଳ