ରାଇରଙ୍ଗପୁର (ମୟୁରଭଞ୍ଜ): ଚାଲିଛି ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ 'ଦାମୋଦର ମେଳା' ବା ଦାମୋଦର ବାରୁଣୀଘାଟ୍ ପର୍ବ । ଚଳଚଞ୍ଚଳ ହୋଇଉଠିଛି ବାରିପଦା ସହରର ବାରୁଣୀ ସୁନାମୁହିଁ ଘାଟ । ଏଠାରେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ସାନ୍ତାଳୀ ସମ୍ପ୍ରଦାୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ପାରମ୍ପରିକ ରୀତିନୀତି ଅନୁଯାୟୀ ହଜାର ହଜାର ପରିବାର ଏଠାରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ ସହ ଶ୍ରାଦ୍ଧ ଓ ତିଳତର୍ପଣ ଦାନ କରି ବୁଡ ପକାଉଛନ୍ତି । ପ୍ରତିବର୍ଷ ମକର ସଂକ୍ରାନ୍ତିର ୨ଦିନ ପରେ ଏହି ପର୍ବ ଆରମ୍ଭ ହୋଇଥାଏ । ଚଳିତବର୍ଷ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ଚାଲିବ ଏହି ପର୍ବ । ଯାହାର ଆଜି ଶେଷ ଦିନ ।
- 'ଦାମୋଦର ମେଳା':
ନୂତନ ବସ୍ତ୍ର ପରିଧାନ କରି ମାଦଳ ଓ ଧୁମ୍ସାର ତାଳେ ତାଳେ ଗାଁ ମୁଖିଆଙ୍କ ନେତୃତ୍ୱରେ ସାନ୍ତାଳୀ ସମ୍ପ୍ରଦାୟର ଲୋକମାନେ ଏକାଠି 'ଦାମଦୋର ମେଳା'କୁ ଆସିଥାନ୍ତି । ବୁଢାବଳଙ୍ଗ, ଜରାଳି ଓ ସରାଳି ତିନୋଟି ନଦୀର ସଙ୍ଗମ ସ୍ଥଳ ହେଉଛି ଏହି 'ସୁନାମୁହିଁ ଘାଟ' । ପୂର୍ବପୁରୁଷଙ୍କ ସମୟରୁ ମକର ସଂକ୍ରାନ୍ତିର ୨ ଦିନ ପରେ ଏଠାରେ ସାନ୍ତାଳ ସମ୍ପ୍ରଦାୟ ସାମୁହିକ ଅସ୍ଥି ବସର୍ଜନ କରିଥାଆନ୍ତି । ସାନ୍ତାଳ ସମ୍ପ୍ରଦାୟରେ ପରିବାରର ବର୍ଷକ ମଧ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥିକୁ ସଂରକ୍ଷିତ କରି ରଖାଯାଏ । ଏବଂ ପ୍ରତିବର୍ଷ ମକର ପର୍ବ ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥାନ୍ତି ।
- ଶାଳ ଗଛକୁ ପୂଜା କରାଯାଏ :
ପାରମ୍ପରିକ ରୀତିନୀତି ଅନୁସାରେ ଶାଳ ଗଛକୁ ଠାକୁର ଭାବେ କରାଯାଏ ଏବଂ ଲଣ୍ଡା ହେବା ସହ ସାମୁହିକ ଭାବରେ ବୁଡ ପକାଇଥାନ୍ତି ଲୋକେ । ସାନ୍ତାଳୀ ସଂମ୍ପ୍ରଦାୟ ଏହିଭଳି ସାମୂହିକ ଅସ୍ଥି ବିସର୍ଜନ ପରେ ନିଜକୁ ଗର୍ବିତ ଅନୁଭବ କରୁଥିବାବେଳେ ପୂର୍ବ ପୁରୁଷ ଶାନ୍ତି ପାଉଥିବାର ବିଶ୍ୱାସ ରହିଛି । କେବଳ ଯେ ଅସ୍ଥି ବିସର୍ଜନ କରନ୍ତି ତାହା ନୁହଁ, ମୃତ ଲୋକଙ୍କ ଉଦ୍ଦେଶ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅନ୍ୟ ପରିବାର ସହ ଅଦଳବଦଳ କରିଥାନ୍ତି ଏବଂ ଗରିବ ଲୋକଙ୍କୁ ଦାନପୂଣ୍ୟ ମଧ୍ୟ କରନ୍ତି । ଏହି ପର୍ବକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଶହଶହ ଲୋକ ଆସିଥାନ୍ତି । ସେପଟେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯଇଛି ।
ଇଟିଭି ଭାରତ, ମୟୂରଭଞ୍ଜ