କୋରାପୁଟ: ଆସନ୍ତାକାଲି (ସୋମବାର) ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 4 ଲୋକସଭା ଆସନ ସହ ଏହା ଅନ୍ତର୍ଗତ 28 ବିଧାନସଭା ଆସନ ପାଇଁ ହେବାକୁ ଯାଉଛି ଭୋଟିଂ । ଏଥିପାଇଁ ନିର୍ବାଚନ ନିୟମାବଳୀ ଅନୁସାରେ ଗତକାଲି (ଶନିବାର) ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି । ବିଭିନ୍ନ ଦଳର ତାରକା ପ୍ରଚାରକ ଓ ଅନ୍ୟ ବାହାର ନେତାମାନେ ନିର୍ବାଚନ ମଣ୍ଡଳୀ ଛାଡିଛନ୍ତି । ଅନ୍ୟପଟେ ମତଦାନ ପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଏହି ପ୍ରଥମ ପର୍ଯ୍ୟାୟରେ ରହିଛି ଦକ୍ଷିଣ ଓଡିଶାର ଗୁରୁତ୍ବପୂର୍ଣ୍ଣ କୋରାପୁଟ ସଂସଦୀୟ ଆସନ । କୋଟପାଡ଼, ଜୟପୁର, କୋରାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାନସଭା ତଥା କୋରାପୁଟ ଲୋକସଭା ଆସନ ପାଇଁ ଆସନ୍ତାକାଲି (ସୋମବାର) ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନର ପ୍ରଚାର ପ୍ରକ୍ରିୟା ଗତକାଲି (ଶନିବାର) ସମାପ୍ତ ହୋଇଯାଇଛି । ଜିଲ୍ଲାର ସମୁଦାୟ ପାଞ୍ଚଟି ବିଧାନସଭା ମଣ୍ଡଳୀରେ ମୋଟ 4,72,175 ଜଣ ପୁରୁଷ ଭୋଟର ଥିବାବେଳେ 5,04,437 ମହିଳା ଓ 83 ଜଣ କିନ୍ନର ଭୋଟର ସେମାନଙ୍କ ମତଦାନ କରିବାର ସୁଯୋଗ ପାଇବେ । ତେବେ ଏଥିପାଇଁ ମୋଟ 1,159ଟି କେନ୍ଦ୍ରରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ରାଜ୍ୟରେ ଶାସନରେ ଥିବା ବିଜେଡି ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ଆସି ପ୍ରଚାର ସାରି ଫେରି ଯାଇଥିବା ବେଳେ ବିଜେପି ଦଳର ପ୍ରାର୍ଥୀଙ୍କ ପାଇଁ ପଡୋଶୀ ରାଜ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ଆସି ପ୍ରଚାର କରି ଫେରିଛନ୍ତି । କିନ୍ତୁ କଂଗ୍ରେସ ଦଳର କେହି ଷ୍ଟାର ପ୍ରଚାରକ କୋରାପୁଟ ମାଟିକୁ ଗୁରୁତ୍ୱ ନଦେବା ସର୍ବାଧିକ ଆଶ୍ଚର୍ଯ୍ୟ କରିଥିବା ରାଜନୈତିକ ସମୀକ୍ଷକମାନେ ଅନୁଭବ କରିଥିବା ପ୍ରକାଶ କରିଛନ୍ତି । କୋରାପୁଟରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ଉପରେ କାର୍ଯ୍ୟଭାର ନ୍ୟସ୍ତ କରି ସମସ୍ତ ପ୍ରମୁଖ ଦଳର ନେତା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରୁ ପଛଘୁଞ୍ଚା ଦେଇଛନ୍ତି ବୋଲି ରାଜନୀତି ସମୀକ୍ଷକ ଭବାନୀ ଶଙ୍କର ମିଶ୍ର ମତ ରଖିଛନ୍ତି ।
ସେହିପରି ରାଜନୀତି ସମୀକ୍ଷକ ବିଦ୍ୟାଧର ଚୌଧୁରୀଙ୍କ କହିବା ଅନୁସାରେ, ରାଜ୍ୟର ସମତଳ ଭୂମି ଅଞ୍ଚଳରେ ହେଉଥିବା ରୋଡ଼ ଶୋ’ କିମ୍ବା ନିର୍ବାଚନୀ ସଭାସମିତି ମାଳ ଅଞ୍ଚଳକୁ ଛୁଇଁ ନାହିଁ । ରାଜନୈତିକ ଦଳଗୁଡ଼ିକର କୋରାପୁଟ ଜିଲ୍ଲାର ପ୍ରାର୍ଥୀଙ୍କ ପ୍ରତି ପ୍ରାଧାନ୍ୟତା ନଥିବା ସ୍ପଷ୍ଟ ହେଉଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଅଧିକତର ନିଜସ୍ୱ ପ୍ରଚେଷ୍ଟାରେ ଯଥାସମ୍ଭବ ପ୍ରୟାସ ଜାରି ରଖିଥିଲେ ଓ ଚଳିତବର୍ଷ ନିର୍ବାଚନ ପ୍ରଚାରରେ ନୈରାଶ୍ୟ ଭାବ ଦେଖାଯାଇଥିବା ଜିଲ୍ଲାର ଅନ୍ୟ ଜଣେ ରାଜନୀତି ସମୀକ୍ଷକ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ