ନୟାଗଡ: ଖଣ୍ଡପଡାରେ ଖଣ୍ଡା ବୁଲିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ତେବେ ବ୍ୟକ୍ତିଗତ ବିବାଦ କାରଣରୁ ଅଭିଯୁକ୍ତ ଖଣ୍ଡା ବୁଲାଇଥିବା ବେଳେ ଏଥିରେ କୌଣସି ରାଜନୈତିକ ହିଂସା ନଥିବା ନୟାଗଡ ଏସପି ରାହୁଲ ଜୈନ କହିଛନ୍ତି । ଆଉ ମଧ୍ୟ ମୁକ୍ତ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି ।
ଏନେଇ ନୟାଗଡ ଏସପି କହିଛନ୍ତି, "ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଜଣେ ଯୁବକ ଖଣ୍ଡା ବୁଲାଇ ଭୟଭୀତ କରିବାକୁ ଚେଷ୍ଟା କରିବା ମାମଲାରେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ମାମଲାରେ ଫତେଗଡ଼ର ଥାନାରେ ୧୧୧/୨୪ରେ ମାମଲା ରୁଜୁ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସେହି ଗ୍ରାମର ରାମଚନ୍ଦ୍ର ସାହୁ, ଦିଲ୍ଲିପ କୁମାର ପ୍ରଧାନ ଓ ଲୋକନାଥ ସାହୁ । ସେମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି ।’’ ତେବେ ବ୍ୟକ୍ତିଗତ ବିବାଦକୁ ନେଇ ଏହି ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଖଣ୍ଡପଡାରେ ତୃତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଶାନ୍ତିଶୃଙ୍ଖଳାର ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ରାହୁଲ ଜୈନ କହିଛନ୍ତି । ଘଟଣାସ୍ଥଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଜୋରଦାର ପାଟ୍ରୋଲିଂ କରାଯାଇଛି । ଅବାଧ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
ଖଣ୍ଡପଡାରେ ସମ୍ବେଦନଶୀଳ ବୁଥ ଗୁଡିକ ଉପରେ ନଜର ରହିଛି । ସେଠାରେ ଓ୍ବେବ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପାଇଁ ପୋଲିସ ପୁରା ସଜାଗ ରହିଛି । ସ୍ଥାନୀୟ ନେତାମାନଙ୍କ ସହ ଏକ ଶାନ୍ତିପୂର୍ଣ୍ଣ ବୈଠକ କରାଯାଇଛି । ସେମାନେ ଶାନ୍ତିଶୃଙ୍ଖଳାର ସହ ମତଦାନ କରିବା ନେଇ ଆଶ୍ୱସ୍ତି କରିଛନ୍ତି । ଯଦି କୌଣସି ସ୍ଥାନରେ ହିଂସା ଘଟଣା ଘଟେ ତେବେ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ନୟାଗଡ