କେନ୍ଦ୍ରାପଡ଼ା: ପଥର ପ୍ୟାକିଂ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ । ସରକାରଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନଦୀରେ ପଥର ବନ୍ଧ ତିଆରି କରିବା ପାଇଁ ଖର୍ଚ୍ଚ ହେଉଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ଆସିଛି । ଏଭଳି ଦୁର୍ନୀତିର ଖବର ଆସିଛି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତର ବଜାର ଗାଁରୁ । ଏହି ଗାଁ ଦେଇ ପ୍ରବାହିତ ହୋଇଥିବା ଗୋବରୀ ନଦୀ ଦୀର୍ଘ ଦିନ ହେବ କୂଳଖାଇ ଲଙ୍ଘୁଛି । ତେବେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ପରେ ପ୍ରଶାସନ ଏଠାରେ ପଥର ପ୍ୟାକିଂ କରିବା ପାଇଁ ନିଷ୍ପତି ନେଇଥିଲା । ହେଲେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କୌଣସି ଫଳକ କିମ୍ବା କୌଣସି ସରକାରୀ କର୍ମଚାରୀଙ୍କୁ ଦେଖିବାକୁ ମିଳୁନାହିଁ । ସେହିପରି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରି କାମ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଯୋଗ୍ୟ ଇନ୍ଦୁପୁର ଜଳସେଚନ ବିଭାଗ ଅଧିନରେ ଥିବା ବେଣୀପୁର ପଞ୍ଚାୟତର ବଜାର ଗାଁରେ ୨୦୦ ପରିବାରର ବସବାସ କରନ୍ତି । ଏହି ଗାଁ ଦେଇ ଗୋବରୀ ନଦୀ ପ୍ରବାହିତ ହେଉଛି । ନଦୀ ଗତିପଥ ପରିବର୍ତ୍ତନ ଅନେକ ଚାଷ ଜମିକୁ ଗ୍ରାସ କରିଛି । ନଦୀର ପୂର୍ବାବସ୍ଥାଠାରୁ ଏହା ପ୍ରାୟ ୩୦୦ ମିଟର ଗାଁ ମଧ୍ୟକୁ ପ୍ରବେଶ କରିଥିବାରୁ ଆତଙ୍କିତ ଗ୍ରାମବାସୀ । ତେବେ ଏହି ନଦୀରେ ପଥର ପ୍ୟାକିଂ କରିବା ପାଇଁ ପ୍ରାୟ ଜିଏସଟିକୁ ମିଶାଇ ପ୍ରାୟ ୨୦ ଲକ୍ଷ ମଞ୍ଜୁର ହୋଇଛି । ହେଲେ କୌଣସି ଫଳକ ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଦ୍ଵନ୍ଦ୍ବରେ ଅଞ୍ଚଳବାସୀ ।
ଗୋବରୀ ନଦୀ ତାର କରାଳ ରୂପରେ ଗାଁର ଏକର ଏକର ଜମିରେ ମାଡି ଯାଇଥିବାବେଳେ ଲୋକଙ୍କ ଯେଉଁ କିଛି ଜମି ରହିଛି, ତାହାର ସୁରକ୍ଷା ପାଇଁ ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଏହାପରେ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ନିମ୍ନମାନର କାମ ଯୋଗୁଁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଅଞ୍ଚଳବାସୀ ଉକ୍ତ କାମକୁ ବନ୍ଦ ରଖିଛନ୍ତି । ଗାଁର ବ୍ରାହ୍ମଣ ଓ ଦଳିତ ସାହି ସ୍ଥାନରେ ପ୍ରଥମେ ପଥର ସ୍ପର (ପ୍ୟାକିଂ) କାମ ଆରମ୍ଭ ହୋଇଥିଲା । ଠିକାଦାର ମନମାନୀ କରି ବଡ଼ ପଥର ଜାଗାରେ ଛୋଟ ପଥର ପକାଉଥିବାରୁ କାମକୁ ବନ୍ଦ କରିଥିଲେ ଗ୍ରାମବାସୀ ।
ଏହା ମଧ୍ୟ ପଢନ୍ତୁ .....ସିଏମସି ଚଳୁ କରିଦେଲା କୁକୁର ଟଙ୍କା !
ଏନେଇ ସ୍ଥାନୀୟ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିଲେ । ଏହି କାମ ୧୮-୨୨ ଲକ୍ଷ ଟଙ୍କା ମଧ୍ୟରେ ହେଉଥିବା ଏବଂ ଗୋଷ୍ଠୀ କରି ଏହାକୁ ବିରୋଧ କରାଯାଉଥିବା ନେଇ ମନ୍ତବ୍ୟ ରଖିଥିଲେ । ସେହିପରି ଏହିଭଳି ଛୋଟ ଛୋଟ କାମରେ ସୂଚନା ଫଳକ ଲଗାଇବାର ଆବଶ୍ୟକତା ନଥିବା କହି ହାଲୁକା ଢଙ୍ଗରେ କଥାକୁ ଏଡାଇ ଦେଇଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା