କଟକ: ସ୍କୁଲରେ ବିଧାୟକ ମନମାନି କରୁଥିବା ଅଭିଯୋଗ । ବିଦ୍ୟାଳୟରେ ସରକାରୀ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ, ତାତିଲେ ଲୋକେ । ଏଭଳି ଏକ ଘଟଣା ଘଟିଛି କଟକ ସହରରେ । ଯୋବ୍ରା ହାଇସ୍କୁଲ ଭିତରେ ଦୁଇଟି ସରକାରୀ ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ବଢିବା ସହ ଅସନ୍ତୋଷ ଦେଖାଦେଇଛି । ଆଜି(ରବିବାର) ଦିନ ଏହାକୁ ବିରୋଧ କରି ଯୋବ୍ରା ଅଞ୍ଚଳର ଲୋକେ ପ୍ରତିବାଦ କରିଛନ୍ତି । ଏପରିକି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଓ ବର୍ତ୍ତମାନର କଟକ ଚୌଦ୍ଵାର ବିଧାୟକ ଶୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଥିଲା ।
ବିଦ୍ୟାଳୟକୁ ବିଦ୍ୟାର ମନ୍ଦିର କୁହାଯାଉଥିବା ବେଳେ ଏହାରି ଭିତରେ ସରକାରୀ ଅଫିସ ନିର୍ମାଣକୁ ବିରୋଧ କରିଛନ୍ତି ସ୍ଥାନୀୟ କର୍ପୋରେଟରଙ୍କ ସହ ସ୍ଥାନୀୟ ଲୋକେ । ସ୍କୁଲ କ୍ୟାମ୍ପସ ଓ ଖେଳ ପଡ଼ିଆକୁ ଅବରୋଧ କରି କାହିଁକି ସରକାରୀ ଅଫିସ ନିର୍ମାଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ? ସ୍କୁଲ ପଡ଼ିଆରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହେଲେ ଛାତ୍ରଛାତ୍ରୀମାନେ କେଉଁଠି ଖେଳିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଏ ନେଇ ଆଜି ସ୍କୁଲ ସମ୍ମୁଖରେ ପ୍ରତିବାଦ କରିବା ସହ ନିର୍ମାଣ କାମକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
ତେବେ ଏହି ନିର୍ମାଣ ଆରଆଣ୍ଡବି ପକ୍ଷରୁ କରାଯିବାକୁ ଥିବାବେଳେ ଏହାର ମାପଚୁପ ମଧ୍ୟ ହୋଇ ସାରିଛି ବୋଲି କର୍ପୋରେଟର କହିଛନ୍ତି । ତେବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଓ ବର୍ତ୍ତମାନର କଟକ ଚୌଦ୍ଵାର ବିଧାୟକ ଶୌଭିକ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ଶୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଲୋକେ । ସେପଟେ ଏହି ଘଟଣାକୁ ନେଇ ଉଭୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଏହା ମଧ୍ୟ ପଢନ୍ତୁ ......ଉପାନ୍ତ ଅଞ୍ଚଳରେ ବୌଦ୍ଧ ଜିଲ୍ଲାପାଳ, ବିଭିନ୍ନ ସମସ୍ୟା ସମ୍ପର୍କରେ କଲେ ଆଲୋଚନା
ଏହା ମଧ୍ୟ ପଢନ୍ତୁ.....ଲିଙ୍ଗରାଜଙ୍କ ଜାଗରଯାତ୍ରା ପ୍ରସ୍ତୁତି, ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ
ଆଗାମୀ ଦିନରେ ଯଦି ଏହି କାର୍ଯ୍ୟକୁ ବନ୍ଦ ନ କରାଯାଏ । ତେବେ ଏହାର ଦୃଢ଼ ପ୍ରତିବାଦ କରିବା ସହ ସରକାରଙ୍କୁ ଶୀଘ୍ର ଏହି ଦିଗରେ ଅବଗତ କରାଯିବ ବୋଲି କହିଛନ୍ତି ସ୍ଥାନୀୟ କର୍ପୋରେଟର ।ସ୍କୁଲରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବାବେଳେ କିଭଳି ବିଧାୟକ ଏଠାରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।
ଇଟିଭି ଭାରତ, କଟକ