ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ବାହାରିଲା ନିଷ୍କର୍ସ। ସ୍ୱାଭାବିକ ହେଲା ନୀତିକାନ୍ତି । ନୀତିକାନ୍ତି ସମାଧାନକୁ ନେଇ ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରଣା। ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ବସିଥିଲା ବୈଠକ। ବୈଠକରେ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ସମେତ ସବୁ ନିଯୋଗର ସଭାପତି ଉପସ୍ଥିତ ଥିଲେ। ବୈଠକ ପରେ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ କହିଛନ୍ତି ‘‘ଗତ ସୋମବାର ମକର ସଂକ୍ରାନ୍ତିକୁ ନେଇ ଆରମ୍ଭ ହୋଇଥିବା ଲିଙ୍ଗରାଜ ମନ୍ଦିରର ନୀତି ବିଭ୍ରାଟ ଭକ୍ତଙ୍କୁ ଆଘାତ ଦେଇଛି। ବର୍ତ୍ତମାନ ଠାରୁ ସ୍ୱାଭାବିକ ଭାବେ ପୁଣି ଆରମ୍ଭ ହେଲା ନୀତି। ଗତକାଲି ଯେଉଁ ସେବାୟତମାନଙ୍କ ପାଇଁ ଏସବୁ ବିଭ୍ରାଟ ହୋଇଛି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। କେଉଁ ପରିସ୍ଥିତିରେ ଓ କାହାପାଇଁ ବିଭ୍ରାଟ ହୋଇଛି କିଏ ଏହଭଳି ସ୍ଥିତି ଉପୁଯିବାକୁ ଉସକାଉଛି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ତଦନ୍ତ କରି ତାର ରିପୋର୍ଟ ଦେବେ। ତା ପରେ ରିପୋର୍ଟ ଆଧାରେ ସମ୍ପୃକ୍ତ ସେବାୟତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ’’।
ସେ ଆହୁରି ମଧ୍ୟ କହିଛନ୍ତି ‘‘ସେକ୍ସନ 32- OHRE ଆଧାରରେ ସେହି ସେବାୟତମାନଙ୍କୁ ସେବା କାର୍ଯ୍ୟରୁ ନିଲମ୍ବିତ ବା ବାଛନ୍ଦ କରାଯିବ। ଏହା ବାଦ ଦରକାର ପଡିଲେ ସେକ୍ସନ 68 ନିୟମ ଅନୁସାରେ ଲିଙ୍ଗରାଜଙ୍କ ଯେଉଁ ଜମିକୁ ସେବାୟତ ଭୋଗ କରୁଛନ୍ତି ତାକୁ ମଧ୍ୟ ଫେରାଇ ନେବାକୁ ନିଷ୍ପତି ନିଆଯାଇଛି। ତେବେ ଆଗକୁ ଏଭଳି ସମସ୍ୟା ଯେପରି ଆଉ ନଉପୁଜେ ସେଥିପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତିକୁ ସଠିକ ଭାବେ ତର୍ଜମା କରିବାପାଇଁ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ମନ୍ଦିରର ଯାହା ରେକର୍ଡ ଅଫ ରାଇଟସ୍ ଅଛି ସେହି ଆଧାରରେ ସମସ୍ତ ନୀତିକାନ୍ତି କରାଯିବ’’।
୨ ଦିନ ହେଲା ଉପାସରେ ଥିଲେ ବାବା ଲିଙ୍ଗରାଜ। ଗତକାଲିଠୁ ଏହି ବିବାଦକୁ ନେଇ ସଂକ୍ରାନ୍ତିରେ ଖାଡା ଉପାସରେ ରହିଥିଲେ ମହାପ୍ରଭୁ । ନା ହୋଇଥିଲା ମଙ୍ଗଳ ଆଳତୀ, ନା ହେଲା ଅବକାଶ ନୀତି । ଘନ ଘନ ବୈଠକରେ ବି ହେଲାନି ସମାଧାନ। ନୀତିକାନ୍ତିକୁ ନେଇ ବଡୁ-ବ୍ରାହ୍ମଣ-ସୁଆର- ପୂଜାପଣ୍ଡା ନିଯୋଗ ମଧ୍ୟରେ ଲାଗିଛି ବିବାଦ । ସମାଧାନ ପାଇଁ ଚେଷ୍ଟା ଚାଲିଛି କହି ହାତ ଟେକିଦେଲେ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ । ଉତ୍ତେଜନା ପାଟିତୁଣ୍ଡରେ ବୈଠକ ସାରିଥିବା ବେଳେ ଆଇନ୍ ମନ୍ତ୍ରୀଙ୍କ ହସ୍ତକ୍ଷେପରେ ବି ବାହାରି ନଥିଲା ନିଷ୍କର୍ସ।
- ମନ୍ତ୍ରୀଙ୍କ ବୈଠକରେ ସାମିଲ ହେଲେନି
ସେପଟେ ମନ୍ତ୍ରୀଙ୍କ ବୈଠକରେ ସାମିଲ ହୋଇ ନଥିଲେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ। ମନ୍ଦିର ସମସ୍ୟା ଯେହେତୁ ମନ୍ଦିର କାର୍ଯ୍ୟାଳୟରେ ହେବା କଥା କିନ୍ତୁ ତାହା ନ କରି ନିଜ ସ୍ତରରେ କରିଥିବାରୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଯୋଗ ଦେଇନଥିବା କହିଥିଲେ। ପ୍ରଶାସନ ୩ ଦିନ ପରେ କାହିଁକି ବୈଠକ ଡାକିଛି। ସବୁବେଳେ ପ୍ରଶାସନ କାହିଁକି ଚୁପ୍। ଯଦି ସବୁ କାମ ବଡୁ ନିଯୋଗ କରିବେ ତେବେ ଅନ୍ୟ ସେବାୟତଙ୍କ ଆବଶ୍ୟକତା କଣ ସରକାର ଚିନ୍ତା କରନ୍ତୁ। ଯେଉଁ ନୀତି ବନ୍ଦ୍ ରହିଛି ସେଇ ଘୃତ କମଳ ନୀତି ଆରମ୍ଭ କରି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ। ଏହାପରେ ମନ୍ଦିର ନୀତି ଆରମ୍ଭ ହେବ ବୋଲି ବ୍ରାହ୍ମଣ ନିଯୋଗ କହିଥିଲେ।
- ସେବାୟତଙ୍କୁ କଡ଼ା ଚେତାବନୀ ଦେଲେ ଆଇନମନ୍ତ୍ରୀ
‘‘ଆଗାମୀ ଦିନରେ ଏପରି କଲେ କଡ଼ା କାର୍ଯ୍ୟନୁଷ୍ଠାନ ନେବେ ସରକାର। ମନ୍ଦିରକୁ ନେଇ ଯେଉଁମାନେ ରାଜନୀତି ରୋଟି ସେକିବାକୁ ଚାହୁଁଛନ୍ତି ବନ୍ଦ କରନ୍ତୁ । ଦୁଇ ଦିନ ଧରି ନିତିକାନ୍ତି ବନ୍ଦ ଦୁର୍ଭାଗ୍ୟଜନକ। ଆଜି ହିଁ ବାହାରିବ ନିଷ୍କର୍ଷ। ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ। ପରେ କଡା କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ’’। ଲିଙ୍ଗରାଜ ସମସ୍ୟାକୁ ନେଇ ଆଇନ ମନ୍ତ୍ରୀଙ୍କ ଘରେ ଆଜି ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ,ଆଇନ ବିଭାଗ ସଚିବ, ସ୍ଥାନୀୟ ବିଧାୟାକ, ଉଭୟ ନିଯୋଗ ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ଏହା ମଧ୍ୟ ପଢନ୍ତୁ ଏବେ ବି ଉପାସରେ ଲିଙ୍ଗରାଜ, ବୈଠକ ପରେ ବି ବାହାରିପାରୁନି ନିଷ୍କର୍ସ
- ସ୍ବତଲିପି ନେଇ ଗଠନ ହେବ କମିଶନ
ସେହିପରି ମନ୍ତ୍ରୀ କହିଛନ୍ତି ‘‘ସ୍ବତଲିପି ନେଇ ଗଠନ ହେବ କମିଶନ । ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠନ ହେବ କମିଶନ। ଏଥିରେ ମନ୍ଦିର ଆକ୍ଟ ଅନୁସାରେ କାମ କରାଯିବ। ଦୁଇ ମାସ ଭିତରେ କମିଶନ ରିପୋର୍ଟ ଦେବେ ଆଉ ଏଇ ରିପୋର୍ଟ ଆଧାରରେ ସ୍ବତଲିପି ଲାଗୁ ହେବ। ଛୋଟ ଇସ୍ୟୁକୁ ନେଇ ଘଟଣା ଘଟିଛି ଏନେଇ ଆଲୋଚନା ହୋଇଛି। ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଏମରଜେନ୍ସି ବୈଠକ ଡାକିବା ପାଇଁ ନିଷ୍ପତ୍ତି ହୋଇଛି। ଟ୍ରଷ୍ଟ ବୋର୍ଡ ଆଜି ନିଷ୍ପତ୍ତି ନେବା ପରେ ସେବା ପୂଜା ଆରମ୍ଭ କରନ୍ତୁ । କୌଣସି ସମୟରେ ଏପରି ସେବାୟତ ସେବକାନ୍ତି ବନ୍ଦ କରିବା ଭଳିଆ ଅଯୌଗିକ କାର୍ଯ୍ୟ ନକରନ୍ତୁ। ସତ୍ଵଲିପିର କିଛି ସମସ୍ୟା ରହିଛି । ଆଇନଗତ ଦିଗରେ କିଛି ସମସ୍ୟା ଥିଲା। ଏନେଇ ବହୁତ ଶୀଘ୍ର ଅବସରପ୍ରାପ୍ତ ବିଚାରପତି ଙ୍କ ଅଧ୍ୟକ୍ଷତାରେ ଏକ ସିଙ୍ଗଲ ମେମ୍ବର କମିଶନ ଗଢ଼ା ଯିବ। ସେହି କମିଶନ ବିଭିନ୍ନ ନିଯୋଗ ନିକଟରେ ଥିବା ତଥ୍ୟ ହାସଲ କରିବେ । କଥା ହେବେ ଓ ଆଗରୁ କିଏ କେଉଁ କାର୍ଯ୍ୟ କରୁଥିଲେ ଦେଖିବେ । ଏନେଇ ଦୁଇ ମାସ ଭିତରେ ଏକ ରିପୋର୍ଟ ଦେବେ ଆଉ ଏହାକୁ ଲାଗୁ କରିବାର ପ୍ରକ୍ରିୟା ଦେବତ୍ତର ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ କରାଯିବ। ଯାହା ଫଳରେ ଆଗାମୀ ଦିନରେ ସ୍ବତଲିପି ନେଇ କୌଣସି ଦ୍ଵନ୍ଦ ରହିବ ନାହିଁ। ଯେତେବେଳେ କୌଣସି ସମସ୍ୟା ଆସୁଛି ସେତେବେଳେ ସେବାୟତ ମ୍ୟାନେଜମେଣ୍ଟ କମିଟିକୁ ଜଣାନ୍ତୁ ହେଲେ ଏହି ଆଳରେ ନୀତିକାନ୍ତି ବନ୍ଦ କରିବାକୁ ସରକାର ଗ୍ରହଣ କରିବେ ନାହିଁ । ଏନେଇ ଆଗାମୀ ଦିନରେ ନୀତିକାନ୍ତି ବ୍ୟାଘାତ ଘଟିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର’’ ।
ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି ‘‘୧୯୪୩ ମସିହାରେ ଯେଉଁ ନିୟମ କରାଯାଇଥିଲା ତାହା ୱେବସାଇଟ୍ ରେ ଉପଲବ୍ଧ ଅଛି। ତାକୁ ଆଧାର କରି ସ୍ଥାୟୀ ସମାଧାନ କରନ୍ତୁ। ନହେଲେ ଆଗକୁ ଶିବରାତ୍ରି, ଅଶୋକାଷ୍ଟମୀରେ ମଧ୍ୟ ବିଭ୍ରାଟ ଦେଖାଯିବ। ମକର ସଂକ୍ରାନ୍ତି ଠାରୁ ନୀତି ବନ୍ଦ୍ ଥିବାରୁ ଏବେବି ମକର ମଣ୍ଡପରେ ବାହାରେ ବସିଛନ୍ତି ଠାକୁର। ଆଜି ବି ହୋଇ ପାରିନି ନୀତି କାନ୍ତି। ନା ହୋଇଚି ମଙ୍ଗଳ ଆଳତି ନା ସେବା ପୂଜା। ସାଧାରଣ ଦର୍ଶନ ଜାରି ରହିଛି’’ ବୋଲି ସେ କହିଥିଲେ ।
ନୀତିକାନ୍ତି ବନ୍ଦକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଭକ୍ତମାନେ କହିଥିଲେ ‘‘ଏହି ଏକାମ୍ର ଭୁବନ ବା ଭୁବନେଶ୍ୱରର ଅଧିପତି ହେଉଛନ୍ତି ବାବା ଲିଙ୍ଗରାଜ। ତାଙ୍କୁ ଉପାସ ରଖିବା ନିଶ୍ଚିତ ଦୁଃଖଦାୟକ ଆଉ ଏଭଳି ସ୍ଥିତି ସବୁ ସବୁ ଭକ୍ତଙ୍କ ଆସ୍ଥାକୁ କୁଠାରଘାତ କରୁଛି। ଆମେ ଶୁଣିଆସୁଛି ୨ ଦିନ ହେବ ଲିଙ୍ଗରାଜଙ୍କ ନୀତିକାନ୍ତି ହୋଇନାହିଁ ସେ ଉପାସରେ ଅଛନ୍ତି। ଏହା ସନାତନୀ ଓ ହିନ୍ଦୁ ସଂସ୍କୃତିକୁ ଅପମାନିତ କରୁଛି । ତେଣୁ ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ଖୁବଶୀଘ୍ର ସମାଧାନ କରନ୍ତୁ। କାରଣ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦକୁ ନେଇ କେବଳ ରାଜ୍ୟର ନୁହେ ରାଜ୍ୟ ବାହାରର ଭକ୍ତ ନିରାଶ ହୋଇ ଫେରୁଛନ୍ତି । ପର୍ଯ୍ୟଟନ ଋତୁରେ ଭକ୍ତଙ୍କ ଗହଳି ଯେଉଁଭଳି ଲାଗିଛି ଏହି ସମୟରେ ନୀତିକାନ୍ତିର ଏହି ବିଭ୍ରାଟ ସବୁ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି। ତେଣୁ ବର୍ତ୍ତମାନ ପ୍ରସଙ୍ଗର ସମାଧାନ ସହ ସେବାୟତଙ୍କ ସ୍ୱାର୍ଥରେ ଏଭଳି ଲିଙ୍ଗରାଜଙ୍କ ନୀତି ବନ୍ଦ ନହେବା ଏହାର ସବୁଦିନିଆ ସମାଧାନ ସରକାର କରନ୍ତୁ’’ ବୋଲି କହିଛନ୍ତି ରାଜଧାନୀବାସୀ ।
- ବିବାଦର କାରଣ
ଏଠାରେ ସୂଚନା ଥାଉକି ମକର ସଂକ୍ରାନ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷୀର ଆଉଟା ହୋଇ ଘୃତ କମ୍ବଳ ଲାଗି କରାଯାଏ । ଏହି ନୀତିକାନ୍ତି ବଡୁ ସେବାୟତ କରିବା ପରେ ଆରମ୍ଭ ହୋଇଛି ବିବାଦ । ଗୋଟିଏ ପଟେ ଏହି ନୀତି ବଡୁ ସେବାୟତ କରିବା ପାଇଁ ଲେଖା ଅଛି ବୋଲି ଅଡି ବସିଥିବା ବେଳେ ସେହି ସେବାକୁ ଆବାହମାନ କାଳରୁ ସୁଆର ସେବାୟତ କରୁଥିଲେ ବୋଲି ଦାବି କରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଗତକାଲି ଏହି ବିବାଦକୁ ସମାଧାନ କରିବା ପାଇଁ ନାକେଦମ ହୋଇଛି ମନ୍ଦିର ପ୍ରଶାସନ । ଉଭୟ ପକ୍ଷଙ୍କୁ ନେଇ ଆଜି ମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ବୈଠକ ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇବା ପରେ ଅଧାରୁ ଚାଲିଯାଇଥିଲେ ବ୍ରାହ୍ମଣ, ପୂଜାପଣ୍ଡା ଏବଂ ସୁଆର ନିଯୋଗ । ପରେ ଖାତାଖତିଆନ୍ ଧରି ବଡୁ ନିଯୋଗ ନିଜର ଦାବି ରଖିଥିଲା । ତେବେ ଟ୍ରଷ୍ଟବୋର୍ଡ ପୁଣି ସମସ୍ତଙ୍କୁ ଡାକି ପୃଥକ ପୃଥକ ଭାବରେ ଆଲୋଚନା କରିଥିଲା । ଗତ କାଲି ଯେଉଁଠାରୁ ନୀତି ବନ୍ଦ ରହିଛି ସେହିଠାରୁ ଆରମ୍ଭ କରିବା ପାଇଁ ଅଡି ବସିଥିଲା ବ୍ରାହ୍ମଣ ନିଯୋଗ । ଯାହା ଫଳରେ ବିବାଦ ସମାଧାନ ହୋଇପାରିନାହିଁ ।
- ଲିଙ୍ଗରାଜ ଆଉ ମନ୍ଦିରରେ ନାହାନ୍ତି
‘‘ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ଦକ୍ଷିଣାୟନ ହୋଇଛି। ସବୁ ଠାକୁରଙ୍କ ପ୍ରତିଷ୍ଠା ଅଛି କିନ୍ତୁ ଶିବଙ୍କ ନାହିଁ। ସେବାୟତ ମାନେ କାଲିଠୁ ଲିଙ୍ଗରାଜଙ୍କୁ କବାଟ କିଳି ଦେଇଛନ୍ତି । ଜାଣିଶୁଣି ସେବାୟତ ଲିଙ୍ଗରାଜକୁ ଭୋକରେ ରଖିଛନ୍ତି। 1951 ରେ ସରକାର ଦୁଇଟି ଆଇନ ଆଣି ଭୁଲ କରିଦେଇଛନ୍ତି । ଠାକୁରଙ୍କ କାମ କେବେ କାଗଜପତ୍ରରେ ହୁଏ ନାହିଁ । ପୁରୀ, ତିରୁପତି ଭଳି ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ଆସିବା ଆବଶ୍ୟକ’’ ବୋଲି କହିଲେ ସଂସ୍କୃତି ବିଶେଷଜ୍ଞ ପ୍ରଫୁଲ ରଥ।
ସେ ଆହୁର ମଧ୍ୟ କହିଛନ୍ତି ‘‘ଆଉ ମନ୍ଦିର ଯିବା କଥା ନୁହେଁ । ସେବାୟତମାନେ ନିଜର ସ୍ୱାର୍ଥକୁ ନେଇ ବାବାଙ୍କ ନୀତି ନ କରି ତାଙ୍କୁ ବନ୍ଦ କରି ରଖିଦେଲେ। ସେବାୟତ ହୋଇ ସେବା ନକରି ମାର ତାଳି ଉଠା ଥାଳି ନୀତିରେ ପୂଜା କରୁଛନ୍ତି ତାଙ୍କ ଅର୍ଜନ ପାଇଁ। ଶିବଙ୍କ ପ୍ରତିଷ୍ଠାର ପ୍ରକୃତ ପୂଜା ନୀତି ଏମାନଙ୍କୁ ଜଣାନାହିଁ। ସେବା ବୃତ୍ତି ନାଁରେ ଲିଙ୍ଗରାଜଙ୍କ ଏମାନେ ଅପହରଣ କରୁଛନ୍ତି । ପ୍ରଭୁଙ୍କ ସେବା କରିବା ସେବାୟତଙ୍କ ସୌଭାଗ୍ୟ । ଯଦି ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଥାନ୍ତା ତେବେ କିଛି ପାରିଶ୍ରମିକ ପାଇଁ ପ୍ରଭୁଙ୍କୁ ଉପାସ ପକାଇନଥାନ୍ତେ । ଏଭଳି କରି ସେମାନେ ଦର୍ଶାଉଛନ୍ତି ଯେ ସେମାନଙ୍କର ଆସ୍ଥା ନାହିଁ। ତୁଷ୍ଟିକାରଣ ଓ ନିଜର ସ୍ୱାର୍ଥ କୁ ସାଧନା କରିବାକୁ ଯାଇ ଲିଙ୍ଗରାଜଙ୍କୁ ଉପାସରେ ପକାଉଛନ୍ତି। ଭଗବାନଙ୍କ ଉପରେ ଦାଉ ସାଜି ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରୁଛନ୍ତି । ତେଣୁ ମୋର ଅନୁରୋଧ ସବୁ ସେବାୟତଙ୍କୁ ଲିଙ୍ଗରାଜଙ୍କ ସେବକ ଭାବେ ଶ୍ରେଷ୍ଠ ଭକତ ହୁଅନ୍ତୁ ତାଙ୍କର ସବୁ କାର୍ଯ୍ୟକୁ ନିଜର କାର୍ଯ୍ୟ ଭାବି ସୁଚାରୁରୂପେ ପାଳନ କରନ୍ତୁ। ବ୍ୟକ୍ତି ସ୍ୱାର୍ଥ ସାଧନାରେ ନ ରହି ତୁଛ ରାଜନୀତି ନ କରି ସେବା କରନ୍ତୁ।କାରଣ ତାଙ୍କ ପ୍ରତି ସାଧନା ଓ ନିଷ୍ଠା ଅସାଧ୍ୟକୁ ସାଧନା କରିଥାଏ। ବିଭ୍ରାଟ ସମାଧାନ କରିଦେଇ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରି ଏଥିରେ ସରକାର ହସ୍ତକ୍ଷେପ କରିବା ଛାଡ଼ିଦିଅନ୍ତୁ। ସମସ୍ୟାର ସମାଧାନ ହୋଇଯିବ ଆଉ ରାଜନୀତି ମଧ୍ୟ ହେବନାହିଁ’’ ବୋଲି ସେ କହିଛନ୍ତି ।
- କେତେ ଥର ଉପାସରେ ଲିଙ୍ଗରାଜ
- ପୂର୍ବରୁ ବି ଅଧିକାଂଶ ସମୟରେ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହୋଇଛି । ନଜର ପକାନ୍ତୁ କେତେ ଥର ଉପାସ ରହିଛନ୍ତି ବାବା ଲିଙ୍ଗରାଜ ।
- ସେବାୟତଙ୍କ ଗୋଷ୍ଠୀ ବିବାଦ ଯୋଗୁଁ 2023ରେ ଅଧାରେ ବନ୍ଦ ହୋଇଥିଲା ପଇତାଲାଗି ନୀତି।
- 2023ରେ ଜମି ବିବାଦ ଯୋଗୁଁ ଉପାସରେ ଥିଲେ ଲିଙ୍ଗରାଜ ।
- 2021ରେ ସେବାୟତଙ୍କ ଗୋଷ୍ଠୀ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ହୋଇଥିଲା ।
- 2016ରେ ହାଣ୍ଡିଭଙ୍ଗା ନୀତି ବେଳେ ଦୁଇ ସେବାୟତ ଗୋଷ୍ଠୀ ଗଣ୍ଡଗୋଳ ଯୋଗୁଁ ଅଧାରେ ଅଟକିଥିଲା ନୀତିକାନ୍ତି ।
- ଘୃତ କମ୍ବଳ ନୀତି କଣ ?
ମକର ସଂକ୍ରାନ୍ତିରେ ବାବା ଲିଙ୍ଗରାଜଙ୍କ ଠାରେ ଘୃତ କମ୍ବଳ ଲାଗି କରାଯାଏ । କ୍ଷୀରକୁ ଆଉଟିବା ପରେ ଯେଉଁ ଲହୁଣୀ ବାହାରେ ସେଥିରେ ବାବା ଲିଙ୍ଗରାଜଙ୍କ ଘୃତ କମ୍ବଳ ଲାଗି କରାଯାଏ । ଶୀତଦିନେ ସାଧାରଣତଃ ଦେହ ହାତ ଫାଟୁଥିବାରୁ ଏହି ନୀତିକୁ ଲାଗି କରାଯାଏ । ପ୍ରଭୁଙ୍କ ଶରୀର ଶୁଷ୍କ ନ ହେବା ପାଇଁ ଏହା ଆପଣା ଯାଇଥାଏ ।
ଇଟିଭି ଭାରତ, ଭୁବନେଶ୍ବର