କେନ୍ଦ୍ରାପଡା: ୧୯୯୯ ମହାବାତ୍ୟାକୁ ଆଜି ଦୀର୍ଘ ଅଢେଇ ଦଶନ୍ଧି ପୂରିଛି । ପ୍ରଳୟକୁ ଯେ କେହି ବି ଦେଖିଛି ସେଦିନର କଥା ମନେ ପକାଇଲେ, ମନରେ କୋହ ଆସିବା ସ୍ବାଭାବିକ । ଏହି ମହାବାତ୍ୟାରେ ମୃତ୍ୟୁର ବିଭୀଷିକା କଥା ମନେ ପକାଇଲେ, ଆଜି ବି ପ୍ରଭାବିତଙ୍କ ଛାତି ଥରି ଉଠେ । ଜଗତସିଂହପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ପଡୋଶୀ କେନ୍ଦ୍ରାପଡା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା ।
ପୂର୍ବ-କେନ୍ଦ୍ରାପଡାର ଉପକୂଳ ବ୍ଲକ ମହାକାଳପଡା ବ୍ଲକର ଦୁଇ ଗ୍ରାମରେ ବାତ୍ୟା ଛଡାଇ ନେଇଥିଲା ୩୭ ଜଣଙ୍କ ଜୀବନ । ରାତିରେ ମାଡ଼ି ଆସିଲା ଢେଉ, ସମ୍ପର୍କୀୟଙ୍କ ଆଖି ସାମ୍ନାରେ ନିଖୋଜ ହୋଇଯାଇଥିଲେ ଏମାନେ । ଏବେ ମଧ୍ୟ ଏହି ହୃଦୟ ବିଦାରକ ଘଟଣାକୁ ମନେ ପକାଇବା ବେଳେ କୋହ ସମ୍ଭାଳି ପାରନ୍ତି ନାହିଁ ପାଣିଖିଆ ଗାଁ ଓ ତେନ୍ତୁଳିକନ୍ଦା ଗ୍ରାମବାସୀ ।
- ୧୯୯୯ ମହାବାତ୍ୟା ଓ ପାଣିଖିଆ ଗାଁ:
1999 ମସିହା ଅକ୍ଟୋବର 28 ତାରିଖ (ବୁଧବାର) ରାତି । ତୁହାକୁ ତୁହା ମୁଷଳଧାରରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢି ଚାଲିଥାଏ । ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅବିଭକ୍ତ ଗୋଗୁଆ ପଞ୍ଚାୟତ ତଥା ବର୍ତ୍ତମାନ ଲାଞ୍ଜୁଡ଼ା ପଞ୍ଚାୟତର ପାଣିଖିଆ ଗାଁରେ ମୃତ୍ୟୁର ତାଣ୍ଡବ ରଚିଥିଲା ମହାବାତ୍ୟା । ଗାଁର ପାର୍ବତୀ କିଶକୁଙ୍କ ସ୍ୱାମୀ, ଝିଅ, ନାତି-ନାତୁଣୀଙ୍କ ସମେତ ୪ ଜଣଙ୍କ ଜୀବନ ଭାସିଯାଇଥିଲା ସମୁଦ୍ରର ଢେଉରେ । ଅନ୍ୟପଟେ ସେହି ଗାଁର ସୁରେଶ ସୋରେନଙ୍କ ମା’, ଝିଆରୀ ଓ ପୁତୁରାଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା ଏହି ପ୍ରଳୟଙ୍କରୀ ବାତ୍ୟାରେ । ସେହିପରି ବାବୁଲି ଟୁଡୁଙ୍କ ପୁଅ ମଣ୍ଟୁ ଟୁଡୁ, ସାଖି ହାଁସଦା,କିସୁନ ସୋରେନଙ୍କ ପତ୍ନୀ ଫୁଲମଣି ସୋରେନ ଓ ମାଦ ହେମ୍ବ୍ରମଙ୍କୁ ମିଶାଇ ମୋଟ ୬ ଜଣ ଶିଶୁ, ୫ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ପାଣିଖିଆ ଗାଁର ମୋଟ ୧୨ ଜଣ ଏହି ମହାବାତ୍ୟାରେ ପ୍ରାଣ ହରାଇଥିଲେ ।
- ‘ଚାଳ ଉପରେ ଆଶ୍ରୟ ନେଇଥିଲୁ, ଢେଉ ଭସାଇ ନେଲା’
ସେଦିନର କାଳ ରାତିରେ ପ୍ରକୃତିର ତାଣ୍ଡବକୁ ବେଶ ନିକଟରୁ ଦେଖିଥିବା ଗୁରୁବା ହାଁସଦା କୁହନ୍ତି,‘‘ ସେତେବେଳେ ବିଜୁଳି କି ଟିଭି ନଥିଲା । ଗାଁରେ ସମସ୍ତଙ୍କର ଛପର ଘର ଥିଲା । ରେଡ଼ିଓରେ ବାତ୍ୟା ସମ୍ପର୍କିତ ଖବର ଶୁଣିବା ପରେ ଗାଁର ଏକ ଘରେ ଏକାଠି ହୋଇଥିଲୁ । ରାତି ୪ଟା ବେଳକୁ ସୁସୁ ଗର୍ଜନ ସହ ପବନର ବେଗ ବଢିବାକୁ । ସେତେବେଳେ ଆମେ ଘରର ଛପର କାଟି ଛୁଆପିଲାଙ୍କୁ ଉପରକୁ ଉଠାଇଲୁ । ଗାଈ ଗୋରୁଙ୍କୁ ଖୋଲି ଦେଲୁ । ଠିକ ୬ଟା ବେଳେ ପବନର ବେଗ ବଢ଼ିଲା । ଆମେ ଗୋଟିଏ ଛପର ଉପରେ ୩୦ ଜଣ ଗ୍ରାମବାସୀ ପରସ୍ପର ଜାବୁଡି ଧରି ରହିଥିଲୁ । ସମୁଦ୍ର ଢେଉ ମାଡି ଆସିଥିଲା ଓ ଦୁଇଜଣଙ୍କୁ ଭସାଇ ନେଇଥିଲା । ମୁଁ, ମୋ ବୋଉକୁ ଜାବୁଡି ଧରିଥିଲି, ତେଣୁ ଆମେ ବଞ୍ଚିଗଲୁ । ସେ ସମୟରେ ନିଜକୁ ବଞ୍ଚାଇବା କଷ୍ଟକର ଥିଲା । ତେଣୁ ଅନ୍ୟକୁ ବଞ୍ଚାଇବା ପାଇଁ ଚେଷ୍ଟା କରି ହେଲାନାହିଁ । ସେଇଠି ପାଖରେ ବସିଥିଲେ ମଧ୍ୟ ଆଖିକୁ ଆଖି ଦିଶୁନଥାଏ ଆଉ କାହାକୁ କେମିତି ରକ୍ଷା କରିବା ପାଇଁ ଚେଷ୍ଟା କରିବୁ? ତା’ ପରଦିନ ଅର୍ଥାତ ୩୦ ତାରିଖ ସକାଳେ ବାତ୍ୟା ଛାଡିଲା, ଦେଖିଲା ବେଳକୁ ଘରଦ୍ୱାର ଆଉ କିଛି ନାହିଁ । ଆମ ଗ୍ରାମର ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୫ ବର୍ଷ ପରେ କେବଳ ଆମକୁ ‘ରେଡକ୍ରସ’ ଘରଟିଏ ହୋଇଛି । ଆଉ କିଛି ନାହିଁ ।’’
- ତେନ୍ତୁଳିକନ୍ଦା ଗାଁରୁ ପ୍ରାଣ ହରାଇଥିଲେ ୨୩ ଜଣ:
୧୯୯୯ ମହାବାତ୍ୟାର ସବୁଠୁ ଅଧିକ ମୃତାହତ ଦେଖିଥିବା ଗାଁ ହେଉଛି ମହାକାଳପଡ଼ା ବ୍ଲକ ତେନ୍ତୁଳିକନ୍ଦା ଗାଁ । ଏହି ଗାଁରେ ସର୍ବାଧିକ ୨୩ ଜଣ ପ୍ରାଣ ହରାଇଥିଲେ । ଏନେଇ ପ୍ରତ୍ୟକ୍ଷଦର୍ଶୀ ତଥା ସେତେବେଳେ ମୃତାହତଙ୍କୁ ଉଦ୍ଧାର କରିଥିବା ପୂର୍ବତନ ସରପଞ୍ଚ ଅଶୋକ କୁମାର ସେନାପତି କୁହନ୍ତି, ‘‘୧୯୯୯ ମହାବାତ୍ୟା ଆମ ଗାଁରେ ଅନେକ କିଛି କ୍ଷୟକ୍ଷତି ହୋଇଥିଲା । ଧନସମ୍ପତ୍ତି ନଷ୍ଟର ହିସାବ ନାହିଁ, ହିସାବ ରଖିବା ପାଇଁ ସେ ସମୟ ନଥିଲା । ହୃଦୟ ବିଦାରକ ଘଟଣାରେ ଆମ ଗାଁର ମୋଟ ୨୩ଜଣ ପ୍ରାଣ ହରାଇଥିଲେ । ସେତେବେଳେ ଆମ ବାହାରେ ରହି କଲେଜରେ ପଢୁଥିଲୁ, ବାତ୍ୟାର ଠିକ ପୂର୍ବରୁ ଗାଁକୁ ଫେରିଥିଲୁ । ସେ ସମୟରେ ଗାଁର ଅବସ୍ଥା ଭଲ ନଥିଲା, କୋଠାଘର ନଥିଲା ଏବଂ ଲୋକେ ବାତ୍ୟା ପ୍ରତି ସତର୍କ ମଧ୍ୟ ନଥିଲେ ।
- ବଢ଼ିଲା ପବନ, ମାଡ଼ି ଆସିଲା ସମୁଦ୍ର ଜୁଆର
ଶୁକ୍ରବାର ସକାଳୁ ୨୯ ତାରିଖରେ ହଠାତ ପବନ ବହିବା ସହ ସକାଳ ସାଢେ ୮ ଟାରୁ ୯ଟା ମଧ୍ୟରେ ସମୁଦ୍ର ପାଣି ମାଡ଼ି ଆସିଲା । ସବୁ ଜଳମଗ୍ନ ହୋଇଗଲା । ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ଆମେ ଗାଁ ଲୋକଙ୍କୁ ଗାଁ ମଝିରେ ଥିବା ଉଚ୍ଚ ଚାଳ ଘରକୁ ଲୋକମାନଙ୍କୁ ନେଇ ଯାଉଥିଲୁ । ଗୋଟିଏ ଘରେ ୬୦-୭୦ ଜଣ ଲୋକ ଥିଲା ବେଳେ ସେ ଘରେ ପାଣି ପଶିଗଲା । ଠିକ୍ ସେତିକି ବେଳେ ମୁଁ ଆଉ କିଛି ଗାଁର ଯୁବକ ସେମାନଙ୍କୁ ସ୍ଥାନାନ୍ତର କରୁଥିଲୁ । ସେହି ସମୟରେ ବର୍ଷା ପବନରେ ମୋ ସହିତ ଥିବା ଅନ୍ୟ ଦୁଇଜଣ ଯୁବକ ଭାସି ପଳାଇଗଲେ । ତା’ ପରଦିନ ଆମେ ଯେତେବେଳେ ଦେଖିଲୁ ଯୁଆଡେ ଚାହିଁବ ସେ ଆଡେ କେବଳ ଡେଡ଼ବଡି ମିଳିଲା । ଶେଷରେ ଆମେ ହିସାବ କରି ଦେଖିଲୁ ଆମ ଗାଁର ୨୩ ଜଣ ଏହି ମହାବାତ୍ୟାରେ ମୃତାହତ ହୋଇଥିଲେ ।’’
- ମହାବାତ୍ୟା ସମ୍ପର୍କରେ କଣ କୁହନ୍ତି ଜିଲ୍ଲା ପ୍ରଶାସନ ଅଧିକାରୀ
୧୯୯୯ ମହାବାତ୍ୟା ସମ୍ପର୍କରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କୁହନ୍ତି,"ମହାବାତ୍ୟାରୁ ଓଡିଶାବାସୀ ଆମେ ଅନେକ ଶିକ୍ଷା ପାଇଲୁ । ଗତ ୨୫ ବର୍ଷ ଭିତରେ ଅନେକ ପରିବର୍ତ୍ତନ ଆସିଛି, ଲୋକମାନଙ୍କ ମାନସିକତାରେ ମଧ୍ୟ ବଦଳିଛି । ବର୍ତ୍ତମାନ ପରିସ୍ଥିତିରେ ଜିରୋ-କାଜୁଆଲିଟିକୁ ଆମେ ସଫଳ କରୁଛୁ । ତା ପାଇଁ ଆମର ‘ଏସଓପି’ ମଧ୍ୟ ଅଲଗା ହୋଇଛି ।ଯେଉଁ ସ୍ଥାନରେ ଅସୁବିଧା ରହିଛି ସେଗୁଡିକ ଅନୁଧ୍ୟାନ କରି ସେଠାରେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।
ଇଟିଭି ଭାରତ,କେନ୍ଦ୍ରାପଡା