କୋରାପୁଟ: ଆଉ ନାହାଁନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଆଜି ଭୋରରୁ ତାଙ୍କର ପରଲୋକ ଘଟିଛି । ସେ ଆଦିବାସୀ ଅଞ୍ଚଳରେ ଜନ୍ମ ନେଇଥିଲେ ସତ, କିନ୍ତୁ ତାଙ୍କ କାର୍ଯ୍ୟ ଥିଲା ଉଚ୍ଚକୋଟୀର । ଏଥିଲାଗି ସାରା ଦେଶରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ଆଜି ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଗାଁ ପାତ୍ରପୁଟ ।
କାନ୍ଦ ବୋବାଳିରେ ଫାଟୁଛି ଗାଁ:-
ଏଭଳି ମହାନ ବ୍ୟକ୍ତିଙ୍କୁ ହରାଇ ଗାଁ ପାତ୍ରପୁଟ ଶୋକରେ ବୁଡିଛି । ବନ୍ଧୁ ପରିଜନଙ୍କ କାନ୍ଦ ବୋବାଳିରେ ଫାଟୁଛି ଗାଁ । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ଲୋକଙ୍କ ଭିଡ଼ ଜମିଛି । ଆଜି ରାତିରେ ତାଙ୍କ ମର ଶରୀର ଆସି ପାତ୍ରପୁଟ ସ୍ଥିତ ତାଙ୍କ ଘରେ ପହଞ୍ଚିବ । ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ତାଙ୍କ ଅନ୍ତେଷ୍ଟିକ୍ରିୟାକୁ ରାଜକୀୟ ସମ୍ମାନର ସହ କରାଯିବ ବୋଲି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି ।
ଚିକିତ୍ସାଧୀନ ଅବସ୍ଥାରେ SCBରେ ମୃତ୍ୟୁ:-
ଚିକିତ୍ସାଧୀନ ଅବସ୍ଥାରେ କଟକ SCBରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କମଳା । ମୃତ୍ୟୁ ବେଳକୁ ତାଙ୍କୁ 76ବର୍ଷ ବୟସ ହୋଇଥିଲା । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ । ଏସସିବି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ 4 ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ।
ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ:-
ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ଦେଶରେ ସେ ପରିଚିତ ଥିଲେ । କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ । ସେ 1947 ମସିହାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା କାଣ୍ଡକିଗୁଡାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ରାମ କାଣ୍ଡକି । ଶ୍ବଶୁର ଘର ଗାଁ ପାତ୍ରପୁଟ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । 100ରୁ ଊର୍ଦ୍ଧ ସ୍ବଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି ସେଗୁଡିକର ସଂରକ୍ଷଣ କରି ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସଂରକ୍ଷିତ ଦେଶୀ ବିହନ ଭିତରେ କଳାଜିରା, ଝିଲି, ମାଛ କଣ୍ଟା, ହଳଦୀଗଣ୍ଠି ଭଳି 100 ପ୍ରଜାତିର ଧାନ ସଂରକ୍ଷଣ କରିଥିଲେ । 2019 ମସିହାରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ସେ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଅନେକ କ୍ଷେତ୍ରରେ ତାଙ୍କୁ ପୁରସ୍କୃତ କରାଯାଇଥିଲା ।
ସେ ସାଧାରଣ ଜୀବନଯାପନ କରୁଥିଲେ । ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ପାଇଁ ସେ ପ୍ରାରମ୍ଭିକ ଅବସ୍ଥାରେ 21ଜଣ ଉତ୍ସଗୀକୃତ ତଥା କର୍ମଠ ମହିଳାମାନଙ୍କୁ ନେଇ ନିଜ ଗାଁରେ ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି ନାମକ ଏକ ସଙ୍ଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ । ସେ ଏମଏସ ସ୍ବାମୀନାଥନ ଗବେଷଣାରୁ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ । ଜୋହେନସବର୍ଗରେ ଆନ୍ତର୍ଜାତିକ ସମ୍ମିଳନୀରେ ପାରମ୍ପରିକ କୃଷି ପ୍ରଣାଳୀ ଓ ବିହନ ସଂରକ୍ଷଣ ଉପରେ ବକ୍ତବ୍ୟ ପ୍ରଦାନ କରି ଭାରତବର୍ଷର ସମ୍ମାନ ବୃଦ୍ଧି କରିଥିଲେ । ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ 100ରୁ ଊର୍ଦ୍ଧ୍ବ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକଲୋଚନକୁ ଆସିଥିଲେ ।
ଇଟିଭି ଭାରତ, କୋରାପୁଟ