ETV Bharat / state

ତତଲା କଡେଇରେ କଳାହାଣ୍ଡି, ଚିନ୍ତା ବଢାଇଲେ ଅଂଶୁଘାତ ରୋଗୀ - Heatwave in Kalahandi

author img

By ETV Bharat Odisha Team

Published : May 2, 2024, 5:17 PM IST

କଳାହାଣ୍ଡିରେ ଉପରମୁହାଁ ପାରଦ
କଳାହାଣ୍ଡିରେ ଉପରମୁହାଁ ପାରଦ(Etv Bharat Odia)

Heatwave in Kalahandi: ପ୍ରଚଣ୍ଡ ଖରାରେ ସିଝିଲାଣି କଳାହାଣ୍ଡି । ପାରଦ ୪୦ ଡିଗ୍ରୀ ପାର । ଝାଞ୍ଜିପବନ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଲେଣି ଜିଲ୍ଲାବାସୀ । ସେପଟେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ତାତିରୁ କେବେ ତ୍ରାହି ମିଳିବ ସେନେଇ ଚିନ୍ତିତ ଲୋକେ ।

କଳାହାଣ୍ଡିରେ ଉପରମୁହାଁ ପାରଦ (Etv Bharat Odisha)

ଭବାନୀପାଟଣା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସମଗ୍ର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ପ୍ରଚଣ୍ଡ ତାତିରେ ସିଝୁଛି କଳାହାଣ୍ଡି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ଜିଲ୍ଲାର ତାପମାତ୍ରା ଏବେ ୪୦ ଡିଗ୍ରୀରୁ ଅଧିକ ରହୁଥିବାବେଳେ ସତେ ଯେପରି ତତଲା କଡେଇରେ ଭାଜି ହେଉଥିବା ଭଳି ମନେ ହେଉଛି । ସେପଟେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ଭୟଭୀତ ରହିଛନ୍ତି ଲୋକେ । ତେବେ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀକାଳିନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପର୍ଣ୍ଣ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।


ଗତ ସପ୍ତାହେ ଧରି କଳାହାଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଲୋକେ ବେଶ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିହାରେନ୍ଦ୍ର ପଣ୍ଡା ।

ସକାଳୁ ସକାଳୁ ପ୍ରବଳ ଖରା ହେତୁ ଲୋକଙ୍କ ଚିନ୍ତା ବଢିଯାଉଛି । ଦିନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବାବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ଜିଲ୍ଲାର ବିଭିନ୍ନ ନାଳ ପୋଖରୀରେ ପାଣି ଶୁଖିଯିବା କାରଣରୁ ଗୃହପାଳିତ ପଶୁପକ୍ଷୀମାନଙ୍କ ସହିତ ଜଙ୍ଗଲର ବନ୍ୟଜନ୍ତୁମାନଙ୍କୁ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଛି ।

ଖରାର ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କିଏ କଳା ଚଷମା ବ୍ୟବହାର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଅପରପକ୍ଷେ ଲସି ଓ ଆମ୍ବ ରସ ଦୋକାନରେ ସମସ୍ତଙ୍କ ଭିଡ ଜମୁଛି । ଥଣ୍ଡା ପାନୀୟର ଚାହିଦା ବଢିଥିବାବେଳେ ଲସି କିମ୍ବା ସରବତ ପିଇ ଆଶ୍ବସ୍ତ ଅନୁଭବ କରୁଛନ୍ତି ଲୋକେ । ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟା ଏବଂ ବିଜୁଳି କାଟ ଲୋକଙ୍କ ଆହୁରି ଅସ୍ତବ୍ୟସ୍ତ କରୁଛି । ତେବେ ଜୁନ ଯାଏଁ ଏଭଳି ସମୟ ଦେଖାଦେବ ବୋଲି ଲୋକେ ଚିନ୍ତିତ ହେଉଥିବା ବେଳେ ଆଗକୁ କାଳବୈଶାଖି ଥିବାରୁ ତାତିରୁ ଜିଲ୍ଲାବାସୀଙ୍କୁ ତ୍ରାହି ମିଳିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପରିଚାଳନା ଚିନ୍ତା ବଢ଼ାଉଛି ପ୍ରବଳ ତାତି

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.