ରାଉରକେଲା: ସୁନା ଦୋକାନରେ ଜିଏସଟି ରେଡ୍ । ଗତକାଲି(ମଙ୍ଗଳବାର) ରେଡ୍ କରି ସୁନା ଅଳଙ୍କାର ଜବତ କରିଥିବା ବେଳେ ଆଜି ଜିଏସଟି ବିଭାଗ ପକ୍ଷରୁ ଦୋକାନକୁ ସିଲ୍ କରାଯାଇଛି । ତେବେ ପୂର୍ବରୁ ଦୀପାବଳି ଏବଂ ଧନତେରସ ସମୟରେ ଏହି ଜୁଏଲରୀ ଦୋକାନ ଉପରେ ଜିଏସଟି ଚଢାଉ କରିଥିଲା । ସୁନା ଅଳଙ୍କାର କିଣିବା ବେଳେ ଏହି ଦୋକାନ ଗ୍ରାହକଙ୍କୁ ବିଲ୍ ଦେଉନଥିବା ଅଭିଯୋଗ ହୋଇଥିଲା ।
ବର୍ତ୍ତମାନ ଆର୍ଥିକ ବର୍ଷ ଶେଷ ଥିବାବେଳେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କଡା ନଜର ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଜିଏସଟି ବିଭାଗ ନଜରରେ ଅନେକ ସୁନାଗହଣା ରହିଛି । ତେବେ ରାଉରକେଲା ମୁଖ୍ୟ ରାସ୍ତାରେ ଥିବା କନକ ଜୁଏଲାରୀ ବିରୋଧରେ ଜିଏସଟି ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଥମେ ସୁନା ଅଳଙ୍କାର ଦେବାକୁ ମନା କରିବାରୁ ସୁନା ଦୋକାନ ମାଲିକ ଓ ଜିଏସ୍ଟି ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବାହ୍ନ ସାଢ଼େ ୧୦ଟାରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଏଭଳି ଯୁକ୍ତିତର୍କ ଲାଗି ରହିଥିଲା ।
ଜିଏସ୍ଟି ଅଧିକାରୀ ଜବତ ସୁନା ଅଳଙ୍କାର ନେବାକୁ ଜିଦ୍ ଧରିବାରୁ ଦୋକାନ ମାଲିକଙ୍କ ପରିବାର ପହଞ୍ଚି କଡ଼ା ବିରୋଧ କରିଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ପ୍ଲାଣ୍ଟସାଇଟ୍ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ଜିଏସ୍ଟି ଅଧିକାରୀ ଓ ସୁନା ଦୋକାନୀ ମାଲିକଙ୍କ ପରିବାରକୁ ବୁଝାସୁଝା କରିଥିଲେ । ହେଲେ ସମାଧାନର କୌଣସି ବାଟ ବାହାରି ପାରିନଥିଲା ।
ଏହା ମଧ୍ୟ ପଢନ୍ତୁ: ଟ୍ୟାକ୍ସ ଫାଙ୍କିବା ଅଭିଯୋଗ; ମୟୂରଭଞ୍ଜରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍
ଏହାପରେ ଆଜି ସକାଳୁ ଜିଏସଟି ବିଭାଗର 8 ଟିରୁ 9ଟି ଟିମ ଯାଇ ସୁନା ଦୋକାନୀର ସୁନା ଜବତ ସହ ଦୋକାନକୁ ସିଲ କରିଥିଲେ । ସୁନା ଅଳଙ୍କାର କିଣିବା ବେଳେ ପ୍ରତିଷ୍ଠାନ ଗ୍ରାହକଙ୍କୁ ବିଲ୍ ନଦେବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ଜିଏସଟି କର୍ମଚାରୀମାନେ ପୂର୍ବରୁ ଧନତେରସ ସମୟରେ ନଭେମ୍ବର ୯ରେ ଚଢ଼ାଉ କରିଥିଲେ । ଦୋକାନରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ ଏବଂ ଚଢ଼ାଉ କରିଥିଲେ । ଜିଏସଟି ବିଭାଗର ଆଠ ଜଣିଆ ଟିମ୍ ଏହି ଗହଣା ଦୋକାନରେ ଆଜି ମଧ୍ୟ ଚଢ଼ାଉ କରିଥିଲେ । ତେବେ ପୂର୍ବରୁ ହୋଇଥିବା ଚଢ଼ାଉରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ସମସ୍ତ ଜବତ କାଗଜପତ୍ର ଏବଂ ହିସାବ କିତାବର ସମସ୍ତ ଡକ୍ୟୁମେଣ୍ଟ ଜମା କରିବା ପାଇଁ ତିନି ମାସ ସମୟ ମଧ୍ୟ ଦିଆଯାଇଥିଲା । ତେବେ ଏଥିରେ ସଠିକ ତଥ୍ୟ ଦେବାରେ ବିଫଳ ହୋଇଥିଲା କନକ ଜୁଏଲର୍ସ ।
ତେବେ ସ୍ଥାନୀୟ ଅଳଙ୍କାର ବ୍ୟବସାୟର ଏକ ପ୍ରମୁଖ ନାମ କନକ ଜୁଏଲାରୀ ଏବେ ଜିଏସଟି ବିଭାଗର ତଦନ୍ତ ପରିସରଭୁକ୍ତ ହୋଇଛି । ସୁନା ଅଳଙ୍କାର କାରବାର ସମୟରେ ସଠିକ୍ ବିଲ୍ ନମିଳିବା, ଫେକ ବିଲ ତିଆରି କରିବା, ସୁନାର ଟ୍ୟାକ୍ସ ଫାଙ୍କି କରିବା ନେଇ ଗ୍ରାହକଙ୍କ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ତେବେ ଏନେଇ ଡେପୁଟି କମିସନର ଜଗଦୀଶ ଶାହା କହିଛନ୍ତି, "ଜିଏସଟି ପ୍ରବର୍ତ୍ତନର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହି ଚଢ଼ାଉ ଆରମ୍ଭ କରାଯାଇଥିଲା । ଏହି ଚଢ଼ାଉରେ କନକ ଜୁଏଲାରୀ ଗ୍ରାହକଙ୍କୁ ବିଲ ଦେଉନଥିବା ନେଇ ଜିଏସଟି ବିଭାଗ ଜାଣିବାକୁ ପାଇଥିଲା । ଜିଏସଟି ନିୟମ ଅନୁପାଳନ ଅନୁଧ୍ୟାନ ଓ ଲାଗୁ କରିବାର କ୍ଷମତା ଥିବା ଏହି ଟିମ୍ ନଭେମ୍ବର ୯ ତାରିଖରେ ଅତି ସତର୍କତାର ସହ ରେକର୍ଡ଼ ଯାଞ୍ଚ କରିଥିଲା ।"
ଇଟିଭି ଭାରତ, ରାଉରକେଲା