ସମ୍ବଲପୁର: ଏକ ଦଶନ୍ଧି ପରେ ସମ୍ବଲପୁର ସହରକୁ ପୁଣି ଫେରିଛି ଜଣ୍ଡିସ ବା କାମଳ ରୋଗ l 2014ରେ ସମ୍ବଲପୁର ସହରରେ ଜଣ୍ଡିସ ମହାମାରୀ ରୂପ ନେଇ ବହୁ ଲୋକଙ୍କ ଜୀବନ ନେଇଥିଲା । ପ୍ରାୟ 10 ହଜାର ଲୋକ ସେତେବେଳେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଆଉ ଏବେ ସମ୍ବଲପୁର ମହାନଗର ଅଞ୍ଚଳକୁ ପୁଣି ଫେରିଛି ଜଣ୍ଡିସ । ଯାହା ମହାନଗରବାସୀଙ୍କ ଚିନ୍ତା ବଢାଯାଇଛି ।
ଗତ କିଛି ମାସ ତଳେ ସମ୍ବଲପୁର ମହାନଗରରେ ହୀରାକୁଦ ସହରରେ ଡାଇରିଆ ବ୍ୟାପିଥିବା ବେଳେ ବର୍ତ୍ତମାନ ସମ୍ବଲପୁର ସହରରେ କାୟା ବିସ୍ତାର କରୁଛି ଜଣ୍ଡିସ । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଆଜି ସୁଦ୍ଧା 59 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା 49 ରହିଥିଲା । ସଂକ୍ରମିତ ପାନୀୟ ଜଳ ସେବନ ଯୋଗୁଁ ଏହି ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇଥାଇ ପାରେ ବୋଲି ପ୍ରାଥମିକ ଭାବେ କୁହାଯାଉଛି । ଗତ 2014 ମସିହା ପରି ଏଥର ମଧ୍ୟ ପିଏଚ୍ଡି ପାଣିକୁ ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି । ସଂଗ୍ରହ ହୋଇଥିବା ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଛି ।
ତେବେ ବର୍ତ୍ତମାନ ସଂକ୍ରମିତ ଅଞ୍ଚଳରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ସର୍ଭେ କାର୍ଯ୍ୟ ମଧ୍ୟ ଜାରି ରଖିଛି । ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସଂକ୍ରମିତଙ୍କ ଠାରେ ଜଣ୍ଡିସର ଆଂଶିକ ପ୍ରଭାବ ରହିଛି । ବର୍ତ୍ତମାନ ସୁଦ୍ଧା କେହି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି l ସମ୍ବଲପୁର ସହରର କୁମ୍ଭାରପଡା, ସାଲିଆବଗିଚା,ପେନସନପଡା ଓ ଧୋବାପଡା ଅଞ୍ଚଳରୁ ମୋଟ 59 ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି । ଆଉ ସବୁଠାରୁ ଚିନ୍ତାର ବିଷୟ ହେଉଛି ସଂକ୍ରମିତଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଶିଶୁ ଅଛନ୍ତି ।
ସେପଟେ ଆଜି ସୁଦ୍ଧା ମୋଟ 59 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆଉ ଏହାକୁ ସଂଖ୍ୟା ବଢ଼ି ପାରେ । ଜଣ୍ଡିସ୍ କାୟା ମେଲାଉଥିବା ସ୍ପଷ୍ଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର କୁମ୍ଭାରପଡାରୁ 2809 ଜଣକ ନମୁନା ସଂଗ୍ରହ କରାଯାଇଥିବା ବେଳେ 41ଟି ଜଣ୍ଡିସ ରୋଗୀ ବାହାରିଛନ୍ତି l ସେହିପରି ଧୁଵାପଡାରୁ 682 ଜଣକ ପରୀକ୍ଷା କରାଯାଇଥିଲା ବେଳେ 8ଟି ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ପେନସନପଡାରେ 1647 ଜଣକ ନମୁନା ସଂଗ୍ରହ କରାଯାଇଥିବା ନେଇ ସୂଚନା ମିଳିଛି l 14 ବର୍ଷରୁ କମ ବୟଷ୍କ ପିଲାଙ୍କ ପାଖରେ ଅଧିକ ସଂକ୍ରମଣ ଦେଖାଯାଇଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ପ୍ରଭାବିତ ଅଞ୍ଚଳରୁ ପାନୀୟ ଜଳ ପରୀକ୍ଷା କରାଯିବା ସହ କେତେକ ଖାଦ୍ୟ ପଦାର୍ଥର ନମୁନା ମଧ୍ୟ ପରୀକ୍ଷା କରାଯାଉଛି ।
ତେବେ ଚୁସକି, ଗୁପଚୁପରୁ ଏହି ଜଣ୍ଡିସ ବ୍ଯାପୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ଶୀତଳ ଷଷ୍ଠୀ ଯାତ୍ରା ସମୟରେ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାନୀୟ ଜଳ ପାଇପ ଫାଟି ପ୍ରଦୂଷିତ ଡ୍ରେନେଜ ପାଣି ମିଶିବା ଆଦି କାରଣରୁ ଏହି ଜଣ୍ଡିସ ହୋଇଥାଇ ପାରେ ବୋଲି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, କେତେକ ଲୋକ ବେଆଇନ ଭାବେ ପିଏଚଡି ପାଇପ କାଟି କନେକ୍ସନ ନେବାରୁ ବିଭିନ୍ନ ସ୍ଥାନରେ ପ୍ରଦୂଷିତ ପାଣି ପାନୀୟ ଜଳରେ ମିଶି ଯିବାରୁ ଏମିତି ସମସ୍ୟା ଉପୁଜୁଛି । ତେବେ ଏନେଇ ଜନ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟରେ ସିକଲ ସେଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ - SICKLE CELL Awareness
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ମେଡ଼ିକାଲ ଟିମ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ବାହାର ଖାଦ୍ୟ ନ ଖାଇବା ସହ ପାଣିକୁ ଫୁଟାଇ ପିଇବାକୁ ପରାମର୍ଶ ଦେଇଛନ୍ତି । ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରୁ ଜଣ୍ଡିସ ଘଟଣା ସୂଚନା ମିଳିବା ପରେ ପାଣିର ନମୁନା ସଂଗ୍ରହ କରାଯାଇଛି । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଣ୍ଡିସ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର