ଭୁବନେଶ୍ବର: ରାଜାଧାନୀରେ ଆନ୍ତଃରାଜ୍ୟ କାର ଚୋରି ରାକେଟ୍ । କାର ରିମୋର୍ଟ ହ୍ୟାକ୍ କରି ଚୋରି କରୁଥିଲେ ଦାମି କାର । ସନ୍ଦେହ ନହେବା ପାଇଁ ଫ୍ୟାମିଲି ଟ୍ରାଭେଲ ଆଳରେ ବୁଲୁଥିଲେ । ୫୦ ଲକ୍ଷର ଫର୍ଚ୍ୟୁନରକୁ ୧୫ ଲକ୍ଷରେ ବିକ୍ରି ଯୋଜନା ବେଳେ ଧରିଲା ପୋଲିସ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ମାଷ୍ଟରମାଇଣ୍ଡ ଜଣକ ବିବିଏ ପାଠ ପଢିଥିବା ସୂଚନା ଦେଇଛନ୍ତି ଜୋନ ୬ ଏସିପି ରମେଶ ବିଶୋଇ ।
ତେବେ ଅଭିଯୁକ୍ତମାନେ ଚୋରି ପାଇଁ ଆପଣାଇଥିଲେ ଭିନ୍ନ ଟ୍ରିକ । ବିବାହ ମଣ୍ଡପ ପାର୍କିଂରୁ ଚୋରି କରୁଥିଲେ ଦାମି ଗାଡି । କାର ରିମୋର୍ଟ ଫ୍ରିକ୍ୟୋନ୍ସି ହ୍ୟାକ୍ କରି ଚୋରାଉଥିଲେ ଗାଡି । ଗାଡିର ନମ୍ବର ପ୍ଲେଟ ବଦଳାଇ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପାର ହେଉଥିଲେ । ପରେ ନିଜର କିଛି ଚୋରା ଗାଡିର ନେଟୱାର୍କରେ ଆଣି ଗାଡ଼ି ବିକ୍ରି କରୁଥିଲେ । ଏଥିପାଇଁ ଟାର୍ଗେଟରେ ଥିଲେ ବ୍ଲାକ୍ମନି ବିଜନେସ ମ୍ୟାନ୍ । ଯେଉଁମାନଙ୍କୁ କମ ଦାମରେ କରୁଥିଲେ ଗାଡ଼ି ଡେଲିଭେରି । ଏଥିପାଇଁ ବିଲଡର୍, ଜମି ମାଫିଆ ଓ କୁଜି ନେତାଙ୍କ ଥିଲା ଡିମାଣ୍ଡ । ଦିଲ୍ଲୀର ନାରାୟଣା ଥାନା ଅଞ୍ଚଳରୁ ଚୋରି କରି ଆଣି ଭୁବନେଶ୍ବରରେ ବିକ୍ରି ଯୋଜନା ବେଳେ ଖବର ପାଇଥିଲା ପୋଲିସ । ପଟିଆ ଅଞ୍ଚଳରେ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୀର୍ଘ ୮ ଦିନ ହେବ ବିନା ନମ୍ବର ପ୍ଲେଟରେ ବୁଲୁଥିବାର ଖବର ପାଇ ପୋଲିସ ଭେରିଫିକେସନ ବେଳେ ଧରାପଡ଼ିଛନ୍ତି ୫ ଅଭିଯୁକ୍ତ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଦମ୍ପତି ଓ ଜଣେ ଯୁବକ । ସେମାନେ ହେଲେ ତାମିଲନାଡୁର ଜାହିଦ ହୁସେନ ଓ ତାର ପତ୍ନୀ ସବାନା ସିଦ୍ଦିକ୍ । ସେହିପରି ପଶ୍ଚିମବଙ୍ଗର ଏମ୍ଡି ଫରାଜ ଓ ତାର ପତ୍ନୀ ସାମନ୍ତା ନଶରିନ ବେଗମ ଓ ଅନ୍ୟତମ ଯୁବକ ଇଶାନ କ୍ଲାର୍ଶଇ ।
ଏହା ମଧ୍ୟ ପଢ଼ନ୍ତୁ...୭ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ, ନଗଦ ଟଙ୍କା ସହ ସୁନାଗହଣା ଜବତ
ତେବେ ଏମାନଙ୍କ ମଧ୍ୟରୁ ଜାହିଦ ହୁସେନ ଜଣଙ୍କ ବିବିଏ ପାଠ ପଢିଥିବା ବେଳେ ସେ ଦିବ୍ୟାଙ୍ଗ ରହିଛି । ତାର କାମ ହେଉଛି ଗାଡ଼ିକୁ ବିକ୍ରି କରିବା ଓ ଟଙ୍କା ସଂଗ୍ରହ କରିବା । ଏମାନେ ଚୋରି କରି ସାରିବା ପରେ ସେହି ରାଜ୍ୟଠୁ ଅନ୍ୟ ରାଜ୍ୟକୁ ପଳାଇ ଆସନ୍ତି । ହ୍ବାଟ୍ସଆପ୍ ଜରିଆରେ ଏମାନଙ୍କର କଲ ଓ କଣ୍ଟାକ୍ଟ ରହିଥିଲା । ଅଧିକାଂଶ ସମୟରେ କ୍ୟାସରେ କାରବାର କରୁଥିଲେ । ଏଥିପାଇଁ ସେମାନେ ଅଧିକାଂଶ ସମୟରେ ଅନେକ ଓୟୋ ଓ ହୋଟେଲରେ ରହୁଥିଲେ । କେତୋଟି ପୂର୍ବରୁ ଚୋରି କରିଥିବା ଫର୍ଚ୍ୟୁନର ଗାଡ଼ିର ନମ୍ବର ପ୍ଲେଟ ମଧ୍ୟ ମିଳିଛି । ଯାହାକୁ ସେମାନେ ବିକ୍ରି କରିସାରିଥିବା ସନ୍ଦେହ କରୁଛି ପୋଲିସ । ସେମାନେ ପୋଲିସକୁ ସନ୍ଦେହ ନହେବାକୁ ଫ୍ୟାମିଲି ଟ୍ରାଭେଲ ଆଳରେ ବୁଲାବୁଲି କରୁଥିଲେ । ଗାଡିର ନକଲି କାଗଜ ତିଆରି କରି ପାଖରେ ରଖୁଥିଲେ । ଏମାନେ ବିଭିନ୍ନ ମଲ ପାଖରେ ବା ଗହଳି ମାର୍କେଟ ବା ଟୁରିଷ୍ଟ ସ୍ପଟରେ ଗାଡିରେ ରହି ଏପରି ଚୋରା କାରବାର କରୁଥିଲେ । ତେବେ ପୋଲିସ ସନ୍ଦେହ କରୁଛି କିଛି ସେକେଣ୍ଡ ହ୍ୟାଣ୍ଡ ସୋରୁମ ମାଲିକ ଏହି ଚୋରା ଗାଡି ରାକେଟ ଲିଙ୍କରେ ଥାଇପାରନ୍ତି । ସେମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଖୁଲାସା ହୋଇପାରିବ ପୁରା ନେଟୱର୍କ ।
ଇଟିଭି ଭାରତ, ଭୁବନେଶ୍ବର