ଭୁବନେଶ୍ବର: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମନ ମୋହୁଛି ଓଡ଼ିଶାରର ‘କରୁଣା ସିଲ୍କ’ । ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା, ସେଥିରେ ଏକ ନୂଆ ବିଷୟ ଯୋଡ଼ି ହୋଇଛି । ଏହି ପଦ୍ଧତିରେ ବାହାରୁଥିବା ରେଶମ ସୂତାରେ ଏବେ କୌଣସି ପ୍ରକାର କୃତ୍ରିମ ରଙ୍ଗ ନ ମିଶାଇ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ‘କରୁଣା ସିଲ୍କ’ର କପଡ଼ା ପ୍ରସ୍ତୁତ କରାଯାଉଛି । ଏହି କପଡ଼ାରୁ ତିଆରି ଆଧୁନିକ ପୋଷାକ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ଆଦର ଲାଭ କରିଛି ।
ଅନ୍ତର୍ଜାତୀୟ ବାଣିଜ୍ୟ ମେଲାରେ ଓଡ଼ିଶାର କରୁଣା ସିଲ୍କ:
ମେଳା ବୁଲିବାକୁ ଆସିଥିବା ଉଦିତ ଜୈନ କହିଛନ୍ତି, ‘ଓଡ଼ିଶାର ‘କରୁଣା ସିଲ୍କ’ ବିଷୟରେ ମୁଁ ପ୍ରଥମଥର ପାଇଁ ବାଣିଜ୍ୟ ମେଳାରୁ ଜାଣିବାକୁ ପାଇଲି । ରେଶମ ପୋକକୁ ନମାରି ଏବଂ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ନକରି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ଏଭଳି ସିଲ୍କ ପ୍ରସ୍ତୁତ କରିବା ପ୍ରଶଂସାଯୋଗ୍ୟ ’ ।
ସେରିଫେଡ୍ ପକ୍ଷରୁ ମେଳାର ‘ଅମ୍ଳାନ’ ଆଉଟ୍ଲେଟ୍ରେ ଥିବା ବାବୁଲି ଦାସ କହିଛନ୍ତି, ‘କରୁଣା ସିଲ୍କର ପୋଷାକ ଦିଲ୍ଲୀବାସୀଙ୍କୁ ଭାରି ପସନ୍ଦ ଆସୁଛି । କାରଣ ଏହା ତନ୍ତ ତିଆରି । ତା’ ସାଙ୍ଗକୁ ଏଥିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଉ ନାହିଁ । ବାଣିଜ୍ୟ ମେଳାକୁ ଆସୁଥିବା ଲୋକେ ଏହାର ଲାଇଭ୍ ଡେମୋ ଦେଖିବା ପରେ ଏହି ପୋଷାକ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଉଛନ୍ତି’ ।
ଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନନ୍ତ ଓଝା କହିଛନ୍ତି, ‘ବାଣିଜ୍ୟ ମେଳାରେ ପ୍ରଦର୍ଶିତ ‘କରୁଣା ସିଲ୍କ’ ମତେ ବେଶି ଆକର୍ଷିତ କଲା । ପୋକକୁ ନମାରି ଖୋସାରୁ ରେଶମ ସଂଗ୍ରହ କରିବା ସହ ବୟନ ଶିଳ୍ପ କ୍ଷେତ୍ରରେ କ୍ରୁରତାହୀନ ନୀତିର ଏହା ଏକ ସୁନ୍ଦର ପ୍ରୟୋଗ । ଏକଥା ଆଜି ସାରା ଦେଶକୁ ଦେଖାଇଦେଇଛି ଆମ ରାଜ୍ୟ ଓଡ଼ିଶା ।’
କେତେ ପ୍ରକାରର ରେଶମ କୀଟରୁ ଚାଷ କରାଯାଏ:
ଓଡ଼ିଶାରେ ୪ ପ୍ରକାର ରେଶମ କୀଟର ଚାଷ କରାଯାଉଛି । ସେଗୁଡ଼ିକ ହେଲା ଏରି, ମଲବେରୀ, ଟସର ଏବଂ ମୁଗା । ରାଜ୍ୟରେ ପ୍ରଥମେ ଏରି ବା ଏଣ୍ଡିପୋକ ସୂତାରୁ ‘କରୁଣା ସିଲ୍କ’ ପ୍ରସ୍ତୁତ କରାଯାଉଥିଲା । ଏବେ ସମସ୍ତ ୪ ପ୍ରକାର ରେଶମ ଖୋସାରୁ ଏହି ସିଲ୍କ ପ୍ରସ୍ତୁତ କରାଯାଉଛି । ସାଧାରଣତଃ ରେଶମ ପୋକର ଖୋସାକୁ ପ୍ରଥମେ ଗରମ ପାଣିରେ ସିଝାଇ ସେଥିରୁ ସୂତା ବାହାର କରାଯାଏ । ସେହି ସୂତାରୁ ରେଶମ ପୋଷାକ ତିଆରି ହୁଏ । ଗରମ ପାଣିରେ ସିଝାଇବା ବେଳେ ଖୋସାରେ ଥିବା ପୋକର ମୃତ୍ୟୁ ହୁଏ ।
ସିଲ୍କ ଶାଢ଼ି ପ୍ରସ୍ତୁତ ପାଇଁ କେତେ ଖୋସା ଦରକାର ପଡ଼ିଥାଏ:
ଗୋଟିଏ ମଲବେରୀ ସିଲ୍କ ଶାଢ଼ି ପ୍ରସ୍ତୁତି ପାଇଁ ୧୦ରୁ ୨୦ ହଜାର ଖୋସା ଦରକାର ପଡ଼ିଥାଏ । ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ୀ ପାଇଁ ୫ରୁ ୭ ହଜାର ପର୍ଯ୍ୟନ୍ତ ଖୋସା ଦରକାର ପଡ଼େ । ଅର୍ଥାତ୍ ଏଥିରେ ସେତିକି ସଂଖ୍ୟାରେ ରେଶମ କୀଟଙ୍କ ଜୀବନ ଯାଇଥାଏ । କିନ୍ତୁ 'କରୁଣା ସିଲ୍କ' ପାଇଁ ରେଶମ କୀଟର ଜୀବନ ଯାଉନାହିଁ । ଏଥିପାଇଁ ଓଡ଼ିଶା କ୍ରୁରତାହୀନ ନୀତିକୁ ଆଦରି ନେଇଛି । ନୂତନ ପଦ୍ଧତି ଅନୁଯାୟୀ ପୋକକୁ ନ ମାରି ଏହା ଖୋସାକୁ ଫଟାଇ ପ୍ରଜାପତି ରୂପରେ ଉଡ଼ିଯିବା ପାଇଁ ଛାଡ଼ି ଦିଆଯାଏ । ପରେ ସେହି ଖୋସାକୁ ଆଣି ସେଥିରୁ ସୂତା ବାହାର କରାଯାଏ।
କରୁଣା ସିଲ୍କ’ ପଦ୍ଧତିରେ ବାହାରୁଥିବା ସୂତାରୁ ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’ ପ୍ରସ୍ତୁତ କରାଯାଉଛି:
ଗତ କିଛି ବର୍ଷ ଧରି ‘କରୁଣା ସିଲ୍କ’ ପଦ୍ଧତିରେ ବାହାରୁଥିବା ସୂତାରୁ ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’ ପ୍ରସ୍ତୁତ କରାଯାଉଛି । ଖୋର୍ଦ୍ଧା ନିକଟରେ ଥିବା ରାଉତପଡ଼ା ଅଞ୍ଚଳର ବୁଣାକାରମାନେ ଏହି ସୂତାରେ ଆବଶ୍ୟକ ରଙ୍ଗ ଦେଇ ମହାପ୍ରଭୁଙ୍କ ପାଇଁ ଆକର୍ଷଣୀୟ ଖଣ୍ଡୁଆ ପାଟ ବୁଣିଥାଆନ୍ତି । ଏହି ପାଟରେ ଜୟଦେବଙ୍କ ‘ଗୀତଗୋବିନ୍ଦ’ର ପଂକ୍ତି ବୁଣାଯାଇଥାଏ । ‘କରୁଣା ସିଲ୍କ’ର ନୂଆ ଧାରା ହିସାବରେ ଏବେ ଖୋସାରୁ ବାହାରୁଥିବା ସୂତାରେ କୌଣସି ପ୍ରକାର ରାସାୟନିକ ରଙ୍ଗ ନ ମିଶାଇ ତାକୁ ପ୍ରାକୃତିକ ଭାବେ ବ୍ୟବହାର କରାଯାଉଛି । କୌଣସି କୃତ୍ରିମ ରଙ୍ଗ ମିଶି ନଥିବା ଏହି ପୋଷାକ ଏବେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ହୋଇପାରିଛି ।
ଆଗାମୀ ଦିନରେ କରୁଣା ସିଲ୍କରୁ ପ୍ରସ୍ତୁତ ହେବ ପୋଷାକ:
ଆଗାମୀ ଦିନରେ ‘କରୁଣା ସିଲ୍କ’ ପ୍ରସ୍ତୁତ ପୋଷାକ ପାଇଁ କିପରି ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇପାରିବ, ସେ ଦିଗରେ କାମ କରୁଛି ଓଡ଼ିଶା । ଆମ୍ବ ଓ ପଣସ ଗଛର ଛାଲି, ଗେଣ୍ଡୁଫୁଲ ଓ କୁଙ୍କୁମ ଲଟାର ଫଳରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ବିଭିନ୍ନ ରଙ୍ଗ ‘କରୁଣା ସିଲ୍କ’ରୁ ତିଆରି ଆଧୁନିକ ପୋଷାକକୁ ରଙ୍ଗିନ ଓ ଆକର୍ଷଣୀୟ କରିବ।
ଓଡ଼ିଶାରେ କେଉଁ କେଉଁ ଜିଲ୍ଲାରେ ରେଶମ ଚାଷ କରାଯାଉଛି:
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରୋତ୍ସାହନରେ ରାଜ୍ୟର ୨୨ଟି ଜିଲ୍ଲାରେ ବିଭିନ୍ନ ପ୍ରକାର ରେଶମ ଚାଷ କରାଯାଉଛି। ସେହିପରି ଖୋର୍ଦ୍ଧାର ରାଉତପଡ଼ା, କଟକର ନୂଆପାଟଣା ଏବଂ ଯାଜପୁରର ଗୋପାଳପୁର ଅଞ୍ଚଳର ବୁଣାକାରମାନେ ପାରମ୍ପରିକ ଓ ଆଧୁନିକ ରେଶମ ଶାଢ଼ୀ, କପଡ଼ା ଏବଂ ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର