ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ମାତୃଭାଷାରେ ପ୍ରଚାର ପ୍ରସାର ପାଇଁ ସଭିଁଏ ନେବେ ଶପଥ । ଏନେଇ ସମସ୍ତ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ପ୍ରତିବର୍ଷ ଫେବୃଆରୀ ୨୧ ତାରିଖ ପାଳନ 'ଅନ୍ତର୍ଜାତୀୟ ମାତୃଭାଷା ଦିବସ' ପାଳନ କରାଯାଇଥାଏ । ଏହି ଦିବସ ଅବସରରେ ମାତୃଭାଷାର ପ୍ରଚାର ପ୍ରସାର ପାଇଁ କରାଯିବ ‘ଶପଥ ପାଠ' । ମାତୃଭାଷା ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ମାତୃଭାଷାର ବ୍ୟବହାର ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିବା ସହ ସୃଜନଶୀଳତାର ପରିପ୍ରକାଶ କରିବା ନେଇ ଲକ୍ଷ୍ୟ ରହିଛି । ମାତୃଭାଷାର ପ୍ରଚାର ପ୍ରସାର ପାଇଁ ଏହି ଦିବସ ପାଳନ କରାଯାଉଛି । ଏହାସହ ବିଦ୍ୟାଳୟରେ ମାତୃଭାଷାରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ ।
ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସହଯୋଗରେ ଶପଥ ପାଠ କରିବେ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଏବଂ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ଵାରା ଚଳିତ ବର୍ଷ ଫେବୃଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା 'ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ'। ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ସେମାନଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ, ବ୍ଲକ୍ ଓ ଜିଲ୍ଲାସ୍ତରୀୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ...ସଚିବସ୍ତରୀୟ ବୈଠକ; ଓଡ଼ିଆ ଭାଷା ସମ୍ମିଳନୀ ସଫଳତା ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟ ଶାସନ ସଚିବ
ମାତ୍ର ୧ ଘଣ୍ଟାରେ ସର୍ବାଧିକ ହସ୍ତଲିଖିତ ପୁସ୍ତକର ଚିଠା ଅନଲାଇନରେ ଅପଲୋଡ କରି ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଥିଲା ରାଜ୍ୟର ସମସ୍ତ ସରକାରୀ ସ୍କୁଲ । ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଛାତ୍ରଛାତ୍ରୀ ଲେଖିଥିଲେ ‘ମୋ କଥା ମୋ କାହାଣୀ'। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ଏବଂ ସାହିତ୍ୟ ପ୍ରତି ଆଗ୍ରହ ବଢାଇବା ।
ଏହା ସହିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଗଳ୍ପ ପ୍ରତିଯୋଗିତା, ଓଡ଼ିଆ କବିତା, ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକୃତା, ସଙ୍ଗୀତ ପ୍ରତିଯୋଗିତା ଏବଂ ଅନୁବାଦ ପ୍ରତିଯୋଗିତା (ସାନ୍ତାଳୀରୁ ଓଡ଼ିଆ, ଜୁଆଙ୍ଗରୁ ଓଡ଼ିଆ, ହୋରୁ ଓଡ଼ିଆ ଏବଂ କୁଡୁମିରୁ ଓଡ଼ିଆ ) ଆଦି ପ୍ରତିଯୋଗିତା କରାଯାଇଥିଲା । ଏପରିକି ଏହି ସମ୍ମିଳନୀରେ ଜନଜାତି କଳା ସଂସ୍କୃତିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର