କୋରାପୁଟ: ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ । ବିଦ୍ୟାଳୟ ପରିସରକୁ ପଲିଥିନ ମୁକ୍ତ କରିବା ସହ ପିଲାଙ୍କ ମଧ୍ୟରେ ଜଳ ଓ ପୁଷ୍ଟିକର ଖାଦ୍ୟ ନେଇ ସଚେତନତା ସୃଷ୍ଟି କରାଯାଇଛି । କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଳ ଖାଇବା ନେଇ ସଚେତନତା ସୃଷ୍ଟି କରାଯାଇଛି । ଏହାସହ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ ଖାଇବାର ଅଭ୍ୟାସ କରାଇବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । "ଏହି ସଚେତନତା ଦ୍ବାରା ଛାତ୍ରଛାତ୍ରୀ ପ୍ରତିଦିନ ନିଜ ଟିଫିନ ବକ୍ସରେ ଜଳଖିଆ ସହିତ ଯେକୌଣସି ଏକ ଫଳ ନେଇ ଆସୁଛନ୍ତି" ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୋ ଜଣାଇଛନ୍ତି । ପ୍ରତିଦିନ ତୃତୀୟ ପିରିଅଡ଼ରେ ପ୍ରଥମ ୫ ମିନିଟ ପିଲାମାନେ ଫଳ ଖାଇବା ପାଇଁ ଉପଯୋଗ କରୁଥିବାବେଳେ ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।
ଘରେ ଫଳ ଖାଇବାକୁ ଇଚ୍ଛା ଥିଲେ ମଧ୍ୟ ବିଭିନ୍ନ କାରଣରୁ ସବୁ ଫଳ ଖାଇବା ସମ୍ଭବ ହୋଇନଥାଏ । ତେବେ ଏହି ପିରିଅଡ଼ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ବିଭିନ୍ନ ଫଳର ଉପଯୋଗୀତା ସମ୍ପର୍କରେ ଜାଣିବା ପରେ ପରସ୍ପର ମଧ୍ୟରେ ଫଳ ବାଣ୍ଟି ଖାଉଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ଯରେ ସହଭାଗିତା ମନୋଭାବ ସୃଷ୍ଟି ହୋଇଥିବା କହିଛନ୍ତି ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ । "ଫଳ ଖାଇବାର ଅଭ୍ୟାସ ଯୋଗୁ ପିଲାଙ୍କ ମଧ୍ୟରେ ଅସ୍ବାସ୍ଥ୍ୟକର ଚଟପଟି ଖାଦ୍ୟ ପ୍ରତି ବୃଦ୍ଧି ପାଉଥିବା ଅହେତୁକ ଆକର୍ଷଣ ହ୍ରାସ ପାଇବ" ବୋଲି ବିଦ୍ୟାଳୟର ପ୍ରାଥମିକ ଶାଖାର ପ୍ରଧାନ ଶିକ୍ଷକ ବି . ପ୍ରଦୀପ କୁମାର କହିଛନ୍ତି । ଏହି ପଦକ୍ଷେପକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ଯୋଗାଭ୍ୟାସ ମନ ଓ ଶରୀରକୁ ସୁସ୍ଥ ରଖେ - Yogotsav
ଏହି ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରର ଅଭିଭାବକ ସନ୍ତୋଷୀ ମହାପାତ୍ରଙ୍କ କହିଛନ୍ତି, "ଏହି ପଦକ୍ଷେପ ଘରୋଇ ବଗିଚାରେ ଅମୃତଭଣ୍ଡା , ପିଜୁଳି ଓ ଡାଳିମ୍ବ ଭଳି ବିଭିନ୍ନ ଫଳ ଗଛ ଲଗାଇବା ପାଇଁ ଅଭିଭାବକଙ୍କୁ ପ୍ରେରିତ କରିବ ।" ଜାତୀୟ ସ୍ତରରେ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶିକ୍ଷାନୁଷ୍ଠାନ ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରାଯାଇଛି । ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀ ଏକ ମୁକ୍ତ ଶିକ୍ଷଣୀୟ ପରିବେଶରେ ଅଧ୍ୟୟନ କରୁଛନ୍ତି । ନିଜ ନିଜ କଳା ଓ ଦକ୍ଷତାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ।
ଇଟିଭି ଭାରତ, କୋରାପୁଟ