ହାଇଦ୍ରାବାଦ: ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶ ଭାରତ ଚଳିତବର୍ଷ 78ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି । ଆନ୍ଦୋଳନ, ସଂଘର୍ଷ ମାଧ୍ୟମରେ ପରାଧୀନତାରୁ ମୁକ୍ତ ହୋଇଥିବା ବିଶ୍ବର ଅସଂଖ୍ୟ ଦେଶ ମଧ୍ୟରେ ଭାରତର ଭିନ୍ନ ଏକ ପରିଚୟ ରହିଛି । କାରଣ ବିଭିନ୍ନ ସମ୍ପ୍ରଦାୟ, ଭାଷା, ସଂସ୍କୃତି, ଚଳଣିରେ ବ୍ୟାପକ ଭିନ୍ନତା ଥିବା ସତ୍ତ୍ବେ ମଧ୍ୟ ଶକ୍ତିଶାଳୀ ଇଂରେଜ ସରକାର ବିରୋଧରେ ଭାରତୀୟ ସମାଜର ଅଂହିସା ଆଧାରିତ ମିଳିତ ଲଢେଇ ଏକ ବିଶ୍ବକୁ ଏକ ଭିନ୍ନ ବାର୍ତ୍ତା ଦେଇଛି । ଏହି ଆନ୍ଦୋଳନରେ ପୂର୍ବ-ଭାରତୀୟ ରାଜ୍ୟ ଓଡିଶାର ମଧ୍ୟ ବଡ ଭୂମିକା ରହିଥିଲା । ଓଡିଆମାନେ ସ୍ବାଧୀନ ଚେତନାରେ ପ୍ରଭାବିତ ହୋଇଥିଲେ । ଜାତୀୟ ସ୍ତରରେ ଆହୁତ ପ୍ରାୟ ସମସ୍ତ ଆନ୍ଦୋଳନର ସୁଦୂରପ୍ରସାରୀ ପ୍ରଭାବ ଓଡିଶାରେ ସ୍ପଷ୍ଟ ଅନୁଭୂତ ହୋଇଥିଲା । ଏପରିକି ଦେଶରେ 1857ରେ ହୋଇଥିବା ସିପାହୀ ବିଦ୍ରୋହକୁ ସ୍ବାଧୀନତା ସଂଗ୍ରାମର ଅୟମାରମ୍ଭ କୁହାଯାଉଥିଲେ ସୁଦ୍ଧା ଓଡିଶାରେ ଏହାର ପ୍ରାୟ 4 ଦଶନ୍ଧି ପୂର୍ବରୁ ବ୍ରିଟିଶ ବିରୋଧୀ ଆନ୍ଦୋଳନର ମଳଦୁଆ ପଡିସାରିଥିବା ଇତିହାସରୁ ଜଣାପଡେ ।
- 1803ରେ ଓଡିଶା ଅଧିକାର କରିଥିଲେ ଇଂରେଜ :-
ଏହି ବର୍ଷ ଓଡିଶାରେ ଇଂରେଜ ରାଜତ୍ବ ଆରମ୍ଭ ହୋଇଥିଲା । ସେମାନେ ପଶ୍ଚିମବଙ୍ଗରୁ ଓଡିଶାରେ ପ୍ରବେଶ କରି ଶାସନ କ୍ଷମତା ଦଖଲ କରିଥିଲେ । ସେତେବେଳେ ଖୋର୍ଦ୍ଧାଗଡର ରାଜା ଦ୍ବିତୀୟ ମୁକୁନ୍ଦ ଦେବ ସେମାନଙ୍କୁ ବାଧା ଦେବାକୁ ପ୍ରୟାସ କରିଥିଲେ । ମୁକୁନ୍ଦ ଦେବଙ୍କ ମନ୍ତ୍ରୀ ଜୟୀ ରାଜଗୁରୁ ଇଂରେଜ ବିରୋଧୀ ଲଢେଇର କର୍ଣ୍ଣଧାର ସାଜିଥିଲେ । ଫଳରେ ତାଙ୍କୁ ଇଂରେଜମାନେ ଧରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ରାଜଗୁରୁଙ୍କୁ ଦେଶର ପ୍ରଥମ ଶହୀଦ ବୋଲି ମଧ୍ୟ କୁହାଯାଏ । ହେଲେ ସରକାରୀ ଭାବେ ଏହାକୁ ମାନ୍ୟତା ମିଳିନି । ଯାହା ବିଭିନ୍ନ ସମୟରେ ଓଡିଶା ସରକାର କେନ୍ଦ୍ର ନିକଟରେ ଦାବି କରିଆସୁଛି ।
1857 ସିପାହୀ ବିଦ୍ରୋହ ପୂର୍ବରୁ 1817 ପାଇକ ବିଦ୍ରୋହ :-
1857 ସିପାହୀ ବିଦ୍ରୋହର ପ୍ରାୟ 40ବର୍ଷ ପୂର୍ବରୁ ଓଡିଶାରେ 1817 ମସିହାରେ ‘ପାଇକ ବିଦ୍ରୋହ’ ଆରମ୍ଭ ହୋଇଥିଲା । ଓଡିଶା ଓ ଖୋର୍ଦ୍ଧାଗଡକୁ ଅକ୍ତିଆର କରିବା ପାଇଁ ଇଂରେଜଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା । ଇଂରେଜ ସେନା ଓ ପାଇକଙ୍କ ମଧ୍ୟରେ ଏହି ଗରିଲା ଯୁଦ୍ଧର ନେତୃତ୍ବ ନେଇଥିଲେ ବଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁ । ଉପକୂଳ କିମ୍ବା ଖୋର୍ଦ୍ଧାଗଡକୁ ଛାଡିଦେଲେ, ପଶ୍ଚିମ ଓଡିଶାର ସମ୍ବଲପୁରରେ ମଧ୍ୟ 1857 ରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ବ୍ୟାପକ ହୋଇଥିଲା । ସେହିପରି 1835- 1836 ମଧ୍ୟରେ ଘୁମୁସର ଆନ୍ଦୋଳନର ନେତୃତ୍ବ ନେଇଥିଲେ ସଂଗ୍ରାମୀ ଡୋରା ବିଷୋୟୀ, ଚକରା ବିଷୋୟୀ ।
ଭାରତୀୟ ସ୍ବାଧିନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅଭ୍ୟୁଦୟ ଓ ଓଡିଶାରେ ଏହାର ପ୍ରଭାବ:-
ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷ୍ଣବ ଆନ୍ଦୋଳନର ପୁରୋଧା ସାଜିଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀ ବିଲାତରୁ ଫେରିବା ପରେ ଭାରତୀୟ ସ୍ବାଧୀନତା ସଂଗ୍ରାମ ଏକ ସଂଗଠିତ ଓ ନୂଆ ରୂପ ପାଇଥିଲା । 1905 ମସିହାରେ ଗାନ୍ଧିଜୀ ଦେଶରେ ସ୍ବାଧିନତା ଆନ୍ଦୋଳନର ନେତୃତ୍ବ ନେବା ଆରମ୍ଭ କଲେ । ଏହା ଦୁଇଦଶନ୍ଧି ପୂର୍ବରୁ 1886 ମସିହାରେ ଭାଷାଭିତ୍ତିକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନର ମୁଳଦୁଆ ପଡିସାରିଥିଲା । କୁଳବୃଦ୍ଧ ମଧୁସୁଦନ ଦାସ ଏହାର ଅୟମାରମ୍ଭ କରିଥିଲେ । ପରେ ଏହା ଫଳପ୍ରଦ ମଧ୍ୟ ହୋଇଥିଲା । ପରାଧୀନ ଭାରତରେ ଓଡିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆତ୍ମପ୍ରକାଶ କରିଥିଲା । ଏହାର ନାମ ଥିଲା ଉତ୍କଳ ପ୍ରଦେଶ ।
1920 ମସିହାରେ ଗାନ୍ଧିଜୀଙ୍କ ସ୍ବାଧୀନତା ସଂଗ୍ରାମ ଡାକରାର ପ୍ରତ୍ୟକ୍ଷ ପ୍ରବାହ ଓଡିଶାକୁ ଆଗମନ କରିଥିଲା । ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ ସେତେବେଳେ ପ୍ରାଦେଶିକ ଓଡିଶା କଂଗ୍ରେସ କମିଟିର ପ୍ରଥମ ସଭାପତି ହୋଇଥିଲେ । 1920 ରେ ଉତ୍କଳମଣି ଗୋପବନ୍ଧୁ ଦାଶ ‘ଉତ୍କଳ ସମ୍ମିଳନୀ’କୁ ଭାରତୀୟ ଜାତୀୟ କଂଗ୍ରେସରେ ବିଲୟ କରିବା ସହ ସ୍ବାଧିନତା ସଂଗ୍ରାମକୁ ରାଜ୍ୟରେ ବ୍ୟାପକ କରିଥିଲେ । 1921 ସୁଦ୍ଧା ପ୍ରାୟ 52ହଜାର ଓଡିଆ ପ୍ରାଦେଶିକ କମିଟିର ସଦସ୍ୟତା ଗ୍ରହଣ କରିଥିଲା । ଯାହା କଂଗ୍ରେସକୁ ଓଡିଶାରେ ଶକ୍ତିଶାଳୀ କରିବା ସହ ସ୍ବାଧିନତା ଆନ୍ଦୋଳନର ଏକ ଶକ୍ତିଶାଳୀ ପୃଷ୍ଠଭୂମି ପ୍ରସ୍ତୁତ କରଥିଲା ।
- ଜନଜାତି ଆନ୍ଦେଳନ :-
ଓଡିଶାରେ ସ୍ବାଧୀନତା ସଂଗ୍ରାମର ଏକ ବଡ ଭୂମିକା ବହନ କରିଥିଲେ ଜନଜାତି ସମ୍ପ୍ରଦାୟ । କୋରାପୁଟରେ ଲକ୍ଷ୍ମଣ ନାୟକ, କେନ୍ଦୁଝରରେ ରତନ ନାଏକ, ଘୁମୁସରର ଦୋରା ବିଷୋୟୀ ଓ ଚକରା ବିଷୋୟୀ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ପ୍ରମୁଖ ବ୍ରିଟିଶ ବିରୋଧୀ ଆନ୍ଦୋଳନର ମଙ୍ଗ ସମ୍ଭାଳିଥିଲେ ।
- ସ୍ବଦେଶୀ ଆନ୍ଦୋଳନର ପ୍ରଭାବ:-
ପାଶ୍ଚାତ୍ୟ ସାମଗ୍ରୀ ବର୍ଜନ କରିବା ପାଇଁ ଆରମ୍ଭ ହୋଇଥିବା ସ୍ବଦେଶୀ ଆନ୍ଦୋଳନର ସୁଦୂରପ୍ରସାରୀ ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଥିଲା । 1905 ରେ ପଶ୍ଚିମବଙ୍ଗରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉତ୍ତର ଓଡିଶା ଜିଲ୍ଲା ବାଲେଶ୍ବରରେ ପ୍ରବଳ ମାତ୍ରାରେ ଅନୁଭୂତ ହୋଇଥିଲା । ସେହିବର୍ଷ ସେପ୍ଟେମ୍ବର 3 ତାରିଖେ ବାଲେଶ୍ବର ଟାଉନ ହଲରେ ଆୟୋଜିତ ସଭାରେ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଲୋକେ ବିଦେଶୀ ବସ୍ତ୍ର ଓ ସାମଗ୍ରୀରେ ନିଆଁ ଲଗାଇଥିଲେ । ବିଶିଷ୍ଟ ଓଡିଆ କଥାକାର ତଥା ବ୍ୟାସକବି ଫକୀର ମୋହନ ସେନାପତି, ଦୈତାରୀ ଦାସ ଓ କରୁଣାକର ସାହୁ ପ୍ରମୁଖ ଏହି ଆନ୍ଦୋଳନର ପ୍ରମୁଖ ନେତୃମଣ୍ଡଳୀ ଥିଲେ ।
ଅସହଯୋଗ ଆନ୍ଦୋଳନର ପ୍ରଭାବ:-
1920 କଂଗ୍ରେସର ଲାହୋର ଅଧିବେଶନରେ ଇଂରେଜ ସରକାରଙ୍କୁ ଅସହଯୋଗ କରିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ଧାଡିରେ ଓଡିଶା ମଧ୍ୟ ଆଗରେ ଥିଲା । ଏକାଧିକ ଓଡିଆ ନେତା ବ୍ରିଟିଶ ନେତତ୍ବଧୀନ ଓଡିଶା-ବିହାର ବିଧାନସଭା ଓ କେନ୍ଦ୍ରୀୟ ବିଧାନସଭାରୁ ଇସ୍ତଫା ଦେଇଥିଲେ । 1930 ମାର୍ଚ୍ଚ 12 ତାରିଖରେ ଓଡିଶା କଂଗ୍ରେସ ସ୍ବାଧୀନତା ଦିବସ ମଧ୍ୟ ପାଳନ କରିଥିଲା । ଗାନ୍ଧିଜୀ ଗୁଜୁରାଟର ଦାଣ୍ଡିରେ ଲୁଣ ମାରି ଏହି ଆନ୍ଦୋଳନର ଶୁଭାରମ୍ଭ କରିଥିଲେ ।
- ଗାନ୍ଧିଜୀଙ୍କ ଓଡିଶା ଆଗମନ:-
ସାରା ଦେଶରେ ସ୍ବାଧିନତା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ମହାତ୍ମା ଗାନ୍ଧୀ ଭାରତ ଯାତ୍ରା ଆରମ୍ଭ କରିଥିଲେ । ଏହିକ୍ରମରେ ସେ 1921 ମାର୍ଚ୍ଚ ମାସରେ ପ୍ରଥମ ଥର ଓଡିଶାରେ ପହଞ୍ଚିଥିଲେ । ମାର୍ଚ୍ଚ 23 ତାରିଖରେ କଟକ ସହରର କାଠଯୋଡି ନଦୀପଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ଗାନ୍ଧିଜୀ । ଏଥିରେ ଲକ୍ଷାଧିକ ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଭାରତୀୟ ସ୍ବତନ୍ତ୍ରତା ଆନ୍ଦୋଳନ, ଅହିଂସା ମାର୍ଗ, ସାମ୍ପ୍ରଦାୟିକ ନିରପେକ୍ଷତା ଓ ଭାତୃଭାବ ଉପରେ ଗାନ୍ଧୀ ଦେଇଥିବା ଅଭିଭାଷଣ ଯାହା ପରବର୍ତ୍ତୀ ସମୟରେ ଓଡିଶାରେ ବ୍ରିଟିଶ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବାରେ ପ୍ରଭାବୀ ଭୂମିକା ଗ୍ରହଣ କରିଥିଲା ।
- ଓଡିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଭାବ:-
ଗାନ୍ଧିଜୀଙ୍କ ନେତୃତ୍ବରେ ଜାତୀୟ କଂଗ୍ରେସ ଦ୍ବାରା ଆହୁତ ହୋଇଥିଲା ଆଇନ ଅମାନ୍ୟ ଆନ୍ଦୋଳନ ଆନ୍ଦୋଳନ । ଇଂରେଜ ସରକାରଙ୍କ ଦ୍ବାରା ପ୍ରଚଳିତ ଦମନମୂଳକ ଆଇନକୁ ବରଦାସ୍ତ କରାଯିବ ନାହିଁ ବୋଲି ଏଥିରେ ସଂକଳ୍ପ ପାରିତ ହୋଇଥିଲା । ବିଶେଷ ଭାବେ ଭାରତୀୟମାନେ ଲୁଣ ମାରିପାରିବେ ନାହିଁ ବୋଲି ଇଂରେଜ ସରକାର ଆଇନ ପ୍ରଣୟନ କରିବା ପରେ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ଓଡିଶାରେ ମଧ୍ୟ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସଙ୍କ ପରି ନେତାଙ୍କ ନେତୃତ୍ବରେ ଶତାଧିକ ଓଡିଆ ସତ୍ୟାଗ୍ରହୀ ବାଲେଶ୍ବର ଇଞ୍ଚୁଡିରେ ଲୁଣ ମାରି ବ୍ରିଟଶ ନିୟମ ଭଙ୍ଗ କରି ଅସହଯୋଗର ପ୍ରମାଣ ଦେଇଥିଲେ । ଏପ୍ରିଲ 6 ତାରିଖରେ ସେମାନେ କଟକର ସ୍ବରାଜ ଆଶ୍ରମରୁ ବାଲେଶ୍ବର ଇଞ୍ଚୁଡିକୁ ଯାତ୍ରା କରି 12 ତାରିଖରେ ବାଲେଶ୍ବର ଉପକୂଳରେ ଲୁଣ ମାରିଥିଲେ । ଏହା ପରେ ସମଗ୍ର ଓଡିଶାରେ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ବ୍ୟାପକ ହୋଇଥିଲା । ପୁରୀ, ଗଞ୍ଜାମ, ସମ୍ବଲପୁର ଓ ବାରିପଦାରେ ଲୋକେ ବ୍ରିଟିଶରଙ୍କ ଲୁଣ କଟକଣାକୁ ବିରୋଧ କରିଥିଲେ । ଏପ୍ରିଲ 20 ତାରିଖରେ ବିଶିଷ୍ଟ ନାରୀ ସ୍ବାଧିନତା ସଂଗ୍ରାମୀ ରମାଦେବୀ, ମାଳତି ଚୌଧୁରୀଙ୍କ ନେତୃତ୍ବରେ ଶତାଧିକ ମହିଳା ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଇଞ୍ଚୁଡିରେ ପହଞ୍ଚିଥିଲେ । ଓଡିଶାର ଗାନ୍ଧିଜୀଙ୍କ ଡାକରାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିବାରୁ ଏହାକୁ ଦେଶର ‘ଦ୍ବିତୀୟ ଦାଣ୍ଡି ଯାତ୍ରା’ ବୋଲି କୁହାଯାଏ ।
- ଭାରତ ଛାଡ ଆନ୍ଦୋଳନ:-
1942 ଅଗଷ୍ଟ 8 ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ଏହି ସଙ୍କଳ୍ପ ପାରିତ ହୋଇଥିଲା । ଏହା ଥିଲା ଭାରତୀୟ ଅହିଂସାଧର୍ମୀ ସ୍ବାଧୀନତା ଆନ୍ଦୋଳନର ସର୍ବାଧିକ ପ୍ରଭାବଶାଳୀ ଘଟଣାକ୍ରମ । ଏହାକୁ ‘ଅଗଷ୍ଟ କ୍ରାନ୍ତି’ ବୋଲି ମଧ୍ୟ କୁହାଯାଏ । ସେତେବେଳେ ଅଧିବେଶନ ଶେଷ ହେବା ମାତ୍ରେ ଶୀର୍ଷ କଂଗ୍ରେସ ନେତାଙ୍କୁ ବ୍ରିଟିଶ ସରକାର ଗିରଫ କରିଥିଲେ । ଓଡିଶାରୁ ଏହି ଅଧିବେଶନରେ ପ୍ରତିନିଧିତ୍ବ କରିଥିବା ହରେକୃଷ୍ଣ ମହତାବଙ୍କୁ ମଧ୍ୟ ସେତେବେଳେ ଗିରଫ ହେବାକୁ ପଡିଥିଲା । ତାଙ୍କୁ ଅହମ୍ମଦନଗର ଜେଲରେ ରଖାଯାଇଥିଲା । ‘ଭାରତ ଛାଡ ଆନ୍ଦୋଳନ’ ପ୍ରଭାବ ମଧ୍ୟ ଓଡିଶାରେ ବହୁମାତ୍ରାରେ ସଫଳ ହୋଇଥିଲା ।
ଦକ୍ଷିଣ ଓଡ଼ିଶାାରେ ଭାରତ ଛାଡ଼ ଆନ୍ଦୋଳନ:-
1942 ରେ ଭାରତ ଛାଡ ଆନ୍ଦୋଳନର ପ୍ରଭାବ ସିଧା ଦକ୍ଷିଣ ଓଡିଶାରେ ମଧ୍ୟ ଅନଭୂତ ହୋଇଥିଲା । ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ହଜାର ହଜାର ଆନ୍ଦୋଳନକାରୀ ଏହି ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଘେରାଓ ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଲାଇଥିଲା । ଏଥିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ଏହି ଅଭିଯୋଗରେ ଲକ୍ଷ୍ମଣଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ସମୟରେ ଫାଶୀ ଦିଆଯାଇଥିଲା । ରାଜ୍ୟର ଅନ୍ୟତମ ଶହୀଦ ମଧ୍ୟରୁ ଜଣେ ଥିଲେ ଲକ୍ଷ୍ନଣ ନାୟକ ।
ରେଭେନ୍ସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜ ବର୍ଜନ କରିଥିଲେ । ବିଭିନ୍ନ ସ୍ଥାନରେ ‘ବ୍ରିଟଶର ତୁମେ ଫେରିଯାଓ ନାରା’ ଲାଗିଥିଲା । ବିଦେଶୀ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବର୍ଜନ କରାଯାଇଥିଲା । ସରକାରୀ ସଂସ୍ଥା ଓ ଅନୁଷ୍ଠାନରେ କାର୍ଯ୍ୟରତ ଥିବା କର୍ମଚାରୀ ଇସ୍ତଫା ଦେଇ ଆନ୍ଦୋଳନରେ ଝାସ ଦେଇଥିଲେ । ହଜାର ହଜାର ଆନ୍ଦୋଳନକାରୀଙ୍କୁ ସେତେବେଳେ ଗିରଫ କରିବାକୁ ପଡିଥିଲା । ଦିଲ୍ଲୀରେ ଭାରତୀୟ ଜାତୀୟ କଂଗ୍ରେସ ମହାତ୍ମା ଗାନ୍ଧୀ, ନେହୁରୁ, ପଟେଲଙ୍କ ପରି ଶୀର୍ଷ ନେତାଙ୍କ ଦ୍ବାରା ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ପ୍ରତ୍ୟକ ଥର ଓଡିଶାରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ