ଭୁବନେଶ୍ବର: ରାସନ କାର୍ଡକୁ ନେଇ ରାଜ୍ଯରେ ଜାରି ରହିଛି eKYC ପ୍ରକ୍ରିୟା । ଏହାରି ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ''ରାଜ୍ୟରେ ଆୟକରଦାତାଙ୍କ ପାଖରେ ରାସନ କାର୍ଡ ଥିବା ତଥ୍ୟ ଆସିଛି । ଆୟକର ଦେଉଥିବା ବ୍ୟକ୍ତିଙ୍କୁ ରାସନକାର୍ଡ ମିଳିଥିବାର ତଥ୍ୟ ସରକାରଙ୍କ ପାଖରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ତନାଘନା । କେତେଜଣ ଏଭଳି ହିତାଧିକାରୀ ଅଛନ୍ତି ସେନେଇ ଚାଲିଛି ଅନୁଧ୍ୟାନ । ଏଥିରେ କେତେ ସତ୍ୟାସତ୍ୟ ରହିଛି ତାହା ଫିଲ୍ଡିଂ ଭେରିଫିକେସନ ପରେ ଜଣାପଡିବ । ଯଦି ଆୟକର ଦାତା ହୋଇ ରାସନ କାର୍ଡ ପାଉଥିଲେ ତାଙ୍କୁ କାଟି ଦିଆୟିବ '' ବୋଲି କହିଛନ୍ତି ମନ୍ତ୍ରୀ ।
eKYCକୁ ନେଇ କଣ କହିଲେ ମନ୍ତ୍ରୀ ?
ମନ୍ତ୍ରୀ କହିଛନ୍ତି "ରାଜ୍ୟରେ eKYC ପ୍ରକ୍ରିୟା ଜାରି ରହିଛି । ଆସନ୍ତା 31 ତାରିଖ ସୁଦ୍ଧା eKYCପ୍ରକ୍ରିୟା ସାରିବାକୁ ଅଧିକାରୀଙ୍କୁ ଟାର୍ଗେଟ ଦେଇଛୁ । ଏହା ସରିଯିବା ପରେ ପ୍ରକୃତ ତଥ୍ୟା ଜଣା ପଡିବ । ଯୋଗ୍ୟ ହିତାଧିକାରୀ କେବେବି ରାସନ କାର୍ଡରୁ କଟିବେନି । ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏହି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆହୁରୀ 41 ଲକ୍ଷ ଅଛନ୍ତି । eKYC ସରିଗଲେ ପୋର୍ଟାଲ ଖୋଲିଦିଆଯିବ, ଯେଉଁ ମାନେ ଆବେଦନ କରିବା କଥା ସେମାନେ କରିବେ । 6 ଲକ୍ଷ ଆବେଦନ କରିଛନ୍ତି ତାକୁ ଯାଞ୍ଚ କରାଯିବ । ତାହା ପରେ ନୂଆ କାର୍ଡ ପ୍ରଦାନ କରିବୁ । ଆୟକରଦାତା ରାସନ କାର୍ଡ ପାଇଥିବା ଆମ ଦୃଷ୍ଟିକୁ ଆସିଛି । ଯଦି ସତ୍ୟତା ଥିବା ସେମାନଙ୍କ ନାଁ ମଧ୍ୟ ତାଲିକାରୁ କଟିବ । ଫିଲ୍ଡ ଭେରିଫିକେସନ କରିବୁ । ଯେଉଁମାନେ ଆୟକର ଦେଉଛନ୍ତି ଓ ରାସନ କାର୍ଡ ପାଇଛନ୍ତି ସେମାନଙ୍କର ନାଁ ଯେମିତି ହେଲେ କଟିବ ।"
ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡାରେ କେଉଁ ବ୍ଲକରେ କେତେ ବାକି ରହିଛି E-KYC ? - RATION CARD EKYC VERIFICATION ଏହା ମଧ୍ୟ ପଢନ୍ତୁ-ଭୂତ ହିତାଧିକାରୀ ଖାଉଛନ୍ତି ରାସନ, ଗୃହରେ ଜଣାଇଲେ ମନ୍ତ୍ରୀ - KYC VERIFICATION |
ପୂର୍ବ ସରକାରଙ୍କ ସମୟରେ ଭୂତ ହିତାଧିକାରୀ ସାମିଲ ହୋଇଛନ୍ତି:
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ବାହାରେ ଥିବା ଲୋକଙ୍କ ଲାଗି eKYC ପ୍ରକ୍ରିୟା ଜାରି ରହିଛି । ଯେଉଁଠି ଅଭିଯୋଗ ଆସୁଛି, ସେଠି ତୁରନ୍ତ ପଦକ୍ଷେପ ନେଉଛୁ । ସେମାନଙ୍କର eKYC କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଯେଉଁ ପ୍ରବାସୀ ଜାନୁଆରୀ 31 ମଧ୍ୟରେ eKYC କରିନପାରିଲେ ସେମାନଙ୍କ କଥା ସରକାର ଚିନ୍ତା କରିବେ । ବର୍ତ୍ତମାନ କିନ୍ତୁ ଜାନୁଆରୀ 31 ସମୟ ନିର୍ଘଣ୍ଟ ହୋଇଛି । eKYC ହେବା ପରେ କେତେ ଭୂତ ହିତାଧିକାରୀ ଅଛନ୍ତି ସ୍ପଷ୍ଟ ହେବ । ପୂର୍ବ ସରକାରଙ୍କ ସମୟରେ ଭୂତ ହିତାଧିକାରୀ ସାମିଲ ହୋଇଛନ୍ତି । ଏ କଥା କହିବାରୁ ପୂର୍ବ ସରକାରଙ୍କୁ ଖରାପ ଲାଗୁଛି । ପୂର୍ବ ସରକାରରେ ସବୁ କିଛି ସମ୍ଭବ ହେଉଥିଲା । ଯାହାକୁ ପାରୁଥିଲେ ତାହାଙ୍କୁ ରାସନ କାର୍ଡ ଦେଉଥିଲେ ।"
'ଭୂତ ରାସନ କାର୍ଡ କଥା ଓଡିଶାବାସୀଙ୍କୁ ଭୁତାଉଛନ୍ତି ମନ୍ତ୍ରୀ':
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ଭୂତ ରାସନ କାର୍ଡ କଥା କହି ଯୋଗାଣ ମନ୍ତ୍ରୀ ଓଡିଶାବାସୀଙ୍କୁ ଭୁତାଉଛନ୍ତି । ପ୍ରତ୍ୟେକ ରାସନ କାର୍ଡ ଆଧାର ସଂଲଗ୍ନ ଅଟେ । ଯଦି ଆଧାର ସଂଲଗ୍ନ ଅନୁସାରେ ରାସନ କାର୍ଡ ହେଲା, ଯାହାକୁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି । ଭାରତ ସରକାର ସ୍ୱୀକୃତି ଆଧାର କାର୍ଡ ତାହାଲେ ମିଛ । ଯଦି ଆଧାର କାର୍ଡ ସତ, ତାହାଲେ ଭୂତ କାର୍ଡ କେଉଁଠୁ ଆସିବ ? ଯୋଗାଣ ମନ୍ତ୍ରୀ ଓ ବିଜେପି ସରକାର 6 ମାସ ହେବ ଜନସାଧାରଣଙ୍କୁ ଭୁତେଇବା ଲାଗି ବ୍ୟବସ୍ଥା କରିଛନ୍ତି । eKYC ନାଁ'ରେ ଗରିବ ଓ ଯୋଗ୍ୟକୁ ସରକାରୀ ଯୋଜନାରୁ ବଞ୍ଚିତ କରିଛନ୍ତି । eKYCପାଇଁ କୌଣସି ସଫ୍ଟୱେୟାର ବ୍ୟବସ୍ଥା କରିନାହାନ୍ତି । ଯେଉଁଥିରେ ରାଜ୍ୟ ବାହାରେ ଥିବା ଲୋକ ଉପକୃତ ହୋଇପାରିବେ । ବାହାରେ ଥିବା ଲୋକ eKYC ପାଇଁ ରାଜ୍ୟକୁ ଆସିବାକୁ ହେଲେ ଜଣକା 5 ହଜାର ଖର୍ଚ୍ଚ କରିବାକୁ ପଡୁଛି ।"
'ସରକାର ଲୋକଙ୍କୁ ରାସନ ଦେବାକୁ ଚାହୁଁନାହାନ୍ତି':
କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, "eKYC ନାଁ'ରେ ରାଜ୍ୟ ସରକାର ଲୋକଙ୍କୁ ରାସନ ଦେବାକୁ ଚାହୁଁନାହାନ୍ତି । କିଛି ମାସ ତଳେ ବିଜେପି ସରକାରରେ ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ଲୋକଙ୍କର ମୃତ୍ୟୁ ହୋଇଛି । କାରଣ 2 ମାସର ଚାଉଳ ଦେବାରେ ବିଳମ୍ବ ହେବାରୁ ଏହା ହୋଇଛି । eKYCପାଇଁ ହଜାର ହଜାର ଲୋକ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ଯୋଜନାର ପଇସା ବଞ୍ଚେଇ ଅନ୍ୟ ଯୋଜନାରେ ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାର ଚାହେଁ । ''
ଇଟିଭି ଭାରତ, ଭୁବନେଶ୍ବର