ଭୁବନେଶ୍ବର: ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ମୋଟ 447 ଜଣ ସରକାର ବାବୁଙ୍କ ନିକଟରୁ ଜବତ ହୋଇଛି ଆୟ ବହିର୍ଭୂତ ସମ୍ପତ୍ତି । 2019 ଜାନୁଆରୀ ପହିଲାରୁ 2023 ଡିସେମ୍ବର 31 ମଧ୍ୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡିଶା ଭିଜିଲାନ୍ସ ବିଭାଗ । ସେହିପରି ରାଜ୍ୟରେ ମୋଟ 594 ଜଣ ସରକାରୀ କର୍ମଚାରୀ ଲାଞ୍ଚ ନେଇ ଧରା ପଡିଛନ୍ତି । ଗତକାଲି ବିଧାନସଭାରେ କାଡ୍ରାକା ଆପାଲା ସ୍ୱାମିଙ୍କ ପ୍ରଶ୍ନରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ।
- ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ବାମି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ, ରାଜ୍ୟରେ ଦୁର୍ନୀତି ନିବାରଣ ପକ୍ଷରୁ ଗତ 5 ବର୍ଷ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି, କେତେଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରଜୁ ହୋଇଛି । ବର୍ଷ ଏବଂ ଜିଲ୍ଲାୱାରୀ ତଥ୍ୟ ରଖିବେ କି ? କେତେଜଣ ସ୍ବତନ୍ତ୍ର କୋର୍ଟ ଦ୍ବାରା ଦଣ୍ଡିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦଣ୍ଡିତ ହେବା ପରେ ମଧ୍ୟ ସରକାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏହା ନେଇ ସରକାରଙ୍କ ଆଭିମୁଖ୍ୟ କ'ଣ ?
- ୪୪୭ ଜଣ ବାବୁଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ମାମଲା
ଏହାର ଉତ୍ତର, ଗୃହ ବିଭାଗ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଥିଲେ । ମୁଖ୍ୟମନ୍ତ୍ରଙ୍କ ଉତ୍ତର ଅନୁସାରେ, ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଗତ ପାଞ୍ଚ ବର୍ଷ ତା ୨୦୧୯ ଜାନୁଆରୀ ପହିଲାରୁ ୨୦୨୩ ମସିହା ଡିସେମ୍ବର ଶେଷ ମଧ୍ୟରେ ମୋଟ ୪୪୭ ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରଜ୍ଜୁ ହୋଇଛି । ସେହିପରି ଉପରୋକ୍ତ ସମୟ ମଧ୍ୟରେ (ଉକ୍ତ 5 ବର୍ଷ) ମୋଟ ୫୯୪ ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଲାଞ୍ଚ ନେବା ମାମଲା ରଜୁ ହୋଇଅଛି । ଏହାର ଏକ ବର୍ଷୱାରୀ ଏବଂ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ଲିଖିତ ଆକାରରେ ସଲଗ୍ନ କରାଯାଇଛି ।
ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ ଓଡ଼ିଶାରେ ହେବ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ |
- 30 ମାମଲାର ଶୁଣାଣି ଶେଷ, 11 ଜଣ ଦଣ୍ଡିତ
ସେହିପରି ସେହି ଅବଧି (2019-2023) ମଧ୍ୟରେ ୩୦ ଗୋଟି ଭିଜିଲାନ୍ସ ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି । ଉକ୍ତ ୩୦ଟି ମାମଲା ମଧ୍ୟରୁ ୧୧ଟି ମାମଲାରେ ୧୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡିତ ହୋଇଛନ୍ତି । ଅନ୍ୟ ୧୨ ଗୋଟି ମାମଲାରେ ସରକାରୀ କର୍ମଚାରୀମାନେ ଦୋଷମୁକ୍ତ ହୋଇଛନ୍ତି । ଅବଶିଷ୍ଟ ୭ଟି ମାମଲାରେ ଅଭିଯୁକ୍ତ ସରକାରୀ କର୍ମଚାରୀମାନଙ୍କ ବିଚାରାଧୀନ ଅବସ୍ଥାରେ ଦେହାନ୍ତ ହେବା କାରଣରୁ ଯୋଗୁଁ ତାଙ୍କ ବିରୁଦ୍ଧରେ ଜାରି ରହିଥିବା ମାମଲାଗୁଡିକୁ ସମାପ୍ତ କରି ଦିଆଯାଇଛି । ଦଣ୍ଡିତ ହୋଇଥିବା କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ପରବର୍ତ୍ତୀ ସମୟରେ ସରକାରୀ କାର୍ଯ୍ୟରେ ନିୟୋଜିତ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର