ଭୁବନେଶ୍ବର: ରାଜ୍ୟକୁ ମୌସୁମୀ ଛୁଇଁଲାଣି, ଏପଟେ ରଜ ମଧ୍ୟ ସରିବାକୁ ବସିଲାଣି ହେଲେ ଖରା କମିବାର ନାଁ ଧରୁନି । ଓଡ଼ିଶାକୁ ମୁଖ୍ୟତଃ ମୌସୁମୀ ଛୁଇଁବା ପରେ ଖରା କମିଥାଏ । ହେଲେ ବର୍ତ୍ତମାନ ଏତେ ଜୋରରେ ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି ଯେ, ଘରେ ରହିବା ମୁସ୍କିଲ ହୋଇପଡ଼ୁଛି । ମୌସୁମୀ ଋତୁରେ ଏକ ପ୍ରକାର ଗ୍ରୀଷ୍ମର ରାଜ ଚାଲିଛି । ଆସନ୍ତାକାଲିଠାରୁ 19 ତାରିଖ ପର୍ଯ୍ୟନ୍ତ ମୁଖ୍ୟତଃ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ଲାଗି ରହିବା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏବେ ବି ରାଜ୍ୟରେ ଗରମ ଗୁଳୁଗୁଳି ଲାଗିରହିଛି । ଆସନ୍ତାକାଲି ଅର୍ଥାତ 17 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ, ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଗରମ ଓ ଗୁଳୁଗୁଳିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି । ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...୪ଦିନ ଅସହ୍ୟ ଗୁଳୁଗୁଳି, ୧୭ରୁ ପ୍ରବଳ ବର୍ଷା ! - Favourable Conditions For Monsoon
ସେପଟେ 18 ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଚଳିତ ଜୁନ ମାସରେ ୨ରୁ ୩ଟି ଲଘୁଚାପ ସୃଷ୍ଟି ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବି ଲଘୁଚାପ ସୃଷ୍ଟି ହୋଇନାହିଁ । ଆସନ୍ତା ୨୫ ତାରିଖ ମଧ୍ୟରେ ବି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ଲାଗି ରହିଛି ଗୁଳୁଗୁଳି ସାଙ୍ଗକୁ ଖରା । ଚଳିତ ବର୍ଷ ଜୁନ ୮ ତାରିଖ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆସିଥିଲା । ହେଲେ ନିଷ୍କ୍ରିୟ ହୋଇ ମାଲକାନଗିରି ଜିଲ୍ଲାରେ ରହିଥିଲା । ପରେ କୋରାପୁଟ ଜିଲ୍ଲାକୁ ଛୁଇଁଥିବା ବେଳେ ପ୍ରାୟ ୭ ଦିନ ପରେ ପୁଣି ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ହୋଇଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଇଟିଭି ଭାରତ, ଭୁବନେଶ୍ବର