ରାଉରକେଲା: ରାକ୍ଷସ ସାଜିଲା ସ୍ବାମୀ । ହାଣ୍ଡିଆ ପିଇବାକୁ ଟଙ୍କା ଦେଲାନି ବୋଲି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ମାଟି ତଳେ ପୋତି ଦେଇଥିଲା ସ୍ବାମୀ । ସେପଟେ ଅଭିଯୋଗ ପରେ ୪ ଦିନ ପରେ ମାଟି ତଳୁ ଗଳିତ ମୃଦେହକୁ ଉଦ୍ଧାର କରିଛି ପୋଲିସ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଡ଼ଦଲକି ଗ୍ରାମ ପଞ୍ଚାୟତର ମୂଷାପାଲି ଗ୍ରାମରେ ।
ସୂଚନା ଅନୁଯାୟୀ, ରାଉରକେଲା ବେଦବ୍ୟାସ ନଦୀଟୋଲାରେ ରହୁଥିବା ଫୁଲମଣି କେର୍କେଟା (୨୭) ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେପଟେ ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଡ଼ଦଲକି ଗ୍ରାମ ପଞ୍ଚାୟତ ମୂଷାପାଲି ଗ୍ରାମର ଅଶୋକ କେର୍କେଟା ବେଦବ୍ୟାସକୁ କାମ କରିବାକୁ ଆସନ୍ତି । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୩ ବର୍ଷ ପୂର୍ବେ ଦୁହେଁ ପ୍ରେମ ବିବାହ କରିଥିଲେ । ସ୍ବାମୀ ସ୍ତ୍ରୀ ମୂଷାପାଲିରେ ରହୁଥିଲେ । ତେବେ ଗତ ୧୧ ତାରିଖ ସକାଳେ ଅଶୋକ ହାଣ୍ଡିଆ ପିଇବା ଲାଗି ଫୁଲମଣିଙ୍କୁ ଟଙ୍କା ମାଗିଥିଲା । ହେଲେ ଫୁଲମଣି ଟଙ୍କା ଦେବାକୁ ମନା କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଶୋକ, ଫୁଲମଣିଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ।
ଘଟଣା ଉପରେ ପରଦା ଢାଙ୍କିବାକୁ ଅଂଶୁଘାତରେ ଫୁଲମଣିଙ୍କ ମୃତ୍ୟୁ ହୋଇଯାଇଥିବା ପାଖ ପଡୋଶୀଙ୍କୁ କହିଥିବା ସହ ମୃତଦେହକୁ ସାମାଜିକ ରୀତିନୀତି ଅନୁସାରେ ଗାଁ ନିକଟ ଶ୍ମଶାନରେ ପୋତି ଦେଇଥିଲା । ଫୁଲମଣିଙ୍କ ମୃତ୍ୟୁ ୧୧ ତାରିଖରେ ଘଟିଥିବା ନଦୀଟୋଲରେ ରହୁଥିବା ତାଙ୍କ ଭଉଣୀ ସୁଶୀଲା କେର୍କେଟା ଶୁକ୍ରବାର ଜାଣିବାକୁ ପାଇଥିଲେ । ଏତେ ବଡ଼ ଘଟଣା ଘଟିବା ସତ୍ତ୍ୱେ ଅଶୋକ ଶ୍ୱଶୁର ଘର ଲୋକଙ୍କୁ କୌଣସି ସୂଚନା ନଦେବା ସନ୍ଦେହ ସୃଷ୍ଟି କରିଥିଲା । ସୁଶୀଲା ଶନିବାର ବ୍ରାହ୍ମଣୀତରଙ୍ଗ ଥାନାରେ ପହଞ୍ଚି ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଅଶୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗତକାଲି (ଶନିବାର) ସନ୍ଧ୍ୟାରେ ପୋଲିସ ମାଟି ଖୋଳି ମୃତଦେହକୁ ବାହାର କରିବା ପରେ ସବୁ ସତ ମାନିଥିଲା ହତ୍ୟାକରୀ ସ୍ୱାମୀ ।
ଏହା ମଧ୍ୟ ପଢ଼ନ୍ତୁ...ପାରିବାରିକ କଳହର କରୁଣ ପରିଣୀତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ୱାମୀ
ଅନ୍ୟପଟେ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ଲାଗି ପାନପୋଷକୁ ପଠାଇଥିଲା ପୋଲିସ । ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ୍ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ପୋଲିସ୍ ଦଫା ୩୦୨ରେ ଏକ ମାମଲା ରୁଜୁ କରିଛି । ଅଶୋକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଏଭଳି ଏକ ଘଟଣା ସମ୍ପୂର୍ଣ୍ଣ ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଇଟିଭି ଭାରତ, ସୁନ୍ଦରଗଡ଼