ଭୁବନେଶ୍ବର: ବାଘ ପାଇଁ ଲଗାଇଯାଇଥିବା କ୍ୟାମେରାରେ ଧରାପଡିଲା ଶିକାରୀ । ରାଜ୍ୟରେ ବାଘ ଗଣନା ପାଇଁ ବିଭିନ୍ନ ଅଭୟାରଣ୍ୟରେ ଲାଗିଛି କ୍ୟାମେରା । ଏପରିକି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମଧ୍ୟ ବାଘ ଗଣନା ପାଇଁ ଜଙ୍ଗଲ ମଧ୍ୟରେ ଲାଗିଛି ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା । ବାଘ ଗଣନା ସହ ଏହି କ୍ୟାମେରା ମାଧ୍ୟମରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ମିଳିଛି ବଡ଼ ସଫଳତା । ଏହି ଟ୍ରାପ୍ କ୍ୟାମେରା ଦ୍ୱାରା ଏବେ ଧରାପଡିଛି ଜଣେ ଦୁର୍ଦ୍ଦାନ୍ତ ଶିକାରୀ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ ।
ତେବେ PCCF ଏକ୍ସରେ ଏକ ଫଟୋ ସେୟାର କରିବା ସହ ଲେଖିଛନ୍ତି ଯେ, ଫଟୋରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଇଗା ହୋ । ସେ ଜଣେ କୁଖ୍ୟାତ ଶିକାରୀ । ତେବେ ନିକଟରେ ଶିମିଳିପାଳରେ ଲାଗିଥିବା ଅନେକ କ୍ୟାମେରାରେ ଏହି ଶିକାରୀ ଜଣକ ନଜର ଆସିଥିଲା । କ୍ୟାମେରାରେ କଏଦ ହେବା ପରେ ଶିମିଳିପାଳ ଅଭୟାରଣ୍ୟର କର୍ମଚାରୀ ତାକୁ ଚିହ୍ନଟ କରିବା ସହ ଗିରଫ ମଧ୍ୟ କରିଛନ୍ତି । ତାକୁ ଦୋଷୀ ପ୍ରମାଣ କରିବାକୁ ଆମ ପାଖରେ ଯଥେଷ୍ଟ ପରିମାଣର ପ୍ରମାଣ ରହିଛି । ଏହା ସହ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଜଙ୍ଗଲ ମଧ୍ୟରେ ରିମୋଟ୍ ଆଇଆର କ୍ୟାମେରା ଲଗାଯାଇଛି । ଏହା ମାଧ୍ୟମରେ ୨୪ ଘଣ୍ଟା ନଜର ରଖାଯାଉଛି ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ଶିମିଳିପାଳ ଅଭୟାରଣ୍ୟରୁ ୫ ଜଣ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ
ଏହା ମଧ୍ୟ ପଢନ୍ତୁ - ଶିମିଳିପାଳରେ ପୁଣି ସକ୍ରିୟ ଶିକାରୀ: ୨୩ଟି ଦେଶୀ ବନ୍ଧୁକ ଜବତ, ୮ ଗିରଫ
ସୂଚନା ଅନୁଯାୟୀ, ଦିନକୁ ଦିନ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି । ବିଗତ ୩ ବର୍ଷରେ ଶିମିଳିପାଳ ଅଭୟାରଣ୍ୟରୁ ୪୫୦ଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ଗତ ଫେବୃଆରୀ ୫ ତାରିଖରେ କଟକରୁ କଲରାପତିଆ ବାଘର ସ୍କିନ ଜବତ କରାଯାଇଥିଲା । ଏହା ସହ ଦୁଇ ଜଣ ଶିକାରୀ ମଧ୍ୟ ଗିରଫ କରାଯାଇଥିଲା । ସେହିପରି ଗତ ୨ତାରିଖରେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ଏଥି ସହିତ ତାଙ୍କ ନିକଟରୁ ବିଭିନ୍ନ ଧରଣର ମାରଣାସ୍ତ୍ର ଜବତ କରିବା ସହ ହରିଣ ଓ ସମ୍ବର ଶିଙ୍ଗ ଜବତ କରିଥିଲା ବନବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର