ଭୁବନେଶ୍ବର: ପଡ଼ୋଶୀ ଦେଶ ବାଂଲାଦେଶ ହିଂସା ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଓଡ଼ିଶାରେ ହାଇ ଆଲର୍ଟ । ଅସ୍ତ୍ରଶସ୍ତ୍ର ଧରି ଫେରାର ଥିବା କିଛି ଉଗ୍ରବାଦୀ ସମୁଦ୍ର ପଥ ଦେଇ ଓଡ଼ିଶାରେ ପଶିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ଓଡ଼ିଶା ପୋଲିସ କଡ଼ା ନଜର ରଖିଛି । ସମୁଦ୍ର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
କେଉଁ ଜିଲ୍ଲାକୁ ହାଇ ଆଲର୍ଟ ?
ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କ ସୂଚନା ଅନୁସାରେ, "ମୁଖ୍ୟତଃ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ସାମୁଦ୍ରିକ ପୋଲିସ ଷ୍ଟେସନରେ ପଇଁତରା କରାଯିବ । ଗୁଇନ୍ଦା ବିଭାଗକୁ ସଜାଗ କରାଯାଇଛି । ଯେଉଁ ବୋଟ ଗୁଡ଼ିକ ଆସୁଛି ତା ଉପରେ ମଧ୍ୟ ନଜର ରଖାଯାଇଛି ।"
'ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତା ପାଇଁ ହାଇଆଲର୍ଟ'
ରାଜ୍ୟରେ ଯେପରି ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହୁଏ ସେଥିଲାଗି ରାଜ୍ୟ ପୋଲିସ ଆଲର୍ଟରେ ରହିଛି । ଏନେଇ ପୋଲିସ ଡିଜି କହିଛନ୍ତି, "ଜଗନ୍ନାଥ ମନ୍ଦିର ଓ ହିନ୍ଦୁ ମନ୍ଦିର ଗୁଡିକ ଉପରେ ସେଠାରେ ଆକ୍ରମଣ ହୋଇଛି । ତେଣୁ ତାକୁ ନେଇ ଏଠାରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି ।"
'ହିଂସା ଓ ରାଜନୈତିକ ସଙ୍କଟରେ ବାଂଲାଦେଶ'
ହିଂସା ଏବଂ ରାଜନୈତିକ ସଙ୍କଟରେ ଜଳୁଛି ବାଂଲାଦେଶ । ଶେଖ୍ ହସିନା ସରକାରର ପତନ ପରେ ଜଳୁଛି ସାରା ଦେଶ । ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ସହ ପୋଡାଜଳା ଜାରି ରହିଛି । "ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି । ଏହି ଅପ୍ରୀତିକର ସ୍ଥିତି ସମୟରେ ଭାରତ-ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । କିଛି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି । ତେବେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି" ବୋଲି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି ।
'ସାମୁଦ୍ରିକ ଥାନାକୁ ପଠାଯାଇଛି ଲୋକବଳ'
ବିଶେଷ ଭାବରେ ସମୁଦ୍ର ପଥରେ ଅନେକ ଲୋକ ଭାରତ ମଧ୍ୟକୁ ପ୍ରବେଶ କରିବା ନେଇ ଆଶଙ୍କା ଥିବାରୁ ସେନେଇ ସତର୍କ କରାଯାଇଛି । ସମସ୍ତ ତଟବର୍ତ୍ତୀ ଜିଲ୍ଲା ଏବଂ ଥାନାକୁ ଆଲର୍ଟ କରାଯାଇଛି । ସାମୁଦ୍ରିକ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସତର୍କ ସୂଚନା ଦିଆଯାଇଛି । ଏହା ସହ ଡିଜିପି ଆହୁରି କହିଛନ୍ତି, "ଆମର ତଟବର୍ତ୍ତୀ ଅଞ୍ଚଳରେ ୬ଟି ଜିଲ୍ଲା ରହିଛି । ଏହା ସହ ୭ଟି କୋଷ୍ଟାଲ ଥାନା ରହିଛି । ବିଶେଷ କରି ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାଗୁଡିକ ବାଂଲାଦେଶରୁ ପାଖ ରହିଛି । ସେଠି ୯ଟି ସାମୁଦ୍ରିକ ଥାନା ରହିଛି ତାହାକୁ ଆଲର୍ଟ କରାଯାଇଛି । ଅଧିକ ଭାବରେ ଲୋକବଳ ଦିଆଯାଇଛି ।"
'ଓଡ଼ିଶାରେ ମନ୍ଦିର ଉପରେ ନଜର'
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି । ରିପୋର୍ଟ ଅନୁସାରେ ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଜାଳି ଦିଆଯାଇଛି । ମନ୍ଦିର ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ଏନେଇ ପୋଲିସ ଡିଜି କହିଛନ୍ତି, "ଯାହା ଖବର ରହିଛି ବାଂଲାଦେଶରେ ଜଗନ୍ନାଥ ମନ୍ଦିର ଏବଂ ଅନ୍ୟ ହିନ୍ଦୁ ମନ୍ଦିରଗୁଡ଼ିକ ଭାଙ୍ଗି ଦେଇଛନ୍ତି । ଏନେଇ ଓଡ଼ିଶାକୁ ମଧ୍ୟ ଆଲର୍ଟ କରାଯାଇଛି । ମନ୍ଦିରରେ କିଭଳି ସୁରକ୍ଷା ବଜାୟ ରହିବ ତାହା ଉପରେ ପୋଲିସ ନଜର ରଖିବ ।"
କାହିଁକି ଅଶାନ୍ତ ବାଂଲାଦେଶ ?
ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଦୀର୍ଘ ଦିନ ଧରି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା । ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି । ଯାହାକି ୧୯୭୧ ସ୍ବାଧୀନତା ଆନ୍ଦୋଳନର ସଂଗ୍ରାମୀଙ୍କ ସମ୍ପର୍କୀୟଙ୍କ ପାଇଁ ରଖାଯାଇଛି । ଏହାକୁ ପ୍ରତ୍ୟାହାର କରିବା ଦାବିରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯାହାକି ଏବେ ସାରା ଦେଶରେ ବ୍ୟାପିଛି । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବା ବେଳେ ହିଂସାକାଣ୍ଡ ଯୋଗୁଁ ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଲାଣି ।
ଏହା ବି ପଢନ୍ତୁ- ସମୁଦ୍ର ପଥରେ ପଶିଆସିବେ ବାଂଲାଦେଶୀ ! ସୁରକ୍ଷା ବ୍ୟବସ୍ଥା କଡାକଡି; ଉପକୂଳରେ ହାଇଆଲର୍ଟ
ଇଟିଭି ଭାରତ, ଭୁବନେଶ୍ବର