ପୁରୀ: ପୁରୀର ଐତିହ୍ୟ ପ୍ରକଳ୍ପ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ବାକିଥିବା କାର୍ଯ୍ୟ ଏବଂ ପ୍ରକଳ୍ପ ନବୀକରଣ ପାଇଁ ନୂଆ ଡିପିଆର ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଭାଗୀୟ ଶାସନ ସଚିବ, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବିଷୟ ଉପରେ ଆଲୋଚନା:
ବୈଠକରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳମ ବିଦ୍ୟାଳୟ ନିର୍ମାଣ, ହରଚଣ୍ଡୀ ସାହି ସ୍ଥିତ ସେବାୟତ ମାନଙ୍କ ଆବାସିକ ପ୍ରକଳ୍ପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ କୋଠା ଓ ରଘୁନନ୍ଦନ ପାଠାଗାର ନିର୍ମାଣ, ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘର ଓ ପାରିପାର୍ଶ୍ଵିକ ବିକାଶ, ପ୍ରମୋଦ ଉଦ୍ୟାନର ବିକାଶ, କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଏଥିସହ ମୂଷା ନଦୀର ପୁନଃରୁଦ୍ଧାର, ପୁରୀ ହ୍ରଦର ରକ୍ଷଣାବ୍ୟକ୍ଷଣ ଓ ସୌନ୍ଦର୍ଯ୍ୟକରଣ, ଦିଗବାରେଣୀର ବହୁମୁଖୀ ଯାନ ରହଣି ସ୍ଥଳ, ଆଚାର୍ଯ୍ୟ ହରିହର ଛକରୁ ଜାତୀୟ ରାଜପଥ ୩୧୬ ପର୍ଯ୍ୟନ୍ତ ରାସ୍ତାର ବିକାଶ, ସିପସରୁବାଲି ଗାଡି ପାର୍କିଂ, ସମୁଦ୍ର କୂଳରେ ଜୈବ ଶୌଚାଳୟ ନିର୍ମାଣ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।
![Heritage project review meeting held at Puri](https://etvbharatimages.akamaized.net/etvbharat/prod-images/20-10-2024/od-pur-reviewmeeting-avo-7205521_19102024225449_1910f_1729358689_569.jpg)
ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ
ପିପିଲି ଠାରେ ଚାନ୍ଦୁଆ ହବ ପାଇଁ ଜମି ଚିହ୍ନଟ, ଶ୍ରୀମନ୍ଦିରର ୭୫ ମିଟର ମଧ୍ୟରେ ମଠ ଓ ମନ୍ଦିର ମରାମତି ଏବଂ ନବୀକରଣ, ଅଠରନଳା ଐତିହ୍ୟ ପ୍ରକଳ୍ପ, ଅଲାରନାଥ ପୀଠର ସମନ୍ୱିତ ବିକାଶ, କାକଟପୁର ମା ମଙ୍ଗଳା ପୀଠର ବିକାଶ, ବକୁଳବନର ସୌନ୍ଦର୍ଯ୍ୟକରଣ ଓ ଶ୍ରୀସେତୁ ଠାରେ ପିଣ୍ଡି ନିର୍ଧାରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଶାସନ ସଚିବ, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ମନ୍ତ୍ରୀ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳ, ଉତ୍ତର ପାର୍ଶ୍ଵ ମଠ ଏବଂ ପ୍ରମୋଦ ଉଦ୍ୟାନ ସ୍ଥଳ ପରିଦର୍ଶନ କରି ଏହାର ବିକାଶ ନେଇ ଆଲୋଚନା କରିଥିଲେ ।
ଗତକାଲି ବସିଥିବା ବୈଠକରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଭି ଭି ଯାଦବ ଉପସ୍ଥିତ ଥିଲେ । ଏଥିସହ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ପୁରୀ ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ପୁରୀ