ଭୁବନେଶ୍ବର: ରାଜ୍ୟରେ ଶୀତ ଗାଏବ ହୋଇଯାଇଥିବା ବେଳେ ବଢିବାରେ ଲାଗିଛି ତାତି । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଅଧିକାଂଶ ସ୍ଥାନରେ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ବଢିବ । ଦୁଇ ଦିନ ପରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ପଶ୍ଚିମା ଝଡ ପ୍ରଭାବରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ନେଇ ଆକଳନ କରାଯାଇଛି ।
ମେଘ ମୁକ୍ତା ଆକାଶ ସହ ଶୁଖିଲା ପାଗ ପାଇଁ ରାଜ୍ୟରେ ହଠାତ ବୃଦ୍ଧି ପାଇଛି ତାପମାତ୍ରା । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହୋଇଛି ପାରଦ । ଗତକାଲି ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆସନ୍ତା ଦୁଇ ଦିନରେ ତାତି ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ରାଜଧାନୀ ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର ଟିଟିଲାଗଡ, ବଲାଙ୍ଗୀର, ବରଗଡ, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ଉପୁଜିବ ।
ଏହା ବି ପଢନ୍ତୁ- ଆସନ୍ତା 3 ଦିନ ଯାଏଁ ପାଗ ଶୁଖିଲା, ୨୨ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା
ସେପଟେ ଦୁଇ ଦିନ ପରେ ରାଜ୍ୟରେ ପୁଣି ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ୨୪ ତାରିଖରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, କୋରାପୁଟ, ମାଲକାନଗିରି, ରାୟଗଡା ଏବଂ ବୌଦ୍ଧରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।
ବର୍ଷା ହେଲେ ମଧ୍ୟ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କାରଣ ରାତିରେ ଓଡ଼ିଶାକୁ ଶୁଷ୍କ ଗରମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ପ୍ରଭାବରେ ରାତ୍ରୀ ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ସେହିପରି ଗତକାଲି ଅପେକ୍ଷା ଆଜି ରାଜ୍ୟରେ ତାତି ଅଧିକ ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୁଖିଲା ପାଗ ପାଇଁ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ଉପୁଜିଛି ।
ଇଟିଭି ଭାରତ, ଭୁବନେଶ୍ବର