ଭୁବନେଶ୍ବର: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା । ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା । ଦିନ ୨ଟା ସୁଦ୍ଧା କେନ୍ଦୁଝର, ସମ୍ବଲପୁର ଓ ହୀରାକୁଦରେ ୩୯ ଡିଗ୍ରୀ ପାର କରିଥିଲା ପାରଦ । ଆଗକୁ ଆହୁରି ଅଣାୟତ୍ତ କରିବ ଖରା ଓ ଗରମ କଲବଲ କରିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ । 4 ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।
ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ହିଟୱେଭ ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ଉଷ୍ମ ରାତି ଅନୁଭୂତ ହେବ । ଏପ୍ରିଲ ୪ ତାରିଖରେ ୮ ଜିଲ୍ଲା ଓ ୫ ଏବଂ ୬ ତାରିଖରେ ୧୦ ଜିଲ୍ଲାରେ ହିଟୱେଭ ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ- ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ୪୦ଡିଗ୍ରୀ ଛୁଇଁଲା ପାରଦ
ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୨ ଡିଗ୍ରୀ ଓ ହିଟୱେଭ ଜିଲ୍ଲାରେ ୪୦ରୁ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ 2ରୁ 3 ଦିନ ଯାଏ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ଓ ପାଗ ଶୁଖିଲା ରହିବା ବୋଲ କହିଛି ବିଭାଗ । ଯାହା ତାପମାତ୍ରା ବୃଦ୍ଧିରେ ସହାୟକା ହେଉଛି । ଏହାସହ ଦିନର ତାପମାତ୍ରା ବୃଦ୍ଧି ସହ ଆଜିଠାରୁ ଉପକୁଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ୱାର୍ମ ନାଇଟ ବା ଉଷ୍ମରାତ୍ରୀ ପରିସ୍ଥିତି ଉପୁଜିବ । ଏହାଦ୍ବାରା ରାତିରେ ପ୍ରବଳ ଗରମ ଅନୁଭୂତ ହେବ ।
ସେହିପରି ଆଜି ଟ୍ବିନସିଟିରେ ଦିନ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ରହିବ। ଅନ୍ୟପଟେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ବିଭାଗ। ଏହାସହ ଘରୁ ବାହାରିବା ସମୟରେ ସତର୍କତାର ସହ ଆବଶ୍ୟକୀୟ ସାମଗ୍ରୀ ଯେପରିକି ଛତା, ପାଣି ବୋତଲ ଆଣିବାକୁ କହିଥିବା ବେଳେ ମୁଣ୍ଡରେ ଗାମୁଛା ବା କପଡା ବାନ୍ଧିବା ସହ ହାଲୁକା କପଡା ବା କଟନ ବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦେଇଛି ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାର ପରେ ରାଜ୍ୟରେ ପୁଣି ବଢ଼ିଛି ତାତି । ୮ ସହରରେ ୪୦ ଡିଗ୍ରୀ ପାରଦ ଛୁଇଁଥିବା ବେଳେ ବାରିପଦାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଟ୍ବିନ ସିଟି ଭୁବନେଶ୍ବର ଏବଂ କଟକରେ ୩୯.୪ ଡିଗ୍ରୀ ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର