ଫୁଲବାଣୀ: ସମାଜର ମୁଖ୍ୟତ୍ସୋତରେ ସାମିଲ ହେଲେ ଆଉ ଜଣେ କ୍ୟାଡର ମାଓବାଦୀ । କନ୍ଧମାଳ ପୋଲିସ ନିକଟରେ ଜଣେ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ KKBN ମାଓ ସଙ୍ଗଠନର କ୍ୟାଡ଼ର ମାଓବାଦୀ ବିଜା ମାଡବି ଓରଫ୍ ଟିକେସ୍ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିଶି ।
କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ:
ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ଧରି ସକ୍ରିୟ ହୋଇପଡିଥିବା କ୍ୟାଡ଼ର ମାଓବାଦୀ ବିଜା ମାଡବି । ଏହି ମାଓ କ୍ୟାଡ଼ର ଜଣଙ୍କ ଗୋଟିଏ ପିସ୍ତଲ ସମେତ ଦୁଇଟି ଜିବନ୍ତ ଗୁଳି ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜରିଆରେ ୬ଟି ଜିଲୋଟିନ୍ ଷ୍ଟିକ୍, ଦୁଇଟି ଇଲେକ୍ଟିକ୍ ଡେଟୋନେଟର,ଷ୍ଟିଲ୍ ଓ୍ବାଇର୍, ରେଡ଼ିଓ,ସୋଲାର୍ ପ୍ଲେଟ୍ ଓ ମାଓ ସାମଗ୍ରୀ ସମେତ ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି କହିଛନ୍ତି ।
ଟିକେସ 10ଟି ମାଓ ହିଂସାରେ ଥିଲେ ସାମିଲ:
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡ଼ା ଗାଁରେ । ଟିକେସ ଗତ ୨୦୧୮ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ । ସେ ୧୦ଟି ମାଓ ହିଂସା କାର୍ଯ୍ୟରେ ସାମିଲ୍ ଥିବା ମଧ୍ୟ ଜଣାପଡ଼ିଛି । ଗୋଟିଏ ପଟେ ହିଂସାରୁ ଦୂରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ମାଓବାଦୀଙ୍କୁ ସରକାରଙ୍କ ଅପିଲ୍ ଏବଂ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାର ଯେଉଁ ଭଳି ଥଇଥାନ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇଥିଲେ ଟିକେସ୍ । ଏଥିସହିତ ମାଓ ସଙ୍ଗଠନର ଶିବିରରେ ଚାଲିଥିବା ଅତ୍ୟାଚାର ଓ ଅମାନୁଷିକ କାର୍ଯ୍ୟକଳାପକୁ ନାପସନ୍ଦ କରି ସଙ୍ଗଠନ ଛାଡ଼ି ଟିକେସ୍ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ '୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP |
କଣ କହିଲେ କନ୍ଧମାଳ ଏସପି ?
ଏନେଇ କନ୍ଧମାଳ ଏସପି ହରିଶ ବିଶି କହିଛନ୍ତି, ‘ଟିକେସ ଗତକାଲି ପିସ୍ତଲ ଧରିକି ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ପାଖପାଖି 10ଟି ଏନକାଉଣ୍ଟରରେ ସମ୍ପୃକ୍ତ ଥିଲା । ଏବେ ପୋଲିସ ଏନକାଉଣ୍ଟର ବଢୁଛି ସେ ଡରିକି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ବନ୍ଧୁକ ଛାଡି ସମାଜରେ ମୁଖ୍ୟ ସ୍ରୋତରେ ଅନ୍ୟମାନଙ୍କୁ ମୁଁ ସାମିଲ ହେବାକୁ ଅପିଲ୍ କରୁଛି ।’
ଇଟିଭି ଭାରତ, କନ୍ଧମାଳ