କୋରାପୁଟ: ବିଶାଖାପାଟଣା ଓ କୋରାପୁଟ ମଧ୍ୟରେ ଥିବା କେଭି ରେଳ ଲାଇନର ପଡୁଆ ରେଳଷ୍ଟେସନ ନିକଟରେ ରେଳ ଧାରଣାରୁ ଖସିଲା ଟ୍ରେନ । ଏକ ମାଲବାହୀ ଟ୍ରେନ ଆଜି (ଗୁରୁବାର) ଲାଇନଚ୍ୟୁତ ହେବା ଫଳରେ ଟ୍ରେନର 6ଟି ବଗି ରେଳଧାରଣାରୁ ବାହାରକୁ ଚାଲି ଆସିଥିବା ଜଣାପଡ଼ିଛି । ଏହି ରେଳ ଗାଡିଟି କିରଣ୍ଡୁଲରୁ ଲୁହାପଥର ନେଇ ବିଶାଖାପାଟଣା ଅଭିମୁଖେ ଯାଉଥିଲା ।
ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଏହି ପଥ ଦେଇ ଦ୍ଵିତୀୟ ରେଳ ଲାଇନ କାର୍ଯ୍ୟକ୍ଷମ ହେଉଛି । କିଛି ସମୟ ମଧ୍ୟରେ ଯାତାୟାତ ବ୍ୟବସ୍ଥା ସୁଧୁରି ଯାଇଥିବା ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ସୂଚନା ଦେଇ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, " ଯେଉଁ ରେଳୱେ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଛି, ସେହି ବାଟ ଦେଇ ଯିବାକୁ ଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚଳାଚଳ କରିବ । ଯେଉଁଠାରେ ଦୁର୍ଘଟଣା ଘଟିଛି, ସେଠାରେ 2ଟି ରେଳ ଧାରଣା ଥିବାରୁ ଅନ୍ୟ ରେଳ ଧାରଣାରେ ସମସ୍ତ ଟ୍ରେନ ଯାତାୟାତ କରିବ ।"
ଏହା ବି ପଢନ୍ତୁ- ମାଲଗାଡ଼ିକୁ ଧକ୍କା ଦେଲା ସାବରମତୀ ଏକ୍ସପ୍ରେସ, 4 ବଗି ଲାଇନଚ୍ୟୁତ
ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ମାର୍ଚ୍ଚ 10 ତାରିଖରେ ବିଶାଖାପାଟନମ-ଭବାନୀପାଟଣା ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାଗ୍ରସ୍ତ ଟ୍ରେନଟି କୋଟ୍ଟାଭଲସା ରେଳ ଷ୍ଟେସନରୁ ବାହାରିଥିଲା । ମାତ୍ର ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ।
ଏହା ବି ପଢନ୍ତୁ- Train Accident: ବଗି ଉପରେ ଚଢିଯାଇଛି ବଗି, ଦେଖନ୍ତୁ ଆନ୍ଧ୍ର ଟ୍ରେନ ଦୁର୍ଘଟଣା ସ୍ଥଳର ଭିଡିଓ
ଗତବର୍ଷ ଅକ୍ଟୋବର 30 ତାରିଖରେ ଆନ୍ଧ୍ରରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଆଲମଣ୍ଡା ଏବଂ କଣ୍ଟାପାଲି ମଧ୍ୟରେ 3ଟି ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଯାହାକି ସାରା ଦେଶବାସୀଙ୍କୁ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟକୁ ମନେ ପକାଇଦେଇଥିଲା । ଏହି ଦୁର୍ଘଟଣା ବାହାନଗା ପରି ହୋଇନଥିଲେ ସୁଦ୍ଧା 3ଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ବିଶାଖାପାଟଣାରୁ ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍ ସିଗ୍ନାଲ୍ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ଥିଲା । ଏହି ରୁଟ୍ରେ ପଲାସାରୁ ବିଶାଖାପାଟଣା ଯାଉଥିବା ଅନ୍ୟ ଏକ ଟ୍ରେନ୍ ପାସେଞ୍ଜର ଟ୍ରେନକୁ ଧକ୍କା ଦେଇଥିଲା । ଫଳରେ 3ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହି ସମୟରେ ଏକ ମୁଖ୍ୟ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ପାସେଞ୍ଜର ଟ୍ରେନର ବଗି ଉପରେ ଚଢ଼ିଯାଇଥିଲା । ଏଥିରେ 13 ଜଣଙ୍କର ମୃତ୍ୟୁ ଘଟିଥିଲା ।