ଭୁବନେଶ୍ବର: ଏୟାରପୋର୍ଟରୁ ପୁଳା ପୁଳା ସୁନା ଓ ରୁପା ଜବତ ହେବା ଘଟଣା । କଢା ସୁରକ୍ଷାରେ ଟ୍ରେଜେରୀକୁ ପଠାଗଲା ବେଆଇନ ଚାଲାଣ ବେଳେ ଜବତ ହୋଇଥିବା ସୁନା-ରୁପା । CT GST ଅଫିସରୁ ସିଧା ଗଲା ସରକାରୀ ଟ୍ରେଜେରୀକୁ । ଯେଉଁଥିରେ ରହିଛି ସୁନାର ଅଳଙ୍କାର ସହ ସୁନା ବିସ୍କୁଟ ଓ ହିରା ଖଚିତ ଅଳଙ୍କାର । ଏଥିସହ ରୁପା ଅଳଙ୍କାର ସହ ରୁପା ବିସ୍କୁଟ ମଧ୍ୟ ରହିଛି ।
୪ କେଜି ସୁନା ଓ ୮୦ କେଜି ରୁପା ହିସାବ ମିଳୁନାହିଁ:
ସୂଚନା ମୁତାବିକ, ଅଗଷ୍ଟ 26 ତାରିଖରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ଜବତ ହୋଇଥିଲା ବିପୁଳ ପରିମାଣରେ ସୁନା ଓ ରୂପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଥିଲା ସିଟି ଜିଏସଟି ବିଭାଗ । ଦୁଇଟି କଣ୍ଟେନରରୁ ୩୪ଟି କନସାଇନମେଣ୍ଟ ବା ପାର୍ସଲ ଠାବ ହୋଇଥିଲା। ଯେଉଁ ସବୁ ବ୍ୟବସାୟୀଙ୍କର ଏସବୁ ଗହଣା ଲଜିଷ୍ଟିକ ସଂସ୍ଥା ଜରିଆରେ ଅଣାଯାଇଥିଲା ସେମାନଙ୍କୁ ସିଟି ଜିଏସଟି ଅଧିକାରୀ ଡକାଇ ହିସାବ ନିକାଶ କରିଥିଲେ । ଜବତ କରିଥିବା ବିପୁଳ ସୁନା-ରୂପାର ଗଣତି ଓ ବିଲ୍ ଯାଞ୍ଚ ସମୟରେ ଦୁଇଟି କଣ୍ଟେନରରୁ ମୋଟ ୪୦କେଜି ସୁନା ଓ ୨ କ୍ବିଣ୍ଟାଲ ରୁପା ମିଳାଇଥିଲା । ଆଉ ଯେଉଁ ସବୁ ବ୍ୟବସାୟିଙ୍କର ଟିକସ ପ୍ରକ୍ରିୟାରେ ସଠିକ ଭାବେ ଅସିଥିଲା ସେନେଇ ୩୬କେଜି ସୁନା ଓ ୧ କ୍ବିଣ୍ଟାଲ ୨୦କେଜି ରୁପାର ବିଲ୍ ବା ହିସାବ ଠିକଠାକ ସିଟି ଜିଏସଟି ଅଧିକାରୀ ହିସାବ ପାଇଥିଲେ। ହେଲେ ଏଯାବତ ୪କେଜି ସୁନା ଓ ୮୦କେଜି ରୁପାର ବିଲର କୌଣସି ଦାବିଦାର ସାମ୍ନାକୁ ଆସୁନାହାନ୍ତି । ଯେଉଁମାନଙ୍କ ନାଁରେ ଲଜିଷ୍ଟିକ ସଂସ୍ଥା ବିଲ ଦେଖାଉଛି ସେମାନଙ୍କର ଠିକଣା ବା ନା କିଛି ମେଳ ଖାଉଛି ଅର୍ଥାତ୍ ବେନାମି ବୋଲି ସିଟି ଜିଏସଟି ଅଧିକାରୀ ସନ୍ଦେହ କରୁଛନ୍ତି ।
ସନ୍ଦେହରେ ବେନାମୀ ବ୍ୟବସାୟୀ:
୪କେଜି ସୁନା ଓ ୮୦କେଜି ରୁପାର ହିସାବ ମିଳୁ ନଥିବାରୁ ଏନେଇ ତଦନ୍ତ କରୁଛନ୍ତି ସିଟି ଜିଏସଟି ଅଧିକାରୀ । ଏନେଇ ୪କେଜି ସୁନା ୬ଜଣ ବ୍ୟବସାୟିଙ୍କ ନାମରେ ବେଆଇନ ଭାବେ ଆସିଛି । ଅଥଚ ଫାଇନ ଓ ବେଆଇନ ଟିକସ ଫାଙ୍କିଥିବା ଭୟରେ ସାମ୍ନାକୁ ଆସୁନାହାନ୍ତି । ସେହିପରି ଜବତ ୮୦କେଜିର ରୂପାର ମଧ୍ୟ ପ୍ରାୟ ୨୦ଜଣ ବ୍ୟବସାୟିଙ୍କ ନାମରେ ବେଆଇନ ଭାବେ ଚାଲାଣ ହେଉଥିବା ମଧ୍ୟ ଲଜିଷ୍ଟିକ ସଂସ୍ଥା ଠାରୁ ସୁରାକ ମିଳିଛି । ହେଲେ ଫାଇନ ଓ ଜିଏସଟି ଫାଙ୍କିଥିବା ଯୋଗୁଁ ଜିଏସଟି ଅଧିକାରୀଙ୍କ ସାମ୍ନାକୁ ଆସୁନାହାନ୍ତି । ଯେଉଁମାନଙ୍କ ନାମ ଅଛି ସେମାନେ ପ୍ରାୟ ସମ୍ବଲପୁର, ବ୍ରହ୍ମପୁର ,କଟକ ଓ ଭୁବନେଶ୍ଵର ବୋଲି ଜଣାପଡିଛି । ହେଲେ ଏଯାବତ ସେନେଇ ଦାଵିଦାର ନଥିବାରୁ ସେନେଇ ସନ୍ଦେହ ବଢୁଛି । ନଚେତ ଏଭଳି କିଛି ବେନାମୀ ନାମରେ ବଡବଡ ଗହଣା ଦୋକାନୀ ଏଭଳି କିଛି ଚକ୍ରନ୍ତା ରଚି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଯେଉଁଠାରୁ ଏସବୁ ପଠା ଯାଉଥିଲା ଅର୍ଥାତ ମୁମ୍ବାଇର ଜିଏସ୍ଟି କମିଶନରଙ୍କୁ ଚିଠି କରାଯାଇଛି ବୋଲି ସୂଚନା ଦେଇଛନ୍ତି ସିଟି ଜିଏସଟି (CT GST) ବିଭାଗର ବରିଷ୍ଠ ଅଧିକାରୀ ।
ମୋଟା ଅଙ୍କର ଫାଇନ ଲାଗିବ:
୪ କେଜି ସୁନାର ଯଦି ୬ ବ୍ୟବସାୟୀ ସାମ୍ନାକୁ ଆସିବେ ତାଙ୍କ ପାଇଁ କାଳ ହେବ ଫାଇନ । ଯେଉଁ ସବୁ ସୁନା ବଳକା ଜବତ ହୋଇଥାଏ ତାର ଇନଭଏସ ଓ ବିଲ ସଠିକ ମିଳୁନାହିଁ । ଯଦି ସେମାନେ ସାମ୍ନାକୁ ଆସନ୍ତି ନେବା ପାଇଁ ତେବେ ୪ କେଜି ସୁନା ଉପରେ ୨.୫ କୋଟି ଟଙ୍କା ଦେବାକୁ ପଡ଼ିବ ଫାଇନ । ତା ସହିତ ଯେତିକି ସୁନାର ମିନା ପ୍ରତିଶତ ଟ୍ୟାକ୍ସ ରହିଥାଏ ସେହି ହିସାବରେ ଟ୍ୟାକ୍ସ ଦ୍ବିଗୁଣିତ ହେବ । ସେହିପରି ୮୦କେଜି ରୁପା ଉପରେ ୬୮ ଲକ୍ଷ ଟଙ୍କାର ଫାଇନ ଲାଗୁ ହେବ । ୩ ପ୍ରତିଶତ ବଦଳରେ ୬ ପ୍ରତିଶତ ଟିକସ ଦେବାକୁ ପଡ଼ିବ ।
ଅଡୁଆରେ ଦୁଇ ଲଜିଷ୍ଟିକ ସଂସ୍ଥା:
ବଳକା ଅଳଙ୍କାରର କେହି ଦାବିଦାର ନଥିବାରୁ ଟ୍ରାନ୍ସପୋର୍ଟ ବା ଲଜିଷ୍ଟିକ ସଂସ୍ଥା ଉପରେ ସନ୍ଦେହ ବଢ଼ିଛି । ବିନା ଚାଲାଣ ବିଲ୍ରେ ପୁଣି ବେନାମା ବ୍ୟବସାୟୀଙ୍କ ନାମରେ ଟ୍ରାନ୍ସପୋର୍ଟ ସଂସ୍ଥା କିପରି ଗହଣା ଟ୍ରାନ୍ସପୋର୍ଟ କରିଥିଲା, ସେନେଇ ଦୁଇ ଟ୍ରାନ୍ସପୋର୍ଟ ସଂସ୍ଥାକୁ ଏବେ ସନ୍ଦେହ ଘେରକୁ ନିଆଯାଇ ସେମାନଙ୍କ ଟ୍ରାନ୍ସପୋର୍ଟ ବ୍ୟବସାୟ ଉପରେ ଏବେ ନଜର ରାଖାଯାଇଛି । କିଭଳି ବେଆଇନ ଭାବେ ସୁନା ରୂପା ଚାଲାଣ କାରବାର କରୁଥିଲେ, କାହା ଜାଣତରେ ନା ଅଜାଣତରେ ଏସବୁ ହେଉଥିଲା ସେନେଇ ତନାଘନା ଜାରି ରହିଛି ।
ଇଟିଭି ଭାରତ, ଭୁବନେଶ୍ବର